ଭ୍ୟାକ୍ସିନ୍-ଅକ୍ସିଜେନ୍ ରୁ ହଟିଲା କଷ୍ଟମ୍ ଡ୍ୟୁଟି
ନୂଆଦିଲ୍ଲୀ : ଦେଶରେ ଅକ୍ସିଜେନ୍ ଏବଂ ଅକ୍ସିଜେନ୍ ଉପକରଣ ଉପରୁ ହଟିଲା କଷ୍ଟମ୍ ଡ୍ୟୁଟି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହା ସହିତ କୋଭିଡ୍ ଭ୍ୟାକ୍ସିନ୍ ଉପରୁ ମଧ୍ୟ କଷ୍ଟମ୍ ଡ୍ୟୁଟି ହଟାଇଛନ୍ତି କେନ୍ଦ୍ର ସରକାର । ଆସନ୍ତା ମଇ ୩ ଯାଏଁ ଭ୍ୟାକ୍ସିନ୍ ଉପରେ କଷ୍ଟମ୍ ଡ୍ୟୁଟି ଲଗାଯିବ ନାହିଁ । ଫଳରେ ଅକ୍ସିଜେନ ଏବଂ କୋଭିଡ୍ ଭ୍ୟାକ୍ସିନ୍ ଦର କମିବ ବୋଲି ଆଶା କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି । ବୈଠକ ପରେ ମୋଦି ଟ୍ୱିଟ୍ କରି କହିଛନ୍ତି,”ଅକ୍ସିଜେନ୍