ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କଲେ ବଲିଉଡ଼୍ ଅଭିନେତ୍ରୀ କଙ୍ଗନା ରନାୱତ

153
ପୁରୀ: ବଲିଉଡ଼୍ ଅଭିନେତ୍ରୀ କଙ୍ଗନା ରନାୱତ ଆଜି ସକାଳେ ଶ୍ରୀକ୍ଷେତ୍ରରେ ପହଂଚି ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତିଙ୍କ ଦର୍ଶନ କରି ଫେରିଛନ୍ତି । ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପହଂଚିବା ସମୟରେ ସିଂହାରୀ ସେବାୟତ ମଧୁସୂଦନ ସିଂହାରୀ ତାଙ୍କୁ ପ୍ରଥମେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଶ୍ରୀମନ୍ଦିର ଭିତରକୁ ପାଛୋଟି ନେଇଥିଲେ । ସେ ପତିତପାବନଙ୍କୁ ଦର୍ଶନ କରିବା ପରେ ବାଇଶି ପାହଚ ଓ ସାତ ପାହଚ ଦେଇ ଶ୍ରୀ ଜଗନ୍ନାଥଙ୍କ ମଙ୍ଗଳ ଆଳତୀ ଦର୍ଶନ କରିଥିଲେ । ପୂର୍ବ ନିଷ୍ପତି ତଥା ଘୋଷଣା ମୁତାବକ, ଆଜି ଶ୍ରୀମନ୍ଦିର ଆସି ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି କଙ୍ଗନା ।
ଦର୍ଶନ ପରେ ଗଣମାଧ୍ୟମ ସାମ୍ନାରେ ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଅତି ସୁନ୍ଦର ଭାବରେ ମୁଁ ମହାପ୍ରଭୁଙ୍କ ଦର୍ଶନ କଲି, ସେଥିପାଇଁ ମୁଁ ବେଶ୍ ଖୁସି । ବର୍ଷ ଆରମ୍ଭରୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ ପାଇଁ ମୋର ପ୍ରବଳ ଇଚ୍ଛା ରହିଥିଲା । ମୁଁ ମଧ୍ୟ ଭଗବାନଙ୍କ ନିକଟରେ ଏନେଇ ପ୍ରାର୍ଥନା କରିଥିଲି, ଯେପରି ଚଳିତ ବର୍ଷ ମୁଁ ଜଗନ୍ନାଥଙ୍କୁ ଦର୍ଶନ କରିପାରିବି । ଯାହା ହେଉ ଏହା ମୋ ପାଇଁ ଅତି ସୌଭାଗ୍ୟର କଥା ଯେ, ମୁଁ ଆଜି ଚତୁର୍ଦ୍ଧାମୂର୍ତିଙ୍କ ଦର୍ଶନ କରିପାରିଛି । ସମସ୍ତଙ୍କ ସୁଖ ଶାନ୍ତି ପାଇଁ ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା ମଧ୍ୟ କରିଛି । ବିଶ୍ୱରେ ଶାନ୍ତି ବିରାଜମାନ କରୁ । ସମସ୍ତଙ୍କ ପାଇଁ ଚଳିତ ସୁଖ ଓ ସମୃଦ୍ଧିର ବର୍ଷ ହେଉ, ଏହା ହିଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛି ।
ଏହି ଅବସରରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅଧିକାରୀ ମାନେ ଉପସ୍ଥିତ ରହି ତାଙ୍କୁ ସ୍ୱାଗତ କରିଥିଲେ । ସେବାୟତ ମାନେ ମଧ୍ୟ ଉପସ୍ଥିତ ରହିଥିଲେ । ସିଂହାରୀ ସେବାୟତ ମଧୁସୂଦନ ସିଂହାରୀ ତାଙ୍କୁ ସ୍ୱାଗତ କରିବା ସହ ଶ୍ରୀଜୀଉଙ୍କ ସୁନାବେଶର ଏକ ଫଟୋଚିତ୍ର ତାଙ୍କୁ ପ୍ରଦାନ କରିଛନ୍ତି ।
ଏହାପରେ କଙ୍ଗନା ଦିଲ୍ଲୀ ପ୍ରତ୍ୟାବର୍ତନ କରିବାର କାର୍ଯ୍ୟକ୍ରମ ରହିଛି ।
Leave A Reply

Your email address will not be published.