କରୋନା ବିରୋଧୀ ନିର୍ଣ୍ଣାୟକ ଲଢ଼େଇ: ଆଜି ମେଗା ଟିକାକରଣ, ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

142

-କରୋନା ବିରୋଧୀ ନିର୍ଣ୍ଣାୟକ ଲଢ଼େଇ

-ଦିନ ୧୦.୩୦ରେ ଶୁଭାରମ୍ଭ କରିବେ ମୋଦୀ

-ଲୋକାର୍ପିତ ହେବ କୋ-ୱିନ୍ ଆପ୍

-ପ୍ରଥମଦିନ ୩ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ ଟିକା

-ମହାଯୁଦ୍ଧ ଉପରେ ସାରାବିଶ୍ୱର ନଜର

-ପ୍ରତ୍ୟେକ କେନ୍ଦ୍ରରେ ୧୦୦ଜଣଙ୍କୁ ଟିକାକରଣ

ନୂଆଦିଲ୍ଲୀ: ଶନିବାର ଦେଶରେ ଆରମ୍ଭ ହେବାକୁ ଯାଉଛି ବିଶ୍ୱର ସବୁଠୁ ବଡ଼ ଟିକାକରଣ ଅଭିଯାନ । ମାନବ ସଭ୍ୟତା ପ୍ରତି ସଂକଟ ସୃଷ୍ଟି କରିଥିବା କରୋନା ମହାମାରୀ ବିରୋଧରେ ଭାରତର ଏହି ମହାଲଢ଼େଇ ଉପରେ ସାରା ବିଶ୍ୱର ନଜର ରହିଛି । କାରଣ ଉଭୟ ଗୋଳିକ ଓ ଜନସଂଖ୍ୟା ଦୃଷ୍ଟିରୁ ବିଶାଳ ଭାରତରେ ସମୂହ ଟିକାକରଣ ଏକ ବଡ଼ ଆହ୍ୱାନ । ଏହି ଆହ୍ୱାନକୁ ସାମ୍ନା କରିବା ପାଇଁ କାଲି ସାରା ଦେଶର ୩୦୦୬ଟି କେନ୍ଦ୍ରରେ ପ୍ରଥମ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବାକୁ ଯାଉଛି । ଦିନ ୧୦.୩୦ଟାରେ ଏହାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦେଶର ବିଭିନ୍ନ ସ୍ଥାନରେ ଗୋଟିଏ ସମୟରେ ଟିକାକରଣ ଆରମ୍ଭ ହେବ । ଟିକାକରଣରେ ସାମିଲ୍ ହୋଇଥିବା ସ୍ୱାସ୍ଥ୍ୟକର୍ମୀଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ । ପ୍ରଥମ ଦିନ ୩୦୦୬ଟି ସାଇଟ୍ରେ ୩ଲକ୍ଷ ଲୋକଙ୍କୁ ଟିକା ଦିଆଯିବ । ପ୍ରତି ସାଇଟିରେ ୧୦୦ଜଣଙ୍କୁ ଭ୍ୟାକ୍ସିନ୍ ଦିଆଯିବ ବୋଲି ଚୂଡ଼ାନ୍ତ ହୋଇଛି ।

କିଏ ନେବେ ନାହିଁ କରୋନା ଟିକା

ପ୍ରଥମ ପର୍ଯ୍ୟାୟରେ ଉଭୟ ସରକାରୀ ଓ ବେସରକାରୀ ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ସହ ଅଙ୍ଗନବାଡ଼ି କର୍ମୀଙ୍କ ଟିକାକରଣ ପାଇଁ ସ୍ଥିର ହୋଇଛି । କିନ୍ତୁ କେଉଁମାନେ ଟିକା ନେବେ ନାହିଁ ସେଥିନେଇ ମଧ୍ୟ କେନ୍ଦ୍ର ସରକାର ଗାଇଡ୍ଲାଇନ୍ ଜାରି କରିଛନ୍ତି ।

