ଜମି ଅଧିଗ୍ରହଣ ବିବାଦ ତୁଟୁ ନାହିଁ, କି କାର୍ଯ୍ୟକ୍ଷମ ହୋଇପାରୁନାହିଁ ନୂତନ ପୋଲ

171

କୋଟପାଡ଼ : ଜାତୀୟ ରାଜପଥ ୬୩ ନମ୍ବରରେ ଲହଞ୍ଜା ନିକଟରେ ତଳୁଆ ପୋଲ ଥିବା ଯୋଗୁଁ ପ୍ରତିବର୍ଷ ବର୍ଷା ଋତୁରେ ନଈବଢି ଯୋଗୁଁ ଯାତାୟତ ଅସୁବିଧାକୁ ଦୃଷ୍ଟିରେ ରଖି ଜାତୀୟ ରାଜପଥ ବିଭାଗ ପକ୍ଷରୁ ଏକ ଉଚ୍ଚ ପୋଲ ନିର୍ମାଣ କରାଯାଇଥିଲା । କିନ୍ତୁ ନିର୍ମାଣ ହୋଇ ଆଜକୁ ତିନି ବର୍ଷ ବିତିଯାଇଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରୁନାହିଁ ଏହି ପୋଲ । ବିସ୍ଥାପିତ ଏବଂ ପ୍ରଶାସନ ମଧ୍ୟରେ ତୁଟୁନି ବିବାଦ ଫଳରେ ଏବେ ମରଣଯନ୍ତା ପାଲଟିଛି ଜାତୀୟ ରାଜପଥ ଦେଖିବା । କୋରାପୁଟ ଜିଲ୍ଲା କୋଟପାଡ଼ ଛତିଶଗଡ଼ ଜାତୀୟ ରାଜପଥ ୬୩ ନମ୍ବର ସୂର୍ଲି ଓ ଲହଞ୍ଜା ଗ୍ରାମ ନିକଟରେ ଇନ୍ଦ୍ରାବତୀ ନଦୀ ଉପରେ ଏକ ପୋଲ ରହିଅଛି । ପୋଲଟି ତଳୁଆ ହୋଇଥିବା ଯୋଗୁଁ ପ୍ରତି ବର୍ଷ ବର୍ଷା ଋତୁରେ ଉପର ମୁଣ୍ଡରେ ଜଳ ନିଷ୍କାସନ କରିବା ଯୋଗୁଁ ପୋଲ ଉପରେ ଚାରି ଫୁଟରେ ଜଳ ଚାଲିଥାଏ, ଫଳରେ ହଜାର ହଜାର ଗାଡି ଅଟକି ରହେ । ଛତିଶଗଡ଼ର ନଗରନାରରେ ଏନଏମଡିସି(NMDC) ରହିଥିବା ଯୋଗୁଁ ଶହ ଶହ ଭାରିଯାନ ଚଳାଚଳରେ ବାଧା ସୃଷ୍ଟି ହୋଇଥାଏ । ତାହାକୁ ଦୃଷ୍ଟିରେ ରଖି ଜାତୀୟ ରାଜପଥ ବିଭାଗ ପକ୍ଷରୁ ତିନି ବର୍ଷ ତଳେ ପୁରୁଣା ପୋଲ ନିକଟରେ ଅନ୍ୟ ଏକ ନୂତନ ପୋଲ ନିର୍ମାଣ କରାଯାଇଥିଲା । ପୋଲକୁ ସଂଯୋଗ କରୁଥିବା ଆପ୍ରୋଚ ରାସ୍ତା ନିର୍ମାଣ ପାଇଁ ସୂର୍ଲି ଗ୍ରାମର ୨୨ ଗୋଟି ଘର ଭାଙ୍ଗିବାକୁ ପଡୁଛି ।ବିସ୍ଥାପିତ ଲୋକେ ସରକାରଙ୍କୁ ଗୁହାରି କରିଥିଲେ କି ସେମାନଙ୍କୁ ଥଇଥାନ କରିବା ପାଇଁ । କିନ୍ତୁ ୨୨ଜଣ ବିସ୍ଥାପିତଙ୍କ ମଧ୍ୟରୁ କେତେଜଣଙ୍କ ଜମି ପଟ୍ଟା ଅଛି ଆଉ କେତେଜଣଙ୍କ ଜମି ପଟ୍ଟା ନାହିଁ । ସେମାନଙ୍କୁ କ୍ଷତିପୂରଣ ଦେବା ପାଇଁ ସରକାର ରାଜି ହେଉନାହାନ୍ତି । ଏଭଳି ବିବାଦ ମଧ୍ୟରେ ଛନ୍ଦି ହୋଇ ନୂତନ ପୋଲ କାର୍ଯ୍ୟକ୍ଷମ ହୋଇପାରୁନାହିଁ । ଘର ହରାଉଥିବା ୨୨ ବିସ୍ଥାପିତ ପରିବାର ବାରମ୍ବାର କୋଟପାଡ଼ ତହସିଲଦାର, କୋରାପୁଟ ଜିଲ୍ଲାପାଳ, ବୋରିଗୁମ୍ମା ତହସିଲଦାରଙ୍କୁ ଗୁହାରି କରିଥିଲେ କିନ୍ତୁ ନା ପ୍ରଶାସନ ଥଇଥାନ କରୁଛି ନା ନୂତନ ପୋଲ କାର୍ଯ୍ୟକ୍ଷମ ହେଉଛି । ୨୨ ପରିବାର ଦାବି କରିଛନ୍ତି କି ସରକାର ସେମାନଙ୍କ ଉଚିତ କ୍ଷତିପୂରଣ କରୁ ନଚେତ ଥଇଥାନ କରୁ । ପ୍ରଶାସନ ଏବଂ ବିସ୍ଥାପିତଙ୍କ ମଧ୍ୟରେ ତୁଟୁନି ବିବାଦ ଫଳରେ ଏବେ ମରଣ ଯନ୍ତା ପାଲଟିଛି ଏହି ଜାତୀୟ ରାଜପଥ ରାସ୍ତା ଓ ହନ୍ତସନ୍ତ ହେଉଛନ୍ତି ଗାଡିଚାଳକ ।

