ସି-ଭୋଟର ସର୍ଭେ: ନବୀନ ପୁଣି ନମ୍ବର ୱାନ୍
ନୂଆଦିଲ୍ଲୀ: ଦେଶର ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନବୀନ ପଟ୍ଟନାୟକ । ସି-ଭୋଟର ଓ ଏବିପି ଦେଶ୍ କା ମୁଡ୍ ସର୍ଭେରୁ ଏହା ଜଣାପଡ଼ିଛି । ପ୍ରାୟ ୩୧ଜଣ ମୁଖ୍ୟମନ୍ତ୍ରୀଙ୍କୁ ନେଇ ହୋଇଥିବା ସର୍ଭେରେ ସମସ୍ତଙ୍କୁ ପଛରେ ପକାଇଛନ୍ତି ନବୀନ । ସର୍ଭେ ଅନୁସାରେ ଦେଶର ଶ୍ରେଷ୍ଠ ୧୦ ମୁଖ୍ୟମନ୍ତ୍ରୀ ତାଲିକାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ହୋଇଛନ୍ତି । ନବୀନଙ୍କ ପରେ ଦ୍ୱିତୀୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ତୃତୀୟରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀ, ଚତୁର୍ଥରେ କେରଳ ମୁଖ୍ୟମନ୍ତ୍ରୀ, ପଞ୍ଚମରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଷଷ୍ଠରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ସିଂହ ବାଘେଲ, ସପ୍ତମରେ ପଶ୍ଚିମବଙ୍ଗର ମମତା ବାନାର୍ଜୀ, ଅଷ୍ଟମରେ ମଧ୍ୟପ୍ରଦେଶର ସିଏମ୍ ଶିବରାଜ ସିଂହ ଚୌହ୍ୱାନ, ନବମରେ ଗୋଆ ସିଏମ୍ ପ୍ରମୋଦ ସାୱନ୍ତ ଏବଂ ଦଶମରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନି ରହିଛନ୍ତି । ଜାତୀୟ ଗଣମାଧ୍ୟମ ଏବିପି ନ୍ୟୁଜ୍ ଓ ସି-ଭୋଟର ସର୍ଭେରେ ଏହି ରିପୋର୍ଟ ପ୍ରକାଶ କରିଛି ।
ସେହିପରି କେନ୍ଦ୍ରରେ ନରେନ୍ଦ୍ର ମୋଦୀ ସରକାରରେ କେଉଁ ରାଜ୍ୟର ଲୋକମାନେ କେତେ ଖୁସି? ଏହାର ଉତ୍ତରରେ ୬୬ ପ୍ରତିଶତ ଲୋକ ସାରା ଦେଶରେ ଖୁସି ଥିବାବେଳେ ୩୦ପ୍ରତିଶତ ଅସନ୍ତୁଷ୍ଟ ଏବଂ ୪ ପ୍ରତିଶତ ଲୋକ କିଛି କହିପାରିବେ ନାହିଁ ବୋଲି ସର୍ଭେରୁ ଜଣାପଡ଼ିଛି । ତେବେ କେନ୍ଦ୍ର ସରକାରର କାମରେ ଓଡିଶାର ଲୋକମାନେ ଅଧିକ ଖୁସି । ଓଡ଼ିଶାର ୯୧ ପ୍ରତିଶତ ଲୋକ କେନ୍ଦ୍ର କାମରେ ଖୁସି ଅଛନ୍ତି । ସେହିପରି ପଞ୍ଜାବର ୬୪ପ୍ରତିଶତ ଲୋକ ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି । ଏହି ସର୍ଭେରେ ଦେଶର ସମସ୍ତ ୫୪୩ ଲୋକସଭା ଆସନରୁ ଲୋକମାନେ ଅଂଶଗ୍ରହଣ କରିଛନ୍ତି । ଏହି ସର୍ଭେରେ ୩୦ହଜାରରୁ ଅଧିକ ଲୋକ ଜଡିତ ଅଛନ୍ତି । ଗତ ୧୨ସପ୍ତାହ ମଧ୍ୟରେ ସର୍ଭେ ପ୍ରଶ୍ନର ଉତ୍ତର ନିଆଯାଇଛି । ତେବେ ସର୍ଭେରେ ପାଞ୍ଚଜଣ ଖରାପ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାୱତ ଏକ ନମ୍ବରରେ ଥିବା ବେଳେ ଦ୍ୱିତୀୟ ସ୍ଥାନରେ ହରିଆଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ତୃତୀୟରେ ପଞ୍ଜାବର କ୍ୟାପଟେନ୍ ଅମରିନ୍ଦର ସିଂ, ଚତୁର୍ଥରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ଏବଂ ପଞ୍ଚମରେ ତାମିଲନାଡୁର ସିଏମ୍ ପଲାନି ସ୍ୱାମୀ ରହିଛନ୍ତି ।