ବ୍ରହ୍ମପୁରର ପ୍ରସିଦ୍ଧ ବୁଢ଼ୀ ଠାକୁରାଣୀ ଯାତ୍ରା ସ୍ଥଗିତ : ଦୁଇ ଶହ ବର୍ଷର ପରମ୍ପରା ଭଙ୍ଗ

209

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ପ୍ରସିଦ୍ଧ ବୁଢ଼ୀ ଠାକୁରାଣୀ ଯାତ୍ରାକୁ ପ୍ରଶାସନ ପକ୍ଷରୁ ଶେଷ ପର୍ଯ୍ୟାୟରେ ନିଷ୍ପତି କ୍ରମେ ସ୍ଥଗିତ କରାଯାଇଛି । ବ୍ୟାପକ ପ୍ରସ୍ତୁତିମଧ୍ୟରେ ଗତକାଲି ବିଳମ୍ବିତ ରାତିରେ ଯାତ୍ରା ପାଇଁ ଶୁଭ ଖୁଂଟି ସ୍ଥାପନ କାର୍ଯ୍ୟକ୍ରମ ରହିଥିଲା, ତେବେ କରୋନା ସଂକ୍ରମଣ କ୍ରମଶଃ ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ କଟକଣା ମାନି ସ୍ପଳ୍ପ ସମୟ ଅବଧି ମଧ୍ୟରେ (୭ ଦିନ)ରେ ଯାତ୍ରା ଶେଷ କରିବାକୁ ଜିଲ୍ଲା ପ୍ରଶାସନର ନିଷ୍ପତିକୁ ଯାତ୍ରା ପରିଚାଳନା କମିଟି ଏବଂ ଦେଶି ବେହେରା ପି. ଦୂର୍ଗା ପ୍ରସାଦ ଅସାମର୍ଥ୍ୟତା ପ୍ରକାଶ କରିବାରୁ ବିଏମସି କମିଶନର ଠାକୁରାଣୀ ଯାତ୍ରାକୁ ସ୍ଥଗିତ ରଖିଥିବା ଜଣାପଡିଛି ।

ଦେଶି ବେହେରାଙ୍କ କହିବା ଅନୁଯାୟୀ, ୨୧ ଦିନରୁ କମ୍ ଅବଧି ମଧ୍ୟରେ ଯାତ୍ରା ହୋଇପାରିବ ନାହିଁ । ଯାତ୍ରା ଆରମ୍ଭ ହେଲେ ମା ବୁଢ଼ୀ ଠାକୁରାଣୀଙ୍କ ଘଟ ସାହି ପରିକ୍ରମା କରିବା ବିଧି ରହିଛି । ଏହି ବିଧିକୁ ବନ୍ଦ କରାଯାଇପାରିବ ନାହିଁ । ଅନ୍ୟପକ୍ଷରେ ମେଢ଼ ରଥ ଓ କଳାକୁଞ୍ଜ ନଥାଇ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ହେବା ଅସମ୍ଭବ । ତେଣେ ଯାତ୍ରା ହେଲେ ବାହାର ରାଜ୍ୟର ବହୁ ଲୋକ ଆସିବାର ସମ୍ଭାବନା ରହିଥିବାରୁ ସଂକ୍ରମଣ ରୋକିବା ସମ୍ଭବ ହେବ ନାହିଁ ବୋଲି ଶ୍ରୀ ବେହେରା ମତ ଦେଇଛନ୍ତି । ଏହା ପରେ ବ୍ରହ୍ମପୁର ମହାନଗର ନିଗମ (ବିଏମସି) ପକ୍ଷରୁ ଯାତ୍ରା ବନ୍ଦ କରିବାକୁ ନିଷ୍ପତି ନିଆଯାଇଛି । ଆସନ୍ତା ୨୦୨୩ ମସିହାରେ ଏହି ଯାତ୍ରା ହେବ ବୋଲି ସୂଚନା ମିଳିଛି ।

ଅପରପକ୍ଷରେ ଯାତ୍ରା ବନ୍ଦ ହେବା ଶୁଣିବା ପରେ ସ୍ଥାନୀୟ ଜନସାଧାରଣ କ୍ଷୁବ୍ଧ ହେବା ସହ ଯାତ୍ରା କରିବା ପାଇଁ ସ୍ଥାନୀୟ ବିଧାୟକ ବିକ୍ରମ କୁମାର ପଣ୍ଡା ଓ ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ଉପରେ ଚାପ ପକାଇଥିବା ଜଣାପଡିଛି । ଅନ୍ୟପଟେ ବୁଢ଼ୀ ଠାକୁରାଣୀଙ୍କ ମନ୍ଦିର ଉନ୍ନୟନ ପରିଷଦର ଏକ ପ୍ରତିନିଧି ଦଳ ଆସନ୍ତା ସୋମବାର ଦିନ ଭୁବନେଶ୍ୱର ଯାତ୍ରା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଯାତ୍ରାର ଆୟୋଜନ ପାଇଁ ଦାବି ଉପସ୍ଥାପନ କରିବେ ବୋଲି ଜଣାପଡିଛି ।

Leave A Reply

Your email address will not be published.