-ଚାଳକ ଗୁରୁତର ଅବସ୍ଥାରେ ଉଦ୍ଧାର
ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ୧୬ ନମ୍ବର ଜାତୀୟ ରାଜପଥର ସୁବୁଦ୍ଧିପାଟଣା ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି । ଏହି ଦୁର୍ଘଟଣାରେ ଜଣେ ଟ୍ରକ୍ ଚାଳକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି ।
ସୂଚନା ମୁତାବକ, ରାଉରକେଲା କଇଡ଼ାରୁ ଆଇରନ ବୋଝେଇ କରି ଏକ ଟ୍ରକ୍ ନଂ (ଓଡ଼ି-୦୯-ସି-୪୫୧୫) ବ୍ରହ୍ମପୁର ଗୋପାଳପୁର ଅଭିମୁଖେ ଯାଉଥିଲା । ସୁବୁଦ୍ଧିପାଟଣା ଛକ ନିକଟରେ ଟ୍ରକଟିର ଚକା ଫାଟିଯିବାରୁ ଟ୍ରକ୍ ଚାଳକ ଗାଡିକୁ ସେଠାରେ ଠିଆ କରିଥିଲେ। ତେବେ ଅ।ଜି ଭୋର୍ ପ୍ରାୟ ୫ଟା ସମୟରେ ଭୁବନେଶ୍ୱର ଆଡୁ ଆନ୍ଧ୍ର ପ୍ରଦେଶ ଯାଉଥିବା ଏକ ବାଲି ବୋଝେଇ ଟ୍ରକ୍ ନଂ (ଏପି-୩୧-ଟିଜି-୯୫୬୯) ଭାରସାମ୍ୟ ହରାଇ ପୂର୍ବରୁ ଛିଡା ହୋଇଥିବା ଆଇରନ ବୋଝେଇ ଟ୍ରକଟିକୁ ପଛପଟୁ ଶକ୍ତ ଧକ୍କା ଦେଇଥିଲା । ଫଳରେ ବାଲି ବୋଝେଇ ଟ୍ରକ୍ ଚାଳକ ଟ୍ରକ୍ ମଧ୍ୟରେ ଚାପି ହୋଇ ରହିଥିଲେ । ଖବର ପାଇ ଦୁର୍ଘଟଣାସ୍ଥଳରେ ବାଲୁଗାଁ ଅଗ୍ନିଶମ ବାହିନୀ ପହଞ୍ଚି ଟ୍ରକ୍ ଚାଳକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ । ନାଭାଲ ଫାଣ୍ଡି ଅଧିକାରୀ ଦିଲୀପ ସାହୁ ମଧ୍ୟ ସଦଳବଳେ ଦୁର୍ଘଟଣାସ୍ଥଳରେ ପହଞ୍ଚି ଗାଡି ଚାଳକଙ୍କୁ ଉଦ୍ଧାର କରିବାରେ ଲାଗିପଡିଥିଲେ। ବହୁ ଚେଷ୍ଟା ପରେ ଗାଡିକୁ ଗ୍ୟାସ୍ କଟରରେ କଟାଯାଇ ଚାଳକଙ୍କୁ ଗାଡି ଭିତରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଥିଲା । ତାଙ୍କୁ ଚିକିତ୍ସା ନିମନ୍ତେ ହସ୍ପିଟାଲକୁ ପଠାଯାଇଛି । ଏହାପରେ ନାଭାଲ ଫାଣ୍ଡି ପୋଲିସ ଜାତୀୟ ରାଜପଥରୁ ଟ୍ରାଫିକ୍ ସମସ୍ୟା ଦୂର କରୁଥିବା ଦେଖାଯାଇଛି ।