ବାତ୍ୟା ୟସ ସହିତ କରୋନା, ଦୁଇଟି ବିପଦର ମୁକାବିଲା, ସରକାର ଏଥିପାଇଁ ପ୍ରସ୍ତୁତ : ମୁଖ୍ୟମନ୍ତ୍ରୀ

175

ଭୁବନେଶ୍ବର : ବାତ୍ୟା ୟାସକୁ ନେଇ ରାଜ୍ୟବାସୀଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯ଼େ ରାଜ୍ୟ ଏବେ ଏକ ସମୟରେ ଦୁଇଟି ବିପଦ- କରୋନା ମହାମାରୀ ଓ ବାତ୍ୟାର ସମ୍ମୁଖୀନ ହେଉଛି । ଏହି ବିପଦର ମୁକାବିଲା କରିବାକୁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି । ଲୋକମାନଙ୍କୁ ପ୍ରଶାସନକୁ ସହଯ଼ୋଗ କରିବାକୁ ସେ ନିବେଦନ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ସାଢେ ଚାରି କୋଟି ଓଡିଶାବାସୀ ମୋର ପରିବାର । ବିପଦ ସମୟରେ ମୋ ପରିବାରର ନିରାପତ୍ତା ମୋ ପାଇଁ ସବୁଠାରୁ ବଡ ପ୍ରାଥମିକତା । ଆସୁଥିବା ବାତ୍ୟା ପରିପ୍ରେକ୍ଷୀରେ ଲୋକମାନଙ୍କ ଏକ ଭିଡ଼ିଓ ବାର୍ତ୍ତା ଜରିଆରେ ଆଜି ସତର୍କ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆମେ ଏକା ସମୟରେ ଦୁଇଟି ବଡ ବିପଦର ସାମ୍‌ନା କରୁଛୁ – କୋଭିଡ ଓ ବାତ୍ୟା ୟସ । ତେଣୁ ସମସ୍ତେ ପ୍ରଶାସନକୁ ସ୍ଥାନାନ୍ତରରେ ସହଯୋଗ କରନ୍ତୁ ଓ ଡବଲ ମାସ୍କ ପିନ୍ଧନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ରତ୍ୟେକ ଲୋକଙ୍କୁ ନିରାପଦ ସ୍ଥାନରେ ପହଞ୍ଚାଇବା ଆମର ଲକ୍ଷ୍ୟ । ତେଣୁ ସମସ୍ତେ ବାତ୍ୟା ଆଶ୍ରୟସ୍ଥଳ ତଥା ପକ୍କା ଘର ଆଦି ନିରାପଦ ସ୍ଥାନକୁ ଚାଲି ଆସିବା ପାଇଁ ସେ ଅନୁରୋଧ କରିଛନ୍ତି । କୋଭିଡ ପାଇଁ ପ୍ରଶାସନ ଗତ ଦୁଇ ମାସ ଧରି ଚାପରେ ଅଛି । ତେଣୁ ବାତ୍ୟାର ମୁକାବିଲା ପାଇଁ ଜନସାଧାରଣ ସ୍ଥାନାନ୍ତରରେ ପ୍ରଶାସନକୁ ପୁରା ସହଯୋଗ କରିବା ପାଇଁ ସେ ନିବେଦନ କରିଛନ୍ତି । ଯେହେତୁ ଏବେ କୋଭିଡ ସମୟ, ତେଣୁ ଆମକୁ ଅଧିକ ସାବଧାନ ରହିବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରାଇଛନ୍ତି । ଗତ ଏକ ବର୍ଷରୁ ଅଧିକ ସମୟ ଧରି କୋଭିଡ ବିରୋଧରେ ଲଢେଇ ଜାରି ରହିଛି । ଏହି ସମୟରେ ‘ୟସ’ ବାତ୍ୟା ଆମପାଇଁ ଏକ ବଡ଼ ଆହ୍ବାନ ପାଲଟିଛି । ଆମକୁ ଏହାକୁ ସାମନା କରିବାକୁ ପଡ଼ିବ ଗତ ବର୍ଷ ଆମେ ମଧ୍ୟ କରୋନା ସହିତ ଅମ୍ପନ ବାତ୍ୟାର ସମ୍ମୁଖୀନ ହୋଇଥିଲୁ ଓ ତାହାର ସଫଳ ସାମନା କରିଥିଲୁ । ବାତ୍ୟା ଓଡ଼ିଶା ପାଇଁ ନୂଆ ନୁହେଁ, କିନ୍ତୁ ଆମକୁ ସତର୍କ ରହିବାକୁ ହେବ । ସାମାନ୍ୟ ଅବହେଳା ବଡ଼ ବିପଦକୁ ଟାଣି ଆଣିବ । ଏଣୁ ଲୋକମାନେ ପ୍ରଶାସନକୁ ସହଯ଼ୋଗ କରିବା ସହ ବାତ୍ୟା ଆଶ୍ରୟସ୍ଥଳକୁ ଚାଲିଆସନ୍ତୁ । ଆଶ୍ରୟସ୍ଥଳରେ ବି ଲୋକମାନେ ଡବଲ ମାସ୍କ ପିନ୍ଧନ୍ତୁ । ଏହା ସହିତ ବାରମ୍ବାର ସାବୁନରେ ହାତ ଧୁଅନ୍ତୁ ଓ ସାନିଟାଇଜର ବ୍ୟବହାର କରନ୍ତୁ ।

ଜନସାଧାରଣଙ୍କୁ ଆହୁରି ସତର୍କ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବାତ୍ୟା ସମୟରେ ଓ ବାତ୍ୟା ପରେ ଆମେ କୋଭିଡ ପାଇଁ ଅଧିକ ସାବଧାନ ରହିବାକୁ ହେବ । ଆବଶ୍ୟକତାକୁ ଦେଖି ମିଶନ୍ ଶକ୍ତି ଗୋଷ୍ଠୀ ଜରିଆରେ ଲୋକଙ୍କୁ ମାସ୍କ ଯୋଗାଇବା ପାଇଁ ସେ କଲେକ୍ଟର ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି କହିଥିଲେ। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଓଡିଶା ସବୁବେଳେ ଭଲ କାମ କରିଆସିଛି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ବିପଦ ସମୟରେ ସାଧାରଣଙ୍କ ଠାରୁ ଆରମ୍ଭ କରି ପଞ୍ଚାୟତ ପ୍ରତିନିଧି ବନ୍ଧୁମାନେ ଓ ନାଗରିକ ସମାଜର ବନ୍ଧୁମାନେ ସମସ୍ତେ ସରକାରଙ୍କୁ ପୁରା ସହଯୋଗ ଦେଇ ଆସିଛନ୍ତି । ତେଣୁ ଏଥର ମଧ୍ୟ, ଆମେ ସମସ୍ତେ ମିଶି ଏ ଦୁଇ ବିପଦ ବିରୁଦ୍ଧରେ ଏକାଠି ଲଢିବା ଓ ନିଶ୍ଚୟ ଜିତିବା ବୋଲି ମୁଖ୍ୟମନ୍ତ୍ରୀ ଦୃଢ ବିଶ୍ୱାସ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.