ସ୍ୱର୍ଗଦ୍ୱାର ସୈାନ୍ଦର୍ଯ୍ୟକରଣ କାମ ଦ୍ରୁତ ଗତିରେ ଆଗେଇ ଚାଲିଛି

158

ପୁରୀ: ଶ୍ରୀକ୍ଷେତ୍ରର ପବିତ୍ର ମୁକ୍ତିପଥ ସ୍ୱର୍ଗଦ୍ୱାରର ସୈାନ୍ଦର୍ଯ୍ୟକରଣ କାମ ଏବେ ଦ୍ରୁତଗତିରେ ଆଗେଇ ଚାଲିଛି । ପ୍ରାୟ୬କୋଟି ଟଙ୍କା ବ୍ୟୟ ଅଟକଳରେ ଏହି କାମ ଚାଲୁରହିଛି । ପ୍ରତିଦିନ ସ୍ୱର୍ଗଦ୍ୱାରକୁ ୫୦ରୁ ୧୫୦ ପର୍ଯ୍ୟନ୍ତ ଶବ ଆସୁଥିବା ନଜିର ରହିଛି । ସୈାନ୍ଦର୍ଯ୍ୟକରଣ ପାଇଁ ୧୪ଟି ପିଣ୍ଡି ସହ ଶବକୁ ସମ୍ମାନ ଦେବା ପାଇଁ ୧୪ଟି ଆସ୍ଥାନ ମଣ୍ଡପ କରାଯିବ । ଶବଦାହକାରୀ ଓ ସମ୍ପର୍କୀୟମାନଙ୍କ ପାଇଁ ବିଶ୍ରାମ ଗୃହ ତିଆରି କରାଯିବ । ପଥଶ୍ରାଦ୍ଧ ପାଇଁ ସ୍ୱତନ୍ତ୍ର ଗୃହ ନିର୍ମାଣ କରାଯିବ । ଅଭଡା ଯୋଜନା ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ଅର୍ଥ ମଞ୍ଜୁର କରାଯାଇଛି ।

