ବଳଦେବ ହାଇସ୍କୁଲ ସାଂସଦଙ୍କ ପୋଷ୍ୟ ସ୍କୁଲ ଭାବେ ଗୃହୀତ

197

କେନ୍ଦ୍ରାପଡା : କେନ୍ଦ୍ରାପଡାର ବଳଦେବ ହାଇସ୍କୁଲକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଛନ୍ତି କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି । ୧୯୫୬ ମସିହାରେ ସ୍ଥାପିତ ତଥା ରାଜ୍ୟର ପୁରାତନ ହାଇସ୍କୁଲ ମଧ୍ୟରେ ଅନ୍ୟତମ ବଳଦେବ ହାଇସ୍କୁଲକୁ ପୋଷ୍ୟ ସ୍କୁଲ ଭାବରେ ଗ୍ରହଣ କରି ସ୍କୁଲର ସମସ୍ତ ଆନୁସଂଗିକ ଉନ୍ନୟନ କରିବାକୁ ଘୋଷଣା କରିଛନ୍ତି ସାଂସଦ ଶ୍ରୀ ମହାନ୍ତି । ଏଥିସହିତ ଏ ସମ୍ପର୍କରେ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ବିଭାଗକୁ ଅବଗତ କରାଇବେ ବୋଲି କହିଛନ୍ତି ସାଂସଦ ଶ୍ରୀ ମହାନ୍ତି । ଗତ ଫନି ବାତ୍ୟାରେ ସେହି ସ୍କୁଲର ୬ଟି ଶ୍ରେଣୀଗୃହ ସମେତ ଗୋଟିଏ ହଲ ସଂପୂର୍ଣ୍ଣ ଭାଙ୍ଗି ଯାଇଥିଲା । ଫଳରେ ସ୍କୁଲର ପାଠପଢାରେ ବହୁ ଅସୁବିଧା ସୃଷ୍ଟି ହେଉଥିଲା ।

ଆଜି ସାଂସଦ ଶ୍ରୀ ମହାନ୍ତି ବଳଦେବ ଉଚ୍ଚ ବିଦ୍ୟାଳୟରେ ପହଁଚି ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ସୁଜାତା ନାୟକଙ୍କ ସମେତ ସ୍କୁଲର ପୁରାତନ ଛାତ୍ରସଂସଦର ସଦସ୍ୟ ତଥା ପୂର୍ବତନ ପୈାରପାଳ ଧିରେନ କୁମାର ସାହୁଙ୍କ ସହିତ ସ୍କୁଲର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିବା ପରେ ବଳଦେବ ହାଇସ୍କୁଲକୁ ଜିଲ୍ଲାର ଏକ ମଡେଲ ସ୍କୁଲରେ ପରିଣତ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ସାଂସଦ । ଏଥିନିମନ୍ତେ ବୈଷୟିକ ପରାମର୍ଶଦାତ୍ତାଙ୍କ ସହ ପରାମର୍ଶ କରି ସ୍କୁଲର ଶ୍ରେଣୀଗୃହ ଗୁଡିକୁ ଅତ୍ୟାଧୁନିକ ଶୈଳିରେ ନିର୍ମାଣ କରାଯିବା ସହ ଖେଳପଡିଆର ଉନ୍ନତି, ନୂତନ ଡେସ୍କେବେଞ୍ଚ, ଡିଜିଟାଲ ସିଷ୍ଟମରେ ଶିକ୍ଷାଦାନ ଓ ସ୍କୁଲ ପରିବେଶକୁ ସରସ ସୁନ୍ଦର କରାଯିବା ଭଳି ସମସ୍ତ ବ୍ୟବସ୍ଥା କରାଯିବ ବୋଲି ସାଂସଦ ଶ୍ରୀ ମହାନ୍ତି କହିଛନ୍ତି ।

ଏହି କାର୍ଯ୍ୟକ୍ରମରେ ପୁରାତନ ଛାତ୍ର ରେବତୀରମଣ ଦାସ, ରଞ୍ଜିିତ ସାହୁ, ଜିଲ୍ଲା ଛାତ୍ର ବିଜେଡି ସଭାପତି ପ୍ରଦୀପ କୁମାର ସାହୁ, ଗୋପାଳକୃଷ୍ଣ ଜେନା, ଶିକ୍ଷକ ନୃସିଂହ ଚରଣ ତ୍ରିପାଠୀଙ୍କ ସମେତ ସ୍କୁଲର ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.