-ବିବାଦୀୟ ଡ୍ରାଫ୍ଟ ବାଇ-ଲ’ ପ୍ରତ୍ୟାହୃତ
ପୁରୀ: ପ୍ରତ୍ୟାହାର ହେଲା ଜାତୀୟ କୀର୍ତ୍ତିରାଜି ପ୍ରାଧିକରଣ (ଏନ୍ଏମ୍ଏ)ର ଶ୍ରୀମନ୍ଦିର ପାଇଁ ବିବାଦୀୟ ଡ୍ରାଫ୍ଟ ବାଇ-ଲ’। ଦୁଇଦିନ ଧରି ଏହି ପ୍ରସଙ୍ଗକୁ ନେଇ ରାଜ୍ୟରେ ଅସନ୍ତୋଷର ନିଆଁ କୁହୁଳିଥିଲା । କଥା ପହଞ୍ôଚଥିଲା ଦିଲ୍ଲୀ ଦରବାରରେ । ବିବାଦୀୟ ଐତିହ୍ୟ ନେଇ ବିଜେପି ଓ ବିଜେଡି ସାଂସଦମାନେ କେନ୍ଦ୍ର ସଂସ୍କୃତିମନ୍ତ୍ରୀ ପ୍ରହଲ୍ଲାଦ ପଟେଲଙ୍କୁ ଭେଟି ଏହି ଅଧିନିୟମକୁ ହଟାଇବା ପାଇଁ ଦାବି କରିଥିଲେ । ମୁଖ୍ୟମନ୍ତ୍ରୀ ମଧ୍ୟ ଏଥିନେଇ କନା ଆଭିମୁଖ୍ୟ ଗ୍ରହଣ କରିଥିଲେ । ଶେଷରେ ବାଧ୍ୟ ହୋଇ କେନ୍ଦ୍ର ଏହି ବିବାଦୀୟ ଡ୍ରାଫ୍ଟ ବାଇ-ଲ’କୁ ପ୍ରତ୍ୟାହାର କରିଛି ।
କେନ୍ଦ୍ର ସଂସ୍କତିମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ କହିଛନ୍ତି ଏନ୍ଏମ୍ଏ ଅଧ୍ୟକ୍ଷଙ୍କ ଅଜାଣତରେ ଚିଠା ପ୍ରସ୍ତାବ ସମ୍ପର୍କିତ ବିଜ୍ଞପ୍ତି ଜାରି ହୋଇଥିଲା । ଏହି ବାଇ-ଲ’କୁ ନେଇ ଗତ ଦୁଇଦିନ ହେବ ରାଜ୍ୟରେ ଦେଖା ଦେଇଥିଲା ଝଡ଼ । ଅସନ୍ତୋଷ ଝାଡ଼ିଥିଲେ ଶ୍ରୀମନ୍ଦିର ଓ ଶ୍ରୀଲିଙ୍ଗରାଜ ମନ୍ଦିରର ସେବାୟତ । ଆଜି ବାଇ-ଲ’ ପ୍ରତ୍ୟାହାର ଘୋଷଣା ପୂର୍ବରୁ ପୁରୀ ଯାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶ୍ରୀକ୍ଷେତ୍ର ମାଟିରୁ କେନ୍ଦ୍ରକୁ କଡ଼ା ବାର୍ତ୍ତା ଦେଇଥିଲେ । କହିଥିଲେ ଶ୍ରୀଜଗନ୍ନାଥଙ୍କ କାମକୁ କେହି ଅଟକାଇପାରିବେ ନାହିଁ । ଆଜି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଶ୍ରୀ ପଟେଲଙ୍କୁ ପୃଥକ୍ ପୃଥକ୍ ଭେଟିଥିଲେ ବିଜେଡି ଓ ବିଜେପି ସାଂସଦଙ୍କ ପ୍ରତିନିଧିମଣ୍ଡଳୀ ।
ବିବାଦୀୟ ବାଇ-ଲ’ ପ୍ରତ୍ୟାହାର ପାଇଁ ବିଜେଡି ଦାବି ଜଣାଇଥିଲା । ସେହିପରି ବାଇ-ଲ’ ସ୍ଥଗିତ ରଖିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ବିଜେପି ଟିମ୍ ପକ୍ଷରୁ କୁହାଯାଇଥିଲା । ବୈଷୟିକ ତ୍ରୁଟି ଯୋଗୁ ଏଭଳି ଭୁଲ ହୋଇଛି ବୋଲି ଏନ୍ଏମ୍ଏ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି । ମହାପ୍ରଭୁଙ୍କ ପ୍ରସଙ୍ଗରେ ସାରାରାଜ୍ୟ ଏକ ହୋଇଯାଇଥିଲା । ଦଳମତନିର୍ବିଶେଷରେ ଡ୍ରାଫ୍ଟ ବାଇ-ଲ’ ପ୍ରତ୍ୟାହାର ପାଇଁ ବିଜେଡିବିଜେପି ଓ କଂଗ୍ରେସ ଏକ ହୋଇ ପ୍ରତିବାଦ କରିଥିଲେ ।
ଭଗବାନ-ସେବକ ଓ ଭକ୍ତଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଚିଠା ବିଜ୍ଞପ୍ତିକୁ ପ୍ରତ୍ୟାହାର ପାଇଁ ଚିଠି ଲେଖିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । କେନ୍ଦ୍ରର ଅନେକ କାମକୁ ସକାରାତ୍ମକ ଭାବେ ରାଜ୍ୟ ସରକାର ସମର୍ଥନ କରୁଥିବା ବେଳେ କିନ୍ତୁ ଯେତେବେଳେ ରାଜ୍ୟର ସ୍ୱାର୍ଥ ପ୍ରତି ଆଞ୍ଚ ଆସୁଛି ସେତେବେଳେ କଡ଼ା ବିରୋଧ ହେଉଛି । ବିବାଦୀୟ ଚିଠା ଅଧିନିୟମ ପ୍ରସଙ୍ଗ ନେଇ ମୁଖ୍ୟମନ୍ତ୍ରୀ ଯେଉଁ କଡ଼ା ଆଭିମୁଖ୍ୟ ରଖିଥିଲେ ତାହା ଏକ ବଡ଼ ଉଦାହରଣ । ତା’ଛଡ଼ା ଶ୍ରୀମନ୍ଦିର କରିଡର ପ୍ରକଳ୍ପ ରାଜ୍ୟ ସରକାରଙ୍କ ଡ୍ରୀମ୍ ପ୍ରୋଜେକ୍ଟ । ଏଥିରେ ବାଧା ସୃଷ୍ଟିକୁ ଆଦୌ ସହ୍ୟ କରିନଥିଲେ ନବୀନ ।
ଏହି ବିବାଦୀୟ ଚିଠା ଅଧିନିୟମ ଲାଗୁ ହୋଇଥିଲେ ଶ୍ରୀମନ୍ଦିର ପରିସରଠାରୁ ୧୦୦ ମିଟର ଭିତରେ ନିର୍ମାଣ କାମ ଉପରେ ରୋକ୍ ଲାଗିଥାନ୍ତା । ଆଉ ୨୦୦ ମିଟର ମଧ୍ୟରେ କୌଣସି ମରାମତି କିମ୍ବା ନିର୍ମାଣ କାମ ପାଇଁ ଏନ୍ଏମ୍ଏଠାରୁ ଅନୁମତି ନେବାକୁ ପଡ଼ିଥାନ୍ତା । ଏପରିକି ଶ୍ରୀଜଗନ୍ନାଥ ଐତିହ୍ୟ କରିଡର ପ୍ରକଳ୍ପ ଉପରେ ବାଧା ସୃଷ୍ଟି କରିଥାନ୍ତା । ମହାପ୍ରଭୁଙ୍କ ବଡ଼ ଭକ୍ତ ନବୀନ । ତାଙ୍କର ପଞ୍ଚମ ପାଳି ଶାସନ ଆରମ୍ଭରୁ ଏହି ପ୍ରକଳ୍ପକୁ ମିଳିଥିଲା ଗୁରୁତ୍ୱ ।
୨୦୧୯ରେ ଫନି ଯୋଗୁ ଛାରଖାର ହୋଇଥିଲା ପୁରୀ ସହର । ମୁଖ୍ୟମନ୍ତ୍ରୀ ସ୍ଥିତି ଅନୁଧ୍ୟାନ କରି ମର୍ମାହତ ହୋଇଥିଲେ । ଘୋଷଣା କରିଥିଲେ ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟ ସହର ଭାବେ ଗଢ଼ି ତୋଳାଯିବ । ନବୀନଙ୍କ ଘୋଷଣା ପରେ ୨୦୧୯ ଅକ୍ଟୋବରରେ ପୁରୀ ପାଇଁ ଅବଢ଼ା ଯୋଜନାରେ ୩୨ଶହ ୮କୋଟିର ବ୍ୟୟ ଅଟକଳ ପାଇଁ ମିଳିଥିଲା କ୍ୟାବିନେଟ୍ ମଞ୍ଜୁରି । ଏପରିକି ତାଙ୍କ ଆହ୍ୱାନରେ ଶ୍ରୀମନ୍ଦିର ଆଖପାଖରେ ଥିବା ପୁରୀବାସିନ୍ଦା ଜମି ଦାନ କରିଥିଲେ । ୨୦୨୦-୨୧ ବଜେଟ୍ରେ ୬୯୫କୋଟିର ବ୍ୟୟବରାଦ କରାଯାଇଥିଲା । ବାସ୍ତବରେ ଏହି ଡ୍ରୀମ୍ ପ୍ରୋଜେକ୍ଟର ମୂଳ ପଡ଼ିଥିଲା ୨୦୧୬ରୁ । ଯାହାର ଗୁମର ଖୋଲିଥିଲେ ୫-ଟି ସଚିବ ଭି.କେ.ପାଣ୍ଡିଆନ । ମହାପ୍ରଭୁଙ୍କ ନବୀନ ହେଉଛନ୍ତି ବଡ଼ ଭକ୍ତ ବୋଲି ସେ ସୂଚନା ଦେଇଥିଲେ । ଶ୍ରୀଜଗନ୍ନାଥଙ୍କ କାମକୁ କେହି ଅଟକାଇପାରିବେ ନାହିଁ ବୋଲି ରୋକ୍ଠୋକ୍ ଶୁଣାଇ ଦେଇଥିଲେ ମୁଖ୍ୟମନ୍ତ୍ରୀ ।