କଟକ: ଚୌଦ୍ୱାର ଚାରିବାଟିଆ ସ୍ଥିତ ଏଆରସି ପରିସରରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଏଆରସି ପରିସର ପଡ଼ିଆରେ ଏହି ନିଆଁ ଲାଗିଛି । ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଂଚି ନିଆଁ ଲିଭାଇବାକୁ ଉଦ୍ୟମ ଜାରୀ ରଖିଛନ୍ତି । ୬ଟି ଦମକଳ ଗାଡି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ରହିଛନ୍ତି । ତେବେ ପଡିଆ ମଧ୍ୟରେ ଶୁୁଖିଲା ଗଛ ଗୁଡିକରେ ନିଆଁ ଲାଗି ଯାଇଥିବାରୁ ଏହା ଅଧିକ ଉଗ୍ର ରୂପ ନେଇଛି ।
ପୂର୍ବାହ୍ନ ପ୍ରାୟ ୧୦ଟା ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିବା ସ୍ଥାନୀୟ ଲୋକଙ୍କ ସୂତ୍ରରୁ ପ୍ରକାଶ । ଚୌଦ୍ୱାର ଚୁଡ଼ଙ୍ଗପୋଖରୀ ଅଂଚଳର ଥିବା ଜନବସତିର ଲୋକମାନେ ପ୍ରଥମେ ଏହା ଦେଖିବା ପରେ ଚୌଦ୍ୱାର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ପ୍ରଥମେ ଚୌଦ୍ୱାର ଅଗ୍ନିଶମ ବାହିନୀର ଏକ ଦମକଳ ଘଟଣାସ୍ଥଳରେ ପହଂଚି ଥିଲା । ପରେ ଏଆରସିର ତିନୋଟି, କଟକରୁ ଆଉ ଦୁଇଟି ଦମକଳ ଘଟଣାସ୍ଥଳରେ ପହଂଚି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ରହିଛନ୍ତି ।
ପ୍ରକାଶ ଥାଉକି, ଗତ ଜାନୁଆରୀ ୨୮ ତାରିଖରେ ମଧ୍ୟ ଅନୁରୂପ ଭାବେ ଏଆରସି ପଡ଼ିଆରେ ନିଆଁ ଲାଗିଥିଲା ।