କୋଭିଡ୍‌ ଭଳି ପ୍ରାଣଘାତୀ ନୁହେଁ ଏଚ୍‌୩ଏନ୍‌୨ ଭୂତାଣୁ

202

ଭୁବନେଶ୍ୱର : ଦେଶର ବିଭିନ୍ନ ସ୍ଥାନରେ ଅଚାନକ ଏଚ୍‌୩ଏନ୍‌୨ ଭାଇରସ୍‌ ମାମଲା ବଢ଼ିବା ପରେ ଲୋକଙ୍କ ମନରେ ଛନକା ପଶିଛି । ଏହି ଇନ୍‌ଫ୍ଲ୍ୟୁଏଞ୍ଜା କେତେ ମାରାତ୍ମକ ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସଂକ୍ରମିତଙ୍କ ପାଖରେ କରୋନା ଭଳି ଲକ୍ଷଣ ଦେଖାଦେଉଥିବାରୁ କୋଭିଡ ମହାମାରୀ ଭଳି ଏହା ପ୍ରାଣଘାତୀ ହେବ କି ବୋଲି ଲୋକେ ଆଶଙ୍କା କରୁଛନ୍ତି । କିନ୍ତୁ ବିଶେଷଜ୍ଞମାନେ ଭିନ୍ନ ମତ ଦେଇଛନ୍ତି । ସେମାନେ କହିଛନ୍ତି ଇନ୍‌ଫ୍ଲ୍ୟୁଏଞ୍ଜା ମାମଲା ବୃଦ୍ଧି ବିଶେଷ ଚିନ୍ତାଜନକ ନୁହେଁ । ଦିଲ୍ଲୀ ଗଙ୍ଗାରାମ ହସ୍ପିଟାଲର ଚିକିତ୍ସକ ଡାକ୍ତର ଧୀରେନ୍‌ ଗୁପ୍ତା କହିଛନ୍ତି ଯେ, ଏହା ସାମାନ୍ୟ ପରିସ୍ଥିତିରେ ମାରାତ୍ମକ ନୁହେଁ । ଅନ୍ୟ ରୋଗରେ ଆକ୍ରାନ୍ତ ଥିଲେ ଯଥା ଡାଇବେଟିସ୍‌, ବ୍ଲଡପ୍ରେସର, ଥାଇସେମିଆ ଆଦି ରୋଗୀ ଏହାଦ୍ୱାରା ସଂକ୍ରମିତ ହୋଇପାରନ୍ତି ।

ଏଥିସହ ଛୋଟ ପିଲାଙ୍କୁ ଏହି ଭୂତାଣୁ ସଂକ୍ରମିତ କରିବା ଆଶଙ୍କା ଅଧିକ ଥାଏ । ଆଣ୍ଟିବଡ଼ି ନଥିଲେ ଇନ୍‌ଫ୍ଲ୍ୟୁଏଞ୍ଜା ମଧ୍ୟ ଆଟାକ୍‌ କରିପାରେ । ଏଚ୍‌୩ଏନ୍‌୨ କେସ୍‌ ବଢ଼ୁଥିଲେ ବି କରୋନା ଭଳି ପରିସ୍ଥିତି ଉପୁଜିବ ନାହିଁ କିମ୍ବା କୌଣସି ବଡ଼ ଲହରର ସମ୍ଭାବନା ନାହିଁ ବୋଲି ଶ୍ରୀ ଗୁପ୍ତା କହିଛନ୍ତି । ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସତର୍କ ସୂଚନା ଜାରି କରି ଇନଫ୍ଲ୍ୟୁଏଞ୍ଜା ଜନିତ ରୋଗ(ଆଇଏଲ୍‌ଆଇ) ଓ ଗୁରୁତର ନିଶ୍ୱାସ ପ୍ରଶ୍ୱାସ ଜନିତ ରୋଗ(ଏସ୍‌ଏଆରଆଇ) ଆକ୍ରାନ୍ତଙ୍କ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦେଶବ୍ୟାପୀ ଇନଫ୍ଲ୍ୟୁଏଞ୍ଜା-ଏ (ଏଚ୍‌୧ଏନ୍‌୧, ଏଚ୍‌୩ଏନ୍‌୨) ସମେତ ଏଡିନୋଭାଇରସ୍‌ ଭଳି ମାମଲା ବୃଦ୍ଧି ପାଉଥିବାରୁ ରାଜ୍ୟଗୁଡ଼ିକ ସତର୍କ ରହିବାକୁ କୁହାଯାଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏ ସଂକ୍ରାନ୍ତରେ ସବୁ ରାଜ୍ୟ ସରକାରଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି । ଗତ ୩ମାସ ହେବ ଓଡ଼ିଶା ସମେତ ଦେଶରେ ଥଣ୍ଡା, ଜ୍ୱରରେ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଦେଶବ୍ୟାପୀ ବିଭିନ୍ନ ପରୀକ୍ଷାଗାରରେ ହୋଇଥିବା ନମୁନା ପରୀକ୍ଷାରେ ଏଚ୍‌୩ଏନ୍‌୨ ଇନଫ୍ଲ୍ୟୁଏଞ୍ଜା ସଂଖ୍ୟା ଅଧିକ ରହିଥିବା ନଜରକୁ ଆସିଛି । ଶିଶୁ, ବୟସ୍କ ବ୍ୟକ୍ତି, ଗର୍ଭବତୀ ମହିଳା ଓ ଜଟିଳ ରୋଗ ଥିବା ଲୋକମାନେ ଏଚ୍‌୧ଏନ୍‌୧, ଏଚ୍‌୩ଏନ୍‌୨ ଓ ଏଡିନୋଭାଇରସ ପ୍ରତି ସମ୍ବେଦନଶୀଳ ରହିବାକୁ ପରାମର୍ଶ ଦିଆଯାଇଛି । ଆଇଏଲ୍‌ଆଇ ଓ ଏସ୍‌ଏଆର୍‌ଆଇରେ ଆକ୍ରାନ୍ତଙ୍କ ବ୍ୟକ୍ତିଙ୍କ ନମୁନା ନିୟମିତ ଭାବେ ପରୀକ୍ଷା କେନ୍ଦ୍ରକୁ ପଠାଇବା ସହ ସତର୍କ ରହିବାକୁ କୁହାଯଇଛି ।

ଦେଶରେ ଯଦିଓ କୋଭିଡ ସଂକ୍ରମଣ ଯଥେଷ୍ଟ ହ୍ରାସ ପାଇଛି ତଥାପି କିଛି ରାଜ୍ୟରେ କୋଭିଡ୍‌ ସଂକ୍ରମଣ ହାରରେ ବୃଦ୍ଧି ଦେଖିବାକୁ ମିଳିଛି । ତେଣୁ ଲୋକମାନେ କୋଭିଡ୍‌ ପାଇଁ ୫ ସୂତ୍ରୀ କାର୍ଯ୍ୟକ୍ରମ ଯଥା ଟେଷ୍ଟ, ଟ୍ରାକ୍‌, ଟ୍ରିଟ୍‌, ଟିକାକରଣ ସହିତ କୋଭିଡ ନିୟମାବଳୀ ପାଳନ କରିବା ଉଚିତ । ଏହାସହିତ ରାଜ୍ୟ ସରକାର କୋଭିଡ-୧୯ ସଂକ୍ରାନ୍ତୀୟ ସଂଶୋଧିତ ନିର୍ଦ୍ଦେଶାବଳୀ ଜାରି କରିବା ଆବଶ୍ୟକ ।

Leave A Reply

Your email address will not be published.