ପ୍ରତିଦିନ ଏହି ରାସ୍ତା ଦେଇ ହଜାର ହଜାର ଗାଡି ଚଳାଚଳ ହୋଇଥାଏ । ନୂତନ ପୋଲ କାର୍ଯ୍ୟକ୍ଷମ ହୋଇ ପାରୁନି ପୁରୁଣା ପୋଲର ଆପ୍ରୋଚ ରାସ୍ତା ମରାମତି କାର୍ଯ୍ୟ ହେଉନାହିଁ ଫଳରେ ଆଣ୍ଠୁଏ ଖାଲିଖମା ହୋଇ ପଡିଛି । ବର୍ଷା ଯୋଗୁଁ କାଦୁଅ ପାଣିରେ ପରିପୂର୍ଣ୍ଣ ହୋଇପଡୁଛି ଜାତୀୟ ରାଜପଥ । ଖାଲଖମା ରାସ୍ତା ଯୋଗୁଁ ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣା ଘଟୁଥିବା ନଜରକୁ ଆସୁଛି । ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ରାସ୍ତାକୁ ମରାମତି କରାଯାଉଛି । କିନ୍ତୁ ଗୋଦରା କୋଡେ ଯେତେ ମାଡ଼େ ସେତେ ନ୍ୟାୟରେ କିଛି ଦିନ ପରେ ରାସ୍ତାର ପୁଣି ସେହି ଶୋଚନୀୟ ଅବସ୍ଥା ହୋଇଯାଉଛି । ବର୍ଷା ଦିନରେ ପୁରୁଣା ପୋଲ ଦେଇ ତିନି ଚାରି ଫୁଟରେ ପାଣି ଚାଲିଥାଏ, ଫଳରେ ଘଣ୍ଟା ଘଣ୍ଟା ଧରି ଶହ ଶହ ଗାଡି ଅଟକି ରହିଥାଏ । ଯଦି ସରକାର ୨୨ ବିସ୍ଥାପିତ ପରିବାରଙ୍କୁ ଥଇଥାନ ବ୍ୟବସ୍ଥା କରିବେ ତେବେ ସମସ୍ୟାର ସମାଧାନ ହୋଇ ନୂତନ ପୋଲ କାର୍ଯ୍ୟକ୍ଷମ ହୋଇପାରିବ ବୋଲି କହିଛନ୍ତି ଗ୍ରାମବାସୀ । ସେପଟେ ବୋରିଗୁମ୍ମା ତହସିଲଦାର କହିଛନ୍ତି ବିସ୍ଥାପିତଙ୍କୁ ଖୁବ ଶୀଘ୍ର ଥଇଥାନ କରାଯିବ ଏବଂ ନୂତନ ପୋଲ କାର୍ଯ୍ୟକ୍ଷମ ହେବ । ତେବେ ଦେଖିବାକୁ ବାକି ରହିଲା ପ୍ରଶାସନ ଓ ବିସ୍ଥାପିତଙ୍କ ବିବାଦ କେବେ ତୁଟୁଛି ଓ ନୂତନ ପୋଲ କେବେ କାର୍ଯ୍ୟକ୍ଷମ ହେଉଛି ।

Leave A Reply

Your email address will not be published.