ଭୁବନେଶ୍ୱର: ଲକ୍ଡାଉନ୍ କଟକଣାକୁ କୋହଳ କଲେ ରାଜ୍ୟ ସରକାର । ଜୁଲାଇ ପହିଲା ଯାଏଁ ରାଜ୍ୟରେ ଲାଗୁ ହେବ ଆଂଶିକ ଲକ୍ଡାଉନ୍ । ଲକ୍ଡାଉନ୍ ଓ ସଟ୍ଡାଉନ୍ ନେଇ ରାଜ୍ୟ ସରକାର ବୁଧବାର ବଡ଼ ଘୋଷଣା କରିଛନ୍ତି । କରୋନା ସଂକ୍ରମଣ ପାଇଁ ରାଜ୍ୟରେ ଲାଗୁ ହୋଇଥିବା ଲକ୍ଡାଉନ୍ କଟକଣା ପୂର୍ବ ଅପେକ୍ଷା ଅଧିକ କୋହଳ ହୋଇଛି । କଟକଣା ନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି, ରାଜ୍ୟରେ ଆସନ୍ତା ୧୪ ଦିନ ପାଇଁ ଆଂଶିକ ଲକଡାଉନ ଲାଗୁ କରାଯାଇଛି । ଏହା ଆସନ୍ତାକାଲି ସକାଳ ୫ଟା ଠାରୁ ଜୁଲାଇ ୧ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ଲାଗୁ ରହିବ ।
ମୁଖ୍ୟ ଶାସନ ସଚିବ କହିଛନ୍ତି, ରାଜ୍ୟ ସରକାର ଏହି ଆଂଶିକ ଲକଡାଉନକୁ ୨ଟି ବର୍ଗରେ ଭାଗ କରିଛନ୍ତି । ସଂକ୍ରମଣ ହାର ୫ ପ୍ରତିଶତରୁ କମ୍ ଥିବା ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା ୧୭ ଜିଲ୍ଲାମାନଙ୍କୁ A ବର୍ଗରେ ରଖାଯାଇଥିବା ବେଳେ ଅନ୍ୟ ୧୩ଟି ଜିଲ୍ଲାକୁ B ବର୍ଗରେ ରଖାଯାଇଛି । ସୁନ୍ଦରଗଡ଼, ବଲାଙ୍ଗୀର, ସୁବର୍ଣ୍ଣପୁର, ଗଂଜାମ, ଗଜପତି, କୋରାପୁଟ, ରାୟଗଡ଼ା, ନବରଂଗପୁର, ମାଲକାନଗିରି, କନ୍ଧମାଳ, ବୌଦ୍ଧ, ସମ୍ବଲପୁର, ବରଗଡ଼, ଦେବଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, ନୂଆପଡ଼ା ଆଦି ୧୭ଟି ଜିଲ୍ଲାରେ କୋଭିଡ ସଂକ୍ରମଣ ହ୍ରାସ ପାଇଛି । ତେଣୁ ରାଜ୍ୟ ସରକାର ଏହି ଜିଲ୍ଲା ଗୁଡ଼ିକରେ ଲକଡାଉନକୁ ଅଧିକ କୋହଳ କରିଛନ୍ତି । ଏହି ସବୁ ଜିଲ୍ଲାଗୁଡ଼ିକରେ ସକାଳ ୬ଟା ଠାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ ଖୋଲା ରହିବ । ରାଜ୍ୟ ସରକାର ମୟୂରଭଂଜ, ବାଲେଶ୍ୱର, ଭଦ୍ରକ, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, ଢେଙ୍କାନାଳ, ଅନୁଗୁଳ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାରେ ସକାଳ ୬ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରଖିବା ପାଇଁ ଆଦେଶ ଦେଇଛନ୍ତି । ଏହି ସମୟ ମଧ୍ୟରେ ଆବଶ୍ୟକ ସାମଗ୍ରୀ ବିକ୍ରି ହେଉଥିବା ଦୋକାନ ଗୁଡ଼ିକ ଖୋଲା ରହିବ ।
ରାଜ୍ୟର ସମସ୍ତ ଜିଲ୍ଲାରେ ବ୍ୟାଙ୍କିଂ, ଶିଳ୍ପ ସଂସ୍ଥା, ମତ୍ସ୍ୟ ଓ ପଶୁପାଳନ, ହୋମ୍ ଡେଲିଭେରୀ , ପେଟ୍ରୋଲ ପମ୍ପ, ଟେଲିକମ୍ ସେବା କାର୍ଯ୍ୟ ଜାରି ରହିବ । ବିଭିନ୍ନ ନିର୍ମାଣ କାର୍ଯ୍ୟ ଏବଂ ଏଥିସହିତ ସମ୍ପୃକ୍ତ ଦୋକାନ ଖୋଲା ରହିବ । ଇଲେକ୍ଟ୍ରିକାଲ ଦୋକାନ ମଧ୍ୟ ଖୋଲା ରହିବ । ମାଲ ପରିବହନ କରୁଥିବା ଗାଡ଼ି ଚଳାଚଳ କରିବ । ପ୍ରଥମ ଥର ପାଇଁ ଦୁଗ୍ଧ ଚାଷୀଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ମିଠା ଦୋକାନ ଖୋଲିବାକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ସପ୍ତାହାନ୍ତ ସଟ୍ଡାଉନ ବଳବତ୍ତର ରହିବ । ବାହାଘର ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ବନ୍ଦ ରହିବ । ମନ୍ଦିର ବନ୍ଦ ରହିବ କିନ୍ତୁ ନୀତିକାନ୍ତି ଚାଲୁ ରହିବ । ଯାତ୍ରା ଏବଂ ଆଉଟ୍ ଡୋର୍ ସୁଟିଂ ବନ୍ଦ ରହିବ । ଟିକାକରଣ ଓ ନମୁନା ପରୀକ୍ଷାକୁ ଗୁରୁତ୍ୱ ଦିଆଯାଇଛି ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି । ଜନସାଧାଣରଙ୍କ ଜୀବନ ଏବଂ ଜୀବିକାକୁ ଆଖି ଆଗରେ ରଖି ରାଜ୍ୟ ସରକାର ନିଷ୍ପତ୍ତିି ନେଇଛନ୍ତି ।