ସବୁ ପଞ୍ଜିକୃତ ଚାଷୀଙ୍କ ଧାନ କିଣାଯିବ: ଅସନ୍ତୁଷ୍ଟ ବିରୋଧୀଙ୍କ କକ୍ଷତ୍ୟାଗ

154

ଭୁବନେଶ୍ୱର: ଶୁକ୍ରବାର ବି ସ୍ୱାଭାବିକ ଭାବେ ଚାଲିପାରିନି ଗୃହ । ପ୍ରଶ୍ନକାଳରେ ସବୁ ଠିକ୍ ଥିଲା ବେଳେ ଶୂନ୍ୟକାଳ ବେଳକୁ କିନ୍ତୁ ଗୃହ ଚାଲିପାରିନି । ଚାଷୀ ଧାନ କିଣା ପ୍ରସଙ୍ଗରେ ଯୋଗାଣମନ୍ତ୍ରୀ ରଖିଥିବା ଉତ୍ତରକୁ ନେଇ ବିଜେପି ସନ୍ତୁଷ୍ଟ ହୋଇନାହିଁ । ଯାହାକୁ ନେଇ ବିଜେପି ଆଜି କକ୍ଷତ୍ୟାଗ କରିଛି । ସେପଟେ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କୁ ବକ୍ତବ୍ୟ ରଖିବା ପାଇଁ ବାଚସ୍ପତି ଅଧିକ ସମୟ ନ ଦେବାରୁ ଏହା ପ୍ରତିବାଦରେ ଗୃହର ମଧ୍ୟଭାଗରେ କଂଗ୍ରେସ ବିଧାୟକ ମାନେ ଧାରଣା ଦେଇଥିଲେ ।

ଗୃହରେ ଅଚଳାବସ୍ଥା ହେବାରୁ ବାରମ୍ବାର ଗୃହ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି । ପୂର୍ବନିଷ୍ପତ୍ତି ଅନୁଯାୟୀ ପ୍ରଶ୍ନକାଳ ପରେ ଶୂନ୍ୟକାଳ ଆରମ୍ଭରୁ ଗୃହରେ ବିବୃତି ରଖିଥିଲେ ଯୋଗାଣ ମନ୍ତ୍ରୀ । ସେ କହିଥିଲେ ରାଜ୍ୟର ସମସ୍ତ ଯୋଗ୍ୟ ପଞ୍ଜିକୃତ ଚାଷୀଙ୍କ ଠାରୁ ସରକାର ଧାନ କିଣିବେ । ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୁଷ୍ଟ ପ୍ରକାଶ କରି ଗୃହ ତ୍ୟାଗ କରିଥିଲେ ବିଜେପି ବିଧାୟକ । ମନ୍ତ୍ରୀଙ୍କ ଉତ୍ତର ପରେ ବିରୋଧୀଦଳ ନେତା ଗୃହକୁ ଆସି କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଯେଉଁ ପ୍ରତିଶୃତି ପାଇଥିଲୁ ଯୋଗାଣମନ୍ତ୍ରୀଙ୍କ ଉତ୍ତରରେ ତାହା ପ୍ରତିଫଳିତ ହେଲା ନାହିଁ । ଏହାକୁ ନେଇ ପୁଣି ଗୃହରେ ଆରମ୍ଭ ହୋଇଥିଲା ହଙ୍ଗାମା ।

କଂଗ୍ରେସ ବିଧାୟକଦଳ ନେତା ନରସିଂହ ମିଶ୍ର ଗତକାଲିର ବିଜେପି ବିଜେଡି ରାଲି ପ୍ରସଙ୍ଗ ଉଠାଇ ଉଭୟ ଦଳକୁ ଆକ୍ଷେପ କରିଥିଲେ । ତେବେ ବାଚସ୍ପତି, ନରସିଂହ ମିଶ୍ରଙ୍କୁ କହିବାକୁ ଅଧିକ ସମୟ ନଦେବାରୁ ଏହା ପ୍ରତିବାଦରେ କଂଗ୍ରେସ ସଦସ୍ୟ ଗୃହ ଭିତରେ ଧାରଣା ଦେଇଥିଲେ । ଫଳରେ ବାଚସ୍ପତି ଗୃହକୁ ଦିନ ୪ଟା ଯାଏ ମୁଲତବୀ କରି ସର୍ବଦଳୀୟ ବୈଠକ ଡାକିଥିଲେ ବି ବିଜେପି ସଦସ୍ୟ ଯୋଗ ଦେଇନଥିଲେ । ଅପରାହ୍ନ ୪ଟାରେ ବି ଗୃହରେ ସମାନ ସ୍ଥିତି ଦେଖିବାକୁ ମିଳିଥିଲା ।

ମୁହଁରେ କଳାପଟି ପିନ୍ଧି ବାଚସ୍ପତିଙ୍କ ପୋଡିୟମ ନିକଟରେ ଧାରଣାରେ ବସିଥିଲେ ବିଜେପି ସଦସ୍ୟ । ନରସିଂହ ମିଶ୍ର କହିଥିଲେ ତାଙ୍କ ମନ୍ତବ୍ୟ କାହାକୁ ଆକ୍ଷେପ ପାଇଁ ନୁହେଁ ବରଂ ରାଜନୈତିକ । ଗୃହ ବାହାରେ ଆମେ ସମସ୍ତେ ଭାଇଭାଇ ବୋଲି ବିବୃତି ଦେଇଥିଲେ ନରସିଂହ । ସଂସଦୀୟ ମନ୍ତ୍ରୀଙ୍କ ତରଫରୁ ଅର୍ଥମନ୍ତ୍ରୀ କହିଥିଲେ ସମସ୍ତେ ଲୋକଙ୍କ ଭୋଟ ଜିତି ବିଧାନସଭାକୁ ଆସିଛନ୍ତି ।

ତେଣୁ ଲୋକଙ୍କ ପ୍ରସଙ୍ଗ ଆଲୋଚନା ହେବା ଜରୁରୀ । ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଅଭିଯୋଗ କରିଥିଲେ,ବିଜେପି ଓ କଂଗ୍ରେସର ଗଣ୍ଡଗୋଳ ପାଇଁ ଗୃହ ଆଚଳ ହେଉଛି । ଏହାପରେ ପୁଣି ବାଚସ୍ପତି ଗୃହକୁ ମୁଲତବୀ କରି ଆଉଥରେ ସର୍ବଦଳୀୟ ବୈଠକ ଡାକିଥିଲେ । ବିରୋଧୀ ଶାସକଙ୍କ ଭିତରେ ଛକାପଞ୍ଛା ପାଇଁ ବିଧାନସଭା ବାରମ୍ବାର ଅଚଳ ହେଉଛି । ଆଉ ଆଜିକୁ ୭ ଦିନ ହେଲା ବିଧାନସଭା ଚାଲିପାରୁନି । କେବଳ ରାଜନୈତିକ ଫାଇଦା ଓ ପତିଆରା ପାଇଁ ଏଭଳି ସ୍ଥିତି ଉପୁଜିଛି ।

Leave A Reply

Your email address will not be published.