– ୧୮ ବର୍ଷରୁ କମ୍ ବୟସ୍କ
– ଗର୍ଭବତୀ ମହିଳା
– ସ୍ତନ୍ୟପାନ କରାଉଥିବା ମା’
– ଅସୁସ୍ଥ ବ୍ୟକ୍ତି
– ୧୪ଦିନ ଭିତରେ ଟିକା ନେଇଥିବା ବ୍ୟକ୍ତି
– କୋଭିଡ୍ ଲକ୍ଷଣ ଥିଲେ

ଓଡ଼ିଶା ତୟାର୍

-୧ଲକ୍ଷ ୯୨ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ଭ୍ୟାସିନେସନ୍ ଲକ୍ଷ୍ୟ

ଆଉ କେଇ ଘଣ୍ଟାର ଅପେକ୍ଷା । ପ୍ରତୀକ୍ଷାର ଅନ୍ତ ହେବାକୁ ଯାଉଛି । କରୋନା ମହାମାରୀ ବିରୋଧରେ ଆରମ୍ଭ ହେବ ସବୁଠୁ ବଡ଼ ଟିକାକରଣ ଅଭିଯାନ । ଏହି ଅଭିଯାନ ପାଇଁ ଓଡ଼ିଶା ସମ୍ପୂର୍ଣ୍ଣ ପ୍ରସ୍ତୁତ । ରାଜ୍ୟର ୧୬୧ଟି ଭ୍ୟାକ୍ସିନ୍ କେନ୍ଦ୍ରରେ ଟିକାକରଣ କାର୍ଯ୍ୟ ଅନୁଷ୍ଠିତ ହେବ । ଏଥିପାଇଁ ଟିକାକରଣ କେନ୍ଦ୍ରରେ ପହଞ୍ôଚସାରିଛି କୋଭିଡ୍ ଟିକା ଓ ସ୍ୱାସ୍ଥ୍ୟକର୍ମୀଙ୍କ ତାଲିକା । ପ୍ରଥମ ପର୍ଯ୍ୟାୟରେ ୧ଲକ୍ଷ ୯୨ହଜାର ୫୫୫ଜଣଙ୍କୁ କୋଭିଡ୍ ଟିକା । ଆସନ୍ତାକାଲି ଗୋଟିଏ ଦିନରେ ୧୬ହଜାରରୁ ଉଦ୍ଧ୍ୱର୍ ସ୍ୱାସ୍ଥ୍ୟକର୍ମୀଙ୍କ ଟିକାକରଣ ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । କେବଳ ଭୁବନେଶ୍ୱରରେ କୋଭାକ୍ସିନ୍ ଓ ରାଜ୍ୟର ଅନ୍ୟସବୁ ସ୍ଥାନରେ କୋଭିସିଲ୍ଡ ଟିକା ଦିଆଯିବ ।
କେଉଁମାନଙ୍କୁ ଟିକା ମନା ସେଥିନେଇ ଜାରି ହୋଇଛି ଗାଇଡ୍ଲାଇନ୍ । ଗର୍ଭବତୀ ମହିଳା, ସ୍ତନ୍ୟପାନ କରାଉଥିବା ମା’, ଅସୁସ୍ଥ ବ୍ୟକ୍ତି, ହସ୍ପିଟାଲରେ ଚିକିତ୍ସାଧୀନ ରୋଗୀ ଓ ୧୮ବର୍ଷରୁ କମ୍ ପିଲାଙ୍କୁ ଟିକା ଦିଆଯିବ ନାହିଁ ।
ସେହିପରି କୋଭିଡ୍ ଲକ୍ଷଣ ଥିଲେ ଏବଂ ୧୪ଦିନ ଭିତରେ କୌଣସି ଟିକା ନେଇଥିଲେ ସେମାନେ ଟିକା ନେବେ ନାହିଁ ବୋଲି ଗାଇଡ୍ଲାଇନ୍ରେ କୁହାଯାଇଛି । ଅନ୍ୟପକ୍ଷରେ ଟିକାକୁ ନେଇ କିଛି ସ୍ୱାସ୍ଥ୍ୟକର୍ମୀଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହେଉଥିବା ଜଣାପଡ଼ିବା ପରେ ଏଥିନେଇ ଡିଏମ୍ଇଟି କହିଛନ୍ତି ଦୁଇଟି ଯାକ ଭ୍ୟାକ୍ସିନ୍ ସମ୍ପୂର୍ଣ୍ଣ ସୁରକ୍ଷିତ । ରାଜ୍ୟକୁ କୋଭାକ୍ସିନ୍ ଓ କୋଭିସିଲ୍ଡର ମୋଟ ୪ଲକ୍ଷ ୨୮ହଜାର ଟିକା ଆସିଛି । ସବୁ ଜିଲ୍ଲାକୁ କୋଭିଡ୍
ଟିକା ପହଞ୍ଚି ସାରିଛି ।