ସ୍ୱର୍ଗଦ୍ୱାରରେ ଶବଦାହ କଲେ ହିନ୍ଦୁ ଧର୍ମ ଅନୁସାରେ ଆତ୍ମା ସ୍ୱର୍ଗକୁ ଯାଏ ବୋଲି ବିଶ୍ୱାସ ରହିଛି । ମଣିଷର ଶେଷ ଠିକଣା ସ୍ୱର୍ଗଦ୍ୱାର ହୋଇଥିବାରୁ ଆତ୍ମୀୟମାନେ ଶବ ଦାହ ପାଇଁ ସ୍ୱର୍ଗଦ୍ୱାରକୁ ଆଣିଥାନ୍ତି । ଗ୍ରାମ ଶ୍ମଶାନ ଓ ଅନ୍ୟ ଶ୍ମଶାନରେ ଶବର ମୁହଁକୁ ତଳମୁହାଁ କରି ରଖାଯାଇ କାଠ ନଦାଯିବା ସହ ଅଗ୍ନି ସଂଯୋଗ କରାଯାଇଥାଏ । କିନ୍ତୁ ସ୍ୱର୍ଗଦ୍ୱାରରେ ଶବର ମୁହଁ ଉପରକୁ ରଖାଯାଇ ଦାହ କରାଯାଇଥାଏ । ମୁହଁ ଉପରକୁ ରହିଲେ ଶବ ସିଧା ସଳଖ ସ୍ୱର୍ଗକୁ ଯାଇଥାଏ ବୋଲି ବିଶ୍ୱାସ ରହିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ସ୍ୱର୍ଗଦ୍ୱାରରେ ଥିବା ବିଜୁ ସମାଧି ନିର୍ମାଣସ୍ଥଳୀକୁ ଭଙ୍ଗାଯାଇ ସେଠାରେ କଂକ୍ରିଟ୍ ପିଲର୍ କରାଯାଉଥିବା ଦେଖାଯାଇଛି । ଏ ସମ୍ପର୍କରେ ପୁରୀ କୋର୍ଟରେ ମାମଲା ଚାଲିଥିଲା । ସମାଧି ପୀଠକୁ ଭାଙ୍ଗିଦେବା ପାଇଁ ଆଦେଶ ହେବା ପୂର୍ବରୁ ରାଜ୍ୟ ସରକାର ସମାଧିକୁ ଭାଙ୍ଗିଦେଇ ନୂଆ ଯୋଜନା ଆରମ୍ଭ କଲେ । ବିଜୁ ବାବୁଙ୍କୁ ସମ୍ମାନ ଦେବା ପାଇଁ ଅନ୍ୟଠାରେ ସମାଧି ଏପର୍ଯ୍ୟନ୍ତ ନିର୍ମାଣ ହୋଇପାରିନାହିଁ । ସ୍ୱର୍ଗଦ୍ୱାରରେ ଧାର୍ମିକ ମତ ଅନୁସାରେ ଶବଦାହ ପରେ ସେତେବେଳେ ସମୁଦ୍ରର ଉଚ୍ଚ ଲହରୀ ଶବ ଧୋଇବା ସହ ଅସ୍ଥି ଓ ପାଉଁଶକୁ ସମୁଦ୍ର ଭିତରକୁ ନେଇଯାଉଥିଲା । ଯାହା ଫଳରେ ଶବଟି ସଂସ୍କାରିତ ହେଉଥିବା ବିଶ୍ୱାସ ରହିଥିଲା । ଗାନ୍ଧୀଘାଟ, ବନାରସ ଘାଟ ପରି ସ୍ୱର୍ଗଦ୍ୱାର ସ୍ୱର୍ଗପ୍ରାପ୍ତି ପାଇଁ ଗୋଟିଏ ଘାଟ ବୋଲି କଥିତ ଥିଲା । ଏବେ ନିର୍ମାଣ କାର୍ଯ୍ୟ ହେବା ପରେ ସ୍ୱର୍ଗଦ୍ୱାର ତାର ଐତିହ୍ୟକୁ ହରେଇବ ବୋଲି ଅଂଚଳବାସୀ କହୁଛନ୍ତି । ଚିମିନୀ ଦ୍ୱାରା ଶବ ସଂସ୍କାର ଯୋଜନା ଫେଲ୍ ମାରିଲା । ବିଦ୍ୟୁତ ଚୁଲା ବ୍ୟବସ୍ଥାକୁ ଅନେକ ନାପସନ୍ଦ କରୁଛନ୍ତି । ସ୍ୱର୍ଗଦ୍ୱାରର ଶ୍ମଶାନ ବାଲି ଅସ୍ଥି ପାଉଁଶକୁ ଅନେକ ତୀର୍ଥଯାତ୍ରୀ ମୁଣ୍ଡିଆ ମାରିଥାନ୍ତି । ଏବେ ସ୍ୱର୍ଗଦ୍ୱାରା ଚାରିପଟ ଆବଦ୍ଧ । ସମୁଦ୍ରର ଦକ୍ଷିଣା ପବନରେ ଶବ ସଂସ୍କାର ସମୟରେ ବର୍ଷା ହେଲେ ମଧ୍ୟ ଅଗ୍ନିସଂଯୋଗ ଲିଭିନଥାଏ । ଏବେ ଚାରିପଟ ପାଚେରୀ ନିର୍ମାଣ ଯୋଗୁଁ ସମୁଦ୍ର ପବନ ଆସିବାରେ ବାଧକ ସୃଷ୍ଟି ହେବ । ସେଠାରେ କଂକ୍ରିଟ୍‌ର ବେସ୍ ଓ ପିଲର୍ ନିର୍ମାଣ ଯୋଗୁଁ ଆସ୍ତେ ଆସ୍ତେ ସ୍ୱର୍ଗଦ୍ୱାରର ପବିତ୍ର ବାଲି ହଜିଯିବାକୁ ବସିବ ବୋଲି ଅନେକ ଧାର୍ମିକ ଲୋକ ମତ ଦେଇଛନ୍ତି ।

Leave A Reply

Your email address will not be published.