ରମାଦେବୀ ବିଶ୍ୱବିଦ୍ୟାଳୟରେ ମୁଖ୍ୟମନ୍ତ୍ରୀ: ଲୋକାର୍ପଣ କଲେ ୧୮ କୋଟିର ପ୍ରକଳ୍ପ

152

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ୪ଟି ଭବନ ଯଥା କଳା ଓ ବିଜ୍ଞାନ ଶ୍ରେଣୀ ପାଇଁ ଦୁଇଟି ନବନିର୍ମିତ କୋଠା,କୁନ୍ତଳା କୁମାରୀ ଗନ୍ଥାଗାର ଏବଂ ଗବେଷଣା ଛାତ୍ରୀନିବାସକୁ ଲୋକାର୍ପିତ କରିଛନ୍ତି । ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ୪ଟି ନବନିର୍ମିତ ସୌଧର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୩୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ୪ଟି କୋଠା ନିର୍ମାଣ କରାଯାଇଛି । ଉକ୍ରଳ ଭାରତୀ କୁନ୍ତଳା କୁମାରୀ ସାବତଙ୍କ ଜନ୍ମତିଥିରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କୁନ୍ତଳା କୁମାରୀ ଗନ୍ଥାଗାର ସହିତ ଏକାଡେମିକ୍ ବ୍ଲକ୍-୨,ଏକାଡେମିକ ବ୍ଲକ୍-୩ ଏବଂ ଅନ୍ୱେଷା ଛାତ୍ରୀନିବାସର ଲୋକାର୍ପଣ କରାଯାଇଛି ।

ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଲୋକାର୍ପଣ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ରମାଦେବୀ ବିଶ୍ୱବିଦ୍ୟାଳୟ ପାଇଁ ୧୮କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିଛନ୍ତି । ବିଶ୍ୱବିଦ୍ୟାଳୟରେ ଥିବା ପୁରୁଣା ବିଲ୍ଡିଂ,ଛାତ୍ରୀ ନିବାସ ଓ ମୁକ୍ତାକାଶ ରଙ୍ଗମଞ୍ଚ ଆଦିର ନବୀକରଣ ଲାଗି ଏହି ପ୍ୟାକେଜ୍ ବିନିଯୋଗ କରାଯିବ ବୋଲି ପ୍ରକାଶ କରାଯାଇଛି । ଏହି ଅବସରରେ ମୁଖ୍ୟମବୀ କହିଛନ୍ତି ଯେ କରୋନା ପରେ ଆଜି ମୁଁ ପ୍ରଥମଥର ପାଇଁ ପିଲାମାନଙ୍କୁ ଭେଟୁଛି । ଓଡିଶାର ପ୍ରଥମ ମହିଳା ୟୁନିଭରସିଟି, ରମାଦେବୀ ମହିଳା ୟୁନିଭରସିଟିକୁ ଆସିଛି । ଏଥିପାଇଁ ମୁଁ ବହୁତ ଖୁସି । ଏହି ଅବସରରେ ତୁମମାନଙ୍କୁ ମୋର ଶୁଭେଚ୍ଛା ଜଣାଉଛି ।

ଆଜି ଆପଣମାନଙ୍କ ୟୁନିଭରସିଟିର ନୂଆ ଏକାଡେମିକ୍ ବ୍ଲକ, ଲାଇବ୍ରେରୀ ଓ ହଷ୍ଟେଲ୍ ବିଲ୍ଡିଂ ଆଦି ଉଦ୍ଘାଟିତ ହେଲା । ୟୁନିଭରସିଟିର ଗରିମାକୁ ଏହା ଆହୁରି ବୃଦ୍ଧି କରିବ ଏବଂ ତୁମମାନଙ୍କ ଆବଶ୍ୟକତା ପୂରଣ କରିବ । ମୁଁ ଆଜି ଆପଣମାନଙ୍କ ପାଖକୁ ଆଉ କିଛି ନୂଆ ପ୍ରକଳ୍ପ ନେଇ ଆସିଛି । ତୁମର ପୁରୁଣା ଏକାଡେମିକ୍ ବିଲ୍ଡିଂ, ହଷ୍ଟେଲ୍ ଏବଂ ଓପନ୍ ଏୟାର୍ ଷ୍ଟେଜ୍ ଆଦି ସବୁ ଭିତ୍ତିଭୂମିଗୁଡିକୁ ନୂଆ ରୂପ ଦିଆଯିବ । ଏଥିପାଇଁ ୧୮କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯିବ । ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ବିକାଶ ପାଇଁ ଆମର ଉଦ୍ୟମ ଜାରି ରହିବ ।

କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ମବୀ ଅରୁଣ ସାହୁ,ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଏବଂ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କୁଳପତି ଅପରାଜିତା ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ । କୁଳସଚିବ ଶ୍ୟାମଳି ମହାପାତ୍ର ସ୍ୱାଗତ ଭାଷଣ ଦେଇଥିବାବେଳେ ଉପକୁଳସଚିବ ଧନ୍ୟବାଦ ଅର୍ପଣ କରିଥିଲେ । ସୂଚନା ଅନୁଯାୟୀ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ୩୩କୋଟି ୯ଲକ୍ଷ ଟଙ୍କା ବିନିଯୋଗରେ ୪ଟି କୋଠା ନିର୍ମାଣ କରାଯାଇଛି । ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ(ରୁସା)ରୁ ମିଳିଥିବା ଅର୍ଥରେ ୩ଟି କୋଠା ନିର୍ମାଣ ହୋଇଛି । କୁନ୍ତଳା କୁମାରୀ ପାଠାଗାର କୋଠା ନିର୍ମାଣ ଲାଗି ୬ କୋଟି ୫୩ ଲକ୍ଷ ଟଙ୍କା ବିନିଯୋଗ ହୋଇଥିବା ବେଳେ ଅନ୍ୱେଷା ହଷ୍ଟେଲ ଲାଗି ୩ କୋଟି ୭୫ଲକ୍ଷ ଓ ଏକାଡେମିକ୍ ବ୍ଲକ-୨ ନିର୍ମାଣ ପାଇଁ ୧୭କୋଟି ୬ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି । ରାଜ୍ୟ ଭିତ୍ତିଭୂମି ଫଣ୍ଡରୁ ୫ କୋଟି ୭୬ ଲକ୍ଷ ଟଙ୍କା ବିନିଯୋଗରେ ଏକାଡେମିକ୍ ବ୍ଲକ୍-୩ ପ୍ରତିଷ୍ଠା ହୋଇଛି ।

Leave A Reply

Your email address will not be published.