ରାଜ୍ୟର ସବୁଠୁ ଅଧିକ ପ୍ରଭାବିତ ଜିଲ୍ଲା ଥିଲା ଖୋର୍ଦ୍ଧା ଓ ହଟ୍ସ୍ପଟ୍ ଥିଲା ଭୁବନେଶ୍ୱର । ଭୁବନେଶ୍ୱରର ୬ଟି ହସ୍ପିଟାଲରେ ହେବ ଟିକାକରଣ । ରାଜ୍ୟକୁ ଆସୁଥିବା ଦୁଇଟି ଟିକା ମଧ୍ୟରୁ କେବଳ ଭୁବନେଶ୍ୱରରେ ଦିଆଯିବ କୋଭାକ୍ସିନ୍ ଟିକା । କାଲି ପ୍ରାୟ ୬୦୦ଜଣଙ୍କୁ ଟକାକରଣ କରାଯିବ । ଫାଷ୍ଟ ଫୋଜ୍ ଡୋଜ୍ କାମ ସପ୍ତାହକ ମଧ୍ୟରେ ସାରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ସେହିପରି କଟକ ଜିଲ୍ଲାରେ ୧୧ଟି କେନ୍ଦ୍ରରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ । ସେଥିରୁ କେବଳ କଟକ ସହରରେ ୫ଟି କେନ୍ଦ୍ର ଥିବାବେଳେ ଆଉ ୬ଟି ଗ୍ରାମାଞ୍ଚଳରେ ରହିଛି । ଆଜି କଟକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଗ୍ରାମାଞ୍ଚଳରେ ଥିବା ଟିକାଦାନ କେନ୍ଦ୍ରକୁ ଟିକା ପହଞ୍ଚାଯାଇଛି । ଜିଲ୍ଲାରେ ୨୯ହଜାର ୬୨୪ଜଣ ସ୍ୱାସ୍ଥ୍ୟକର୍ମୀ ଓ କୋଭିଡ୍ ଯୋଦ୍ଧା ଟିକାକରଣ ପାଇଁ ପଞ୍ଜିକରଣ ହୋଇଛନ୍ତି । କୋଭିଡ୍ ନିୟନ୍ତ୍ରଣରେ ରୋଲ୍ ମଡେଲ ପାଲଟିଥିବା ଗଞ୍ଜାମ ଜିଲ୍ଲାରେ ୧୧ଟି କେନ୍ଦ୍ରରେ ଟିକାକରଣ ହେବ । ଜିଲ୍ଲାରେ ପଞ୍ଜିକରଣ କରିଥିବା ୨୫ହଜାର ୧୦୬ଜଣ କରୋନା ଯୋଦ୍ଧା ପାଇଁ ଆସିଛି ୧୬ହଜାର ୮୦୦ ଡୋଜ୍ । ପରବର୍ତ୍ତୀ ସମୟରେ ଆହୁରି ଡୋଜ୍ ଆସିବ ବୋଲି ଜଣାଯାଇଛି । ସେହିପରି ପୁରୀ ଜିଲ୍ଲାରେ ୧୦ହଜାର ୮୦୫ଜଣଙ୍କ ପାଇଁ ୮ଟି କେନ୍ଦ୍ର ଥିବାବେଳେ ଜିଲ୍ଲାରେ ପହଞ୍ôଚଛି ୭ହଜାର ଟିକା । ବାଲେଶ୍ୱରରେ ୫ଟି ସ୍ଥାନରେ ଟିକା ଦିଆଯିବାକୁ ଥିବାବେଳେ ପ୍ରଥମ ପର୍ଯ୍ୟାୟରେ ଆସିଛି ୮ହଜାର ୪୦୦ ଡୋଜ୍ । ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ପାଇଁ ପଞ୍ଜିକୃତ ହୋଇଛନ୍ତି ୧୩ହଜାର ୭୮୫ଜଣ । ମୟୂରଭଞ୍ଜ ଜିଲ୍ଲାରେ ୧୦ଟି ସ୍ଥାନରେ ଟିକାକରଣ ହେବାକୁ ଥିବାବେଳେ ହିତାଧିକାରୀ ଅଛନ୍ତି ୧୮ହଜାର ୪୨୬ । ବର୍ତ୍ତମାନ ସୁଦ୍ଧା ୧୧ହଜାର ୯୦୦ ଟିକା ପହଞ୍ôଚସାରିଛି । ସେହିପରି ସୁନ୍ଦରଗଡ଼ ଜିଲ୍ଲାରେ ୮ଟି, ସମ୍ବଲପୁର ୫, କୋରାପୁଟ ୫ ଓ ରାୟଗଡ଼ାରେ ୭ଟି କେନ୍ଦ୍ରରେ ଆରମ୍ଭ ହେବ ଟିକାକରଣ । ରାଜ୍ୟର ଦୁଇଟି କେନ୍ଦ୍ରରେ ଭିଡିଓ କନ୍ଫରେନ୍ସିଂ ବ୍ୟବସ୍ଥା ରହିବ । ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ କ୍ୟାପିଟାଲ ହସ୍ପିଟାଲରେ ଏହି ବ୍ୟବସ୍ଥା ରହିବ । ଏହି ଦୁଇଟି ସ୍ଥାନରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଫିଡ୍ ବ୍ୟାକ୍ ନେଇପାରିବେ ।

