-୫୦ ଏକର ପରିମିତ ପୋଖରୀରୁ ଭାସିଗଲା ଲକ୍ଷାଧିକ ଟଙ୍କାର ମାଛ
କୋଣାର୍କ : କୋଣାର୍କ ଥାନା ଅଧୀନସ୍ଥ ସିମିଳି ଗ୍ରାମପଞ୍ଚାୟତର ମାଟିଆପଡ଼ା, ପଇତାବରାଇ, କଣ୍ଟିଝାଡି ସମେତ ବିଭିନ୍ନ ଗ୍ରାମ ମାନଙ୍କରେ ୨୦ରୁ ଊର୍ଦ୍ଧ୍ବ ମତ୍ସ୍ୟ ଚାଷୀଙ୍କ ୫୦ ଏକରରୁ ଉର୍ଦ୍ଧ୍ବ ପରିମିତ ଜାଗାରେ ଖୋଲା ଯାଇଥିବା ମାଛ ପୋଖରୀରୁ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଜଳମଗ୍ନ ହୋଇ ଲକ୍ଷାଧିକ ଟଙ୍କାର ମାଛ ଭାସିଯାଇଛନ୍ତି । ଫଳରେ ମାଛ ଚାଷ କରି ଜୀବିକା ନିର୍ବାହ କରୁଥିବା ମତ୍ସ୍ୟ ଚାଷୀ ମାନଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲି ଯାଇଛି । ଏହି ଗ୍ରାମପଞ୍ଚାୟତର ମତ୍ସ୍ୟ ଚାଷୀ ପ୍ରଶାନ୍ତ ତ୍ରିପାଠୀ, ଲକ୍ଷ୍ମୀଧର ସାହୁ, ହୃଷିକେଶ ସାହୁ, ଶରତ ବିଶ୍ବାଳ, ସମେତ ୨୦ରୁ ଊର୍ଦ୍ଧ୍ବ ମତ୍ସ୍ୟ ଚାଷୀ ମାନଙ୍କର ମାଛ ପୋଖରୀ ବିପର୍ଯ୍ୟସ୍ତ ହୋଇପଡିଛି । ତୁରନ୍ତ ଏହି ବିପର୍ଯ୍ୟସ୍ତ ଚାଷୀ ମାନଙ୍କୁ ସରକାରୀ ସହାୟତା ପ୍ରଦାନ ପାଇଁ ପୁରୀ ଜିଲ୍ଲାପାଳ ଓ ଜିଲ୍ଲା ମତ୍ସ୍ୟ ଅଧିକାରୀ ଦୃଷ୍ଟି ଦେଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସିମିଳି ଗ୍ରାମପଞ୍ଚାୟତର ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ ଓ ଜନସାଧାରଣ ମାନଙ୍କ ପକ୍ଷରୁ ଦାବୀ ହେଉଛି ।