ଦ୍ୱିତୀୟ ଦିନରେ ୧୦୨% ଟିକାକରଣ

150

-୩୭୫ କେନ୍ଦ୍ରରେ ୩୨,୫୨୬ଜଣ ନେଲେ ଟିକା

-୧୭ ଜିଲ୍ଲାରେ ଶତପ୍ରତିଶତ ଟିକାଦାନ

-ଆଜି ଆସିବ ଦ୍ୱିତୀୟ ପର୍ଯ୍ୟାୟ କୋଭିସିଲ୍ଡ ଟିକା

ଭୁବନେଶ୍ୱର: ସମଗ୍ର ଦେଶରେ କରୋନା ଟିକାକରଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି । ସୋମବାର ଦେଶରେ ୧ଲକ୍ଷ ୪୮ହଜାର ୨୬୬ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯାଇଛି । ଏପର୍ଯ୍ୟନ୍ତ ମୋଟ ୩ଲକ୍ଷ ୮ହଜାର ଜଣଙ୍କୁ ଟିକା ଦିଆସରିଲାଣି । ସେହିପରି କରୋନା ଟିକାକରଣ କାର୍ଯ୍ୟକ୍ରମର ୨ୟ ଦିବସରେ ସାରା ରାଜ୍ୟରେ ମୋଟ ୩୭୫ଟି ଟିକାକରଣ ସେସନ୍ ଅନୁଷ୍ଠିତ ହୋଇଛି । ଆଜି ୩୧୯୦୨ ଜଣଙ୍କ ଟିକାକରଣ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ମୋଟ ୩୨୫୨୬ ଜଣ ଲୋକ ଟିକା ନେଇଥିଲେ । ଫଳରେ ଆଜି ୧୦୨ ପ୍ରତିଶତ ଟିକାକରଣ କରାଯାଇଛି । ଆଜି ଟିକା ନେଇଥିବା ଲୋକମାନଙ୍କ ମଧ୍ୟରୁ ୨ ଜଣଙ୍କ ଶରୀରରେ କିଛିଟା ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇଥିଲା । ବାଲେଶ୍ୱର ଓ ନବରଙ୍ଗପୁରର ଜିଲ୍ଲାର ଜଣେ ଲେଖାଏଁ ଲୋକଙ୍କ ଶରୀରରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇଛି । ଓଡ଼ିଶାର ପ୍ରାୟ ସମସ୍ତ ଜିଲ୍ଲାରେ ୧୦୦ ପ୍ରତିଶତ ଟିକାକରଣ ଅଧିବେଶନ ହୋଇଥିବାବେଳେ ଅନୁଗୁଳରେ ୭୫ ପ୍ରତିଶତ ଓ କେନ୍ଦୁଝରରେ ୮୩ ପ୍ରତିଶତ ଅଧିବେଶନ ହୋଇଥିଲା । ତେବେ ଜିଲ୍ଲାମାନଙ୍କ ମଧ୍ୟରୁ ଖୋର୍ଦ୍ଧାରେ ସର୍ବାଧିକ ୩୭୬୧ଜଣ ଟିକା ନେଇଥିଲେ । ନୂଆପଡ଼ାରେ ସର୍ବନିମ୍ନ ୧୨୪ଜଣ ଟିକା ନେଇଥିଲେ । ଅନ୍ୟପକ୍ଷରେ ଭୁବନେଶ୍ୱରରେ ଆଜିର ଟିକାକରଣ କାର୍ଯ୍ୟକ୍ରମ କିଛିଟା ନୈରାଶ୍ୟଜନକ ଥିଲା । ଆଜି ପ୍ରାୟ ୨୮୬୪ ଜଣ ଟିକା ନେବାକୁ ଥିବାବେଳେ ମାତ୍ର ୧୯୪୭ ଜଣ ଟିକା ନେଇଥିଲେ । ଫଳରେ ଟିକାକରଣ ଲକ୍ଷ୍ୟର ୬୮ପ୍ରତିଶତ ହାସଲ ହୋଇଛି ।

କେଉଁଠି ନେଲେ କେତେ ଟିକା

ଖୋର୍ଦ୍ଧାରେ – ୩୭୬୧
ଗଞ୍ଜାମ – ୨୦୬୯
ମୟୂରଭଞ୍ଜ – ୨୬୫୬
ପୁରୀ – ୧୯୭୨
ବାଲେଶ୍ୱର – ୧୩୭୭
ଭୁବନେଶ୍ୱର- ୧୯୪୭

ଭାରତକୁ ବିଦେଶୀ ରାଷ୍ଟ୍ରମୁଖ୍ୟଙ୍କ ଅଭିନନ୍ଦନ

ଦେଶବ୍ୟାପୀ କରୋନା ପ୍ରତିଷେଧକ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ବିଦେଶୀ ରାଷ୍ଟ୍ରଗୁଡ଼ିକର ନେତାମାନେ ଭାରତକୁ ଅଭିନନ୍ଦନ ବାର୍ତ୍ତା ପଠାଇବାରେ ଲାଗିଛନ୍ତି । ଗତ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଭିଡ୍୧୯ ପ୍ରତିଷେଧକ ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦ୍ରା ରାଜପକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଭାରତ ସରକାରଙ୍କୁ ଏଥିପାଇଁ ଅଭିନନ୍ଦନ ଜଣାଇଛନ୍ତି । ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବର୍ଣ୍ଣନା କରି ଶ୍ରୀ ରାଜପକ୍ଷେ କହିଛନ୍ତି ଏହି ବିଶ୍ୱବ୍ୟାପୀ ସଂକ୍ରମଣର ମୂଳୋତ୍ପାଟନ ପ୍ରକ୍ରିୟା ଆରମ୍ଭ ହୋଇଗଲା । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଶ୍ରୀ ରାଜପକ୍ଷେଙ୍କୁ ଏଥିପାଇଁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ଆମର ବୈଜ୍ଞାନିକ ଓ ସ୍ୱେଚ୍ଛାସେବୀମାନଙ୍କର ଅକ୍ଳାନ୍ତ ଉଦ୍ୟମ କୋଭିଡ୍ ମୁକାବିଲାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ସେ କହିଛନ୍ତି ଶୀଘ୍ର ପ୍ରତିଷେଧକ ବିକଶିତ କରିବା ଓ ଏହାକୁ ଦିଆଯିବା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସାବ୍ୟସ୍ତ ହୋଇଛି । ଏକ ସୁସ୍ଥ ତଥା ରୋଗମୁକ୍ତ ବିଶ୍ୱ ଗଠନ ଦିଗରେ ଏହା ମହତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ମାଳଦ୍ୱୀପ ରାଷ୍ଟ୍ରପତି ଇବ୍ରାହିମ୍ ମହମ୍ମଦ ସୋଲିହ୍ ପ୍ରଧାନମନ୍ତ୍ରୀ ମୋଦୀ ଓ ଭାରତ ସରକାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏକ ଟ୍ୱିଟ୍ ବାର୍ତ୍ତାରେ ଶ୍ରୀ ସୋଲିହ୍ ଭାରତ କୋଭିଡ୍ ବିପକ୍ଷରେ ଏହାର ସଂଗ୍ରାମରେ ସମ୍ପୂର୍ଣ୍ଣ ସଫଳ ହେବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ କରୋନା ପ୍ରତିଷେଧକ ବାହାର କରିବା ଦିଗରେ ଭାରତର ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଭାରତ ବିଶ୍ୱର ମୋଟ୍ ପ୍ରତିଷେଧକର ଶତକଡ଼ା ୫୦ ଭାଗ ପ୍ରତିଷେଧକ ଯୋଗାଇ ସାରିଛି ଓ କୋଭିଡ୍ ସଂକ୍ରମଣ ଆରମ୍ଭ ହେବାଠାରୁ ଉଭୟ ଭାରତ ଓ ବ୍ରିଟେନ୍ ମିଳିତ ଭାବେ କାର୍ୟ୍ୟ କରିଆସୁଛନ୍ତି । ଭୁଟାନ୍ ପ୍ରଧାନମନ୍ତ୍ରୀ ଲୋଟେ ଶେରିଙ୍ଗ୍ ଓ ନେପାଳ ବୈଦେଶିକ ମନ୍ତ୍ରୀ ପ୍ରଦୀପ୍ କୁମାର ଗ୍ୟାୱାଲି ଶ୍ରୀ ମୋଦୀ ଓ ଭାରତର ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଅଭିନନ୍ଦନ ବାର୍ତ୍ତାମାନ ପଠାଇଛନ୍ତି ।

Leave A Reply

Your email address will not be published.