ଖୋଲିଲା ଦେଶର ପ୍ରଥମ ଫାୟାର ପାର୍କ

165

ସର୍ବସାଧାରଣଙ୍କ ଲାଗି ସବୁ ଶନିବାର ୨ଘଣ୍ଟା ଖୋଲା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଫାୟାର ପାର୍କର ଉଦ୍‌ଘାଟନ୍ କରି ଆଜି ଭର୍ଚୁଆଲ ପ୍ଲାଟ୍‌ଫର୍ମରେ ଓଡ଼ିଶା ଅଗ୍ନିଶମ ସେବାର ଏକ ଗତିଶୀଳ ଅନ୍‌ଲାଇନ୍‌ ପୋର୍ଟାଲ ‘ଅଗ୍ନିଶମ ସେବା’ ଉନ୍ମୋଚନ କରିଛନ୍ତି । ଅଗ୍ନି ନିରାପତ୍ତା ପଦକ୍ଷେପ ଉପରେ ସଚେତନତା ଆଣିବା ପାଇଁ ଫାୟାର ପାର୍କ ସମଗ୍ର ଦେଶରେ ଏକ ନୂତନ ପଦକ୍ଷେପ । ଭୁବନେଶ୍ୱରର ଓଡିଶା ଫାୟାର ଆଣ୍ଡ ବିର୍ଯ୍ୟୟ ଏକାଡେମୀ ପରିସରରେ ଅବସ୍ଥିତ ଏହି ଫାୟାର ପାର୍କ ପ୍ରତ୍ୟେକ ଶନିବାର ଦିନ ୩.୩୦ ମିନିଟରୁ ୫.୩୦
ମିନିଟ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ । ନିଆଁ ଲିଭା ଉପକରଣର ବ୍ୟବହାର, ଉଦ୍ଧାର ଏବଂ ବିର୍ଯ୍ୟୟ କାର୍ଯ୍ୟ, ପ୍ରଦର୍ଶନୀ ହଲ୍ ପରିଦର୍ଶନ, ଚଳଚ୍ଚିତ୍ରର ସ୍କ୍ରିନିଂ ଏବଂ ଅଗ୍ନି ନିରାପତ୍ତା ଉପରେ ଲିଫଲେଟ୍ ବଣ୍ଟନ ଉପରେ ପ୍ରଦର୍ଶନ ଏହି କାର୍ଯ୍ୟକଳାପର ଏକ ଅଂଶ ହେବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଲୋକମାନଙ୍କ ମଧ୍ୟରେ ବିଶେଷକରି ଛାତ୍ରମାନଙ୍କ ମଧ୍ୟରେ ମୌଳିକ ଅଗ୍ନି ନିରାପତ୍ତା ପଦକ୍ଷେପ ଉପରେ ସଚେତନତା ତଥା ଉନ୍ନତି ଆଣିବାରେ ଏହି ଫାୟାର ପାର୍କ ସହାୟକ ହେବ । ସୁରକ୍ଷା ଅନୁକୂଳ ନାଗରିକତା ସୃଷ୍ଟି କରିବା ପାଇଁ ସଠିକ୍ ଦିଗରେ ପ୍ରୟାସ କରାଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କୋଭିଡ଼ ମହାମାରୀ ବିରୋଧରେ ଅଗ୍ନିଶମ ସେବାର ଲଢ଼େଇକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିବା ସହ କୋଭିଡ଼ ରୋଗୀଙ୍କ ପାଇଁ ଅଗ୍ନିଶମ କର୍ମଚାରୀମାନେ ପ୍ଲାଜ୍‌ମା ଦାନ କରିଥିବାରୁ ଆନନ୍ଦବ୍ୟକ୍ତ କରିଥିଲେ । ସେ କହିଥିଲେ ଯେ, ଗତବର୍ଷ ଆମ୍ଫାନ ଓ ପରବର୍ତ୍ତୀ ସମୟରେ ବନ୍ୟା ସମୟରେ ଅଗ୍ନିଶମ ବାହିନୀର କାର୍ଯ୍ୟ ଅତ୍ୟନ୍ତ ପ୍ରଶଂସନୀୟ ରହିଥିଲା । ଉଦ୍ଧାର ଓ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଅଗ୍ନିଶମ ବାହିନୀ ବେଶ୍ ଭଲ କାର୍ଯ୍ୟ କରିଛି ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରି ବୈଷୟିକ ଜ୍ଞାନକୌଶଳ ଅବଲମ୍ବନ କରି ସାଧାରଣଙ୍କ କଲ୍ୟାଣ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହି ଅବସରରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟରଞ୍ଜନ ମିଶ୍ର, ଅଗ୍ନିଶମ ଡ଼ିଜି ସତ୍ୟଜିତ୍ ମହାନ୍ତି, ଆଇଜି ଅସିତ୍ ପାଣିଗ୍ରାହୀ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ୫-ଟି ସଚିବଙ୍କ ସହ ବହୁ ଉଚ୍ଚଅଧିକାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.