ଦୁର୍ନୀତି ବିରୋଧରେ ଜିରୋ ଟଲେରାନ୍ସ
-ବର୍ଷକ ମଧ୍ୟରେ ୧୦୪ଜଣଙ୍କୁ ବାଧ୍ୟତାମୂଳକ ଅବସର
-ଡିଆଇଜି-ଜଣେ କମାଣ୍ଡାଣ୍ଟ-ଜଣେ ଡିଏସ୍ପି-ଜଣେ ଡେପୁଟି କମାଣ୍ଡାଣ୍ଟ ସାମିଲ୍
-ଦୁଇ ଖଣି ଅଧିକାରୀ ଓ ଜଣେ ସିଡିିଓଙ୍କୁ ବାଧ୍ୟତାମୂଳକ ଅବସର
-୩୦ ଡିସେମ୍ବରରେ ୬ ଅଧିକାରୀଙ୍କୁ ଦିଆଯାଇଥିଲା ଭିଆର୍ଏସ୍
ଭୁବନେଶ୍ୱର: ଦୁର୍ନୀତି ଓ ଅପାରଗତା ଯୋଗୁ ରାଜ୍ୟ ସରକାର ଆଜି ୭ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ଜେଲ ଡିଆଇଜି, ଜଣେ କମାଣ୍ଡାଣ୍ଟ, ଜଣେ ଡିଏସ୍ପି, ଜଣେ ଡେପୁଟି କମାଣ୍ଡାଣ୍ଟ ଥିବା ବେଳେ ୨ଜଣ ଖଣି ଅଧିକାରୀ ଓ ଜଣେ ସିଡି ିଓ ଅନ୍ତର୍ଭୁକ୍ତ ଅଟନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ସାଧାରଣ ଜୀବନରେ ସାଧୁତା ଓ ନୈତିକତା ଉପରେ ଗୁରୁତ୍ୱ ଦେଇ ଆସିଛନ୍ତି । ଅପାରଗ ତଥା ଅସାଧୁ ଅଧିକାରୀଙ୍କ ବିରୁଦ୍ଧରେ ଶୂନ୍ୟ ସହିଷ୍ଣୁତା ନୀତି ଉପରେ ସବୁବେଳେ ଜୋର ଦେଇ ଆସିଛନ୍ତି ଏବଂ ପ୍ରଶାସନରୁ ଦୁର୍ନୀତି ଓ ଅପାରଗତା ଦୂର କରିବା ପାଇଁ ସବୁବେଳେ କଠୋର ପଦକ୍ଷେପ ନେଇଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ବାଧ୍ୟତାମୂଳକ ଅବସର ଦିଆଯାଇଥିବା ଅଧିକାରୀମାନେ ହେଲେ ଜେଲ୍ ବିଭାଗର ଡିଆଇଜି ଗୋପବନ୍ଧୁ ମଲ୍ଲିକ ।ଶ୍ରୀ ମଲ୍ଲିକ୍ ଜେଲ ୱାର୍ଡର ଚୟନ ନିମନ୍ତେ ଥିବା କମିଟିର ମୁଖ୍ୟ ଭାବରେ ତାଙ୍କ ପଦବୀର ଅପବ୍ୟବହାର କରି ଚୟନ ପ୍ରକ୍ରିୟାରେ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରିଥିବା ଅଭିଯୋଗ ରହିଥିଲା । ଜେଲ ବିଭାଗରେ ତାଙ୍କ କାର୍ଯ୍ୟକଳାପ ସନ୍ତୋଷଜନକ ନଥିଲା ଏବଂ ତାଙ୍କର ସାଧୁତା ସନ୍ଦେହମୁକ୍ତ ନ ଥିଲା । କୋରାପୁଟ ନନ୍ଦପୁରର ସିଡିପିଓ ଭାବରେ କାର୍ଯ୍ୟ କରୁଥିବା ସ୍ନିଗ୍ଧାରାଣୀ ମିଶ୍ରଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ତାଙ୍କ ନାମରେ ଦୁଇଟି ଭିଜିଲାନ୍ସ କେସ୍ ରହିଛି।
୨୦୧୬ ରେ ୮୦ ଲକ୍ଷ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମକଦ୍ଦମା ଦାୟର କରାଯାଇଥିବା ବେଳେ ଅକ୍ଟୋବର ୨୦୨୦ରେ ଛତୁଆ ବିଲ୍ ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀର ଜଣେ ସଦସ୍ୟଙ୍କଠାରୁ ୧ଲକ୍ଷ ୭୫ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ଧରା ପଡିଥିଲେ । ସେ ବର୍ତ୍ତମାନ ନିଲମ୍ବିତ ଅଛନ୍ତି । ସେହିରି ଏକାନ୍ତ ପ୍ରିୟ ନାୟକ କମାଣ୍ଡାଣ୍ଟ ଭାବରେ ଓଡିଶା ସଶସ୍ତ୍ର ପୋଲିସ ସେବାରେ କାର୍ଯ୍ୟରତ ଥିଲେ । ଦୁର୍ବ୍ୟବହାର ତଥା ତାଙ୍କର ଅଧସ୍ତନ କର୍ମଚାରୀଙ୍କୁ ମାରଧର କରିବା ଅଭିଯୋଗରେ ତାଙ୍କ ବିରୁଦ୍ଧରେ ଗୋଟିଏ ବିଭାଗୀୟ କାର୍ଯ୍ୟାନୁଷ୍ଠାନ କରାଯାଇଛି ଏବଂ ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିଲା । ଜଣେ ମଦ୍ୟପ ତଥା ଅଯୋଗ୍ୟ ଅଫିସର ଭାବରେ ତାଙ୍କ ନାମରେ ଅନେକ ଅଭିଯୋଗ ରହିଥିଲା । ଡିଏସ୍ପି ଗୌତମ ମଲ୍ଲିକଙ୍କ ବିରୁଦ୍ଧରେ ଦୁଇଟି ଫୌଜଦାରୀ ମାମଲା ରୁଜୁ କରାଯାଇଥିବା ବେଳେ ତାଙ୍କୁ ମଧ୍ୟ ଚାକିରିରୁ ନିଲମ୍ବିତ କରାଯାଇଥିଲା । ଓଡିଶା ସଶସ୍ତ୍ର ପୋଲିସ ସେବାର ଡେପୁଟି କମାଣ୍ଡାଣ୍ଟ ଭାବରେ କାର୍ଯ୍ୟ କରୁଥିବା ଦେବେନ୍ଦ୍ର ନାଥ ବେହେରାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ତାଙ୍କ ନାମରେ ଜଙ୍ଗଲରୁ କାଠ ଚୋରି ଅଭିଯୋଗରେ ଏକ ଫୌଜଦାରୀ ମୋକଦ୍ଦମା ରୁଜୁ କରାଯାଇଛି । ସେହିପରି ବିନା ଅନୁମତିରେ ସରକାରୀ ଗାଡିରେ ଅଧସ୍ତନ କର୍ମଚାରୀଙ୍କୁ ବ୍ୟବହାର କରି କାଠର ଚୋରାଚାଲାଣ ଅଭିଯୋଗରେ ତାଙ୍କ ନାମରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି । କନିଷ୍ଠ ଖଣି ଅଧିକାରୀ ସତ୍ୟବ୍ରତ ରାଉତଙ୍କ ବିରୁଦ୍ଧରେ ୫ଗୋଟି ଭିଜିଲାନ୍ସ କେସ୍ ରହିଛି । ତାଙ୍କର ସାଧୁତା ସନ୍ଦେହଜନକ । ଦାୟିତ୍ୱରେ ଅବହେଳା ଏବଂ ଦୁର୍ବ୍ୟବହାର ଆଦି ଗୁରୁତର ଅଭିଯୋଗରେ ତାଙ୍କ ବିରୁଦ୍ଧରେ ୩ ଗୋଟି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବର୍ତ୍ତମାନ ସେ ନିଲମ୍ବିତ ଅଛନ୍ତି । ସେହିପରି ରମେଶ ଚନ୍ଦ୍ର ପଣ୍ଡା କନିଷ୍ଠ ଖଣି ଅଧିକାରୀଙ୍କ ବିରୁଦ୍ଧରେ ୩ ଗୋଟି ଭିଜିଲାନ୍ସ କେସ୍ ଥିଲାବେଳେ ତାଙ୍କର ସାଧୁତା ମଧ୍ୟ ସନ୍ଦେହଜନକ । ଦାୟିତ୍ୱରେ ଅବହେଳା ଏବଂ ଦୁର୍ବ୍ୟବହାର ଆଦି ଗୁରୁତର ଅଭିଯୋଗରେ ତାଙ୍କ ବିରୁଦ୍ଧରେ ୩ ଗୋଟି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବର୍ତ୍ତମାନ ସେ ନିଲମ୍ବିତ ଅଛନ୍ତି । ସୂଚନାଯୋଗ୍ୟ ଯେ, ଗତ ଡିସେମ୍ବର ୩୦ ତାରିଖରେ ରାଜ୍ୟ ସରକାର ୬ଜଣ ଅଧିକାରୀଙ୍କୁ ଚାକିରିରୁ ବାଧ୍ୟତାମୂଳକ ଅବସର ଦେଇଥିଲେ । ଏକ ବର୍ଷ ମଧ୍ୟରେ ରାଜ୍ୟ ସରକାର ୧୧୦ଜଣଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି । ପ୍ରଶାସନରେ ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଓ ସେବା ମନୋଭାବର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ସବୁବେଳେ ଗୁରୁତ୍ୱ ଦେଇ ଆସିଛନ୍ତି । ତେଣୁ ଦୁର୍ନୀତି ତଥା ଲୋକଙ୍କୁ ସେବା ଯୋଗାଇବାରେ ଅବହେଳା କରୁଥିବା କର୍ମଚାରୀମାନଙ୍କ ପାଇଁ ଏହି ପଦକ୍ଷେପ ଏକ ସତର୍କ ଘଣ୍ଟି ।