ସ୍ୱାସ୍ଥ୍ୟକର୍ମୀଙ୍କ ସହ ଆଲୋଚନା କରିବେ ନବୀନ

କାଲି ରାଜ୍ୟର ୧୬୧ଟି କେନ୍ଦ୍ରରେ ଟିକାକରଣ କାର୍ଯ୍ୟକ୍ରମ ହେବାକୁ ଯାଉଥିବା ବେଳେ ସିଧାସଳଖ ସ୍ୱାସ୍ଥ୍ୟକର୍ମୀଙ୍କ ସହ ଏଥିନେଇ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ । ଦିନ ସାଢ଼େ ୧୨ଟାରେ ଟିକା ନେଇଥିବା ସ୍ୱାସ୍ଥ୍ୟକର୍ମୀଙ୍କଠାରୁ ମତାମତ ନେବେ ମୁଖ୍ୟମନ୍ତ୍ରୀ । ଟିକାକରଣ ବ୍ୟବସ୍ଥା କେମିତି ଥିଲା, ସବୁକିଛି ବ୍ୟବସ୍ଥିତ ହୋଇଥିଲା ନା ନାହିଁ, କୌଣସି ଅସୁବିଧାର ସାମ୍ନା କରିନାହାନ୍ତି ତ, ସବୁକିଛି ଶୃଙ୍ଖଳିତ ହୋଇଛି କି ନାହିଁ ସେ ସମ୍ପର୍କରେ ସ୍ୱାସ୍ଥ୍ୟକର୍ମୀଙ୍କଠାରୁ ପଚାରି ବୁଝିବେ ।

Leave A Reply

Your email address will not be published.