ଶ୍ୱେତପତ୍ରରେ ବିଳମ୍ବ ପାଇଁ ସ୍ୱାଧିକାର ଭଙ୍ଗ ନୋଟିସ ଆଣିଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା

145

ଭୁବନେଶ୍ୱର: ଗୃହ ବିଭାଗ ପକ୍ଷରୁ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ଶ୍ୱେତପତ୍ର ବିଧାୟକ ମାନଙ୍କୁ ବିଳମ୍ବରେ ଉପଲବ୍ଧ କରା ଯାଇଥିବାରୁ ଏ ସମ୍ପର୍କରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ସ୍ୱାଧୀକାର ଭଙ୍ଗ ନୋଟିସ ଆଣିଛନ୍ତି ।

ଶୂନ୍ୟକାଳରେ ବାଚସ୍ପତି ଶ୍ରୀ ସାଲୁଜାଙ୍କୁ ଏ ସମ୍ପର୍କରେ କହିବାକୁ ଡାକିଥିଲେ । ଶ୍ରୀ ସାଲୁଜା କହିଥିଲେ ଯେ ଗୃହ ବିଭାଗର ଖର୍ଚ ଦାବି ଆଲୋଚନାର ୨୪ ଘଂଟା ପୂର୍ବରୁ ବିଧାୟକ ମାନଙ୍କୁ ଶ୍ୱେତପତ୍ର ଉପଲବ୍ଧ କରା ଯାଇଥାଏ । ଏହା ଦ୍ୱାରା ବିଧାୟକ ମାନେ ଏହାକୁ ପଢିବା ସହ ଏହା ଉପରେ ଆଲୋଚନା କରିଥାନ୍ତି । ଚଳିତ ବର୍ଷ ମାର୍ଚ ୨୬ ତାରିଖ ଦିନ ଗୃହ ବିଭାଗର ଖର୍ଚ ଦାବି ଆଲୋଚନା ହେବାର ଥିଲା । ତେଣୁ ୨୪ ଘଂଟା ପୂର୍ବରୁ ବିଧାୟକ ମାନଙ୍କୁ ଶ୍ୱେତପତ୍ର ଉପଲବ୍ଧ କରା ଯିିବା କଥା । ହେଲେ ଦୁର୍ଭାଗ୍ୟର ବିଷୟ ଯେ ୨୬ ତାରିଖ ଦିନ ସକାଳ ୧୦.୩୦ ଯାଏ ଏହା ଉପଲବ୍ଧ କରା ଯାଇ ନ ଥିଲା । ଦିନ ୧୧.୩୦ ବେଳେ ଏହା ଉପଲବ୍ଧ କରା ଗଲା । ତାହା ପୁଣି ଓଡିଆ ଭାଷାରେ, ଇଂରାଜୀ ଭାଷାରେ ମଧ୍ୟ ନୁହେଁ । ଏହାକୁ ନେଇ ସେ ସ୍ୱାଧୀକାର ଭଙ୍ଗ ପ୍ରସ୍ତାବ ନୋଟିସ ଦେଇଛନ୍ତି ବୋଲି ସେ କହିଥିଲେ ।

ଶ୍ରୀ ସାଲୁଜା କହିଥିଲେ ଯେ ପୂର୍ବରୁ ମାର୍ଚ ୨୨ ତାରିଖ ଦିନ ଗୃହ ବିଭାଗର ଖର୍ଚ ଦାବି ଆଲୋଚନା ହେବାର ଥିଲା । ମାତ୍ର କାର୍ଯ୍ୟ ପରାମର୍ଶଦାତା ବୈଠକରେ ଏହାକୁ ୨୬ ତାରିଖକୁ କରିବାକୁ ନିଷ୍ପତି ନିଆ ଗଲା । ଏହା ଏକ ଚକ୍ରାନ୍ତ ବୋଲି ସେ ଅଭିଯୋଗ କରିଥିଲେ ।

ଏହା ପରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କୁ କହିବାକୁ ଡାକିଥିଲେ । ଶ୍ରୀ ଆରୁଖ କହିଥିଲେ ଯେ ୨୨ ମାର୍ଚରେ ହେବାକୁ ଥିବା ଗୃହ ବିଭାଗ ଖର୍ଚ ଦାବି ଆଲୋଚନା କାର୍ଯ୍ୟକ୍ରମକୁ ୨୬ ତାରିଖକୁ ରଖିବା ପାଇଁ କାର୍ଯ୍ୟ ପରାମର୍ଶଦାତା ବୈଠକରେ ନିଷ୍ପତି ନିଆ ଯାଇଥିଲା । ମହାମହିମ ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତ ଥିବା କାରଣରୁ ଓ ଏଥିରେ ମୁଖ୍ୟମନ୍ତ୍ରୀ ସାମିଲ ହେବାକୁ ଥିବାରୁ ଜଳ ସମ୍ପଦ ବିଭାଗର ଖର୍ଚ ଦାବି ଆଲୋଚନାର ତାରିଖ ବଦଳାଇ ୨୨ ମାର୍ଚ କରା ଯାଇଥିଲା ଓ ଗୃହ ବିଭାଗର ଖର୍ଚ ଦାବି ଆଲୋଚନାକୁ ୨୬ ମାର୍ଚ କରା ଯାଇଥିଲା । ଏଥିରେ କୌଣସି ପ୍ରକାର ଚକ୍ରାନ୍ତ ହୋଇ ନାହିଁ ବୋଲି ସେ ସ୍ପଷ୍ଟ କରିଥିଲେ ।

Leave A Reply

Your email address will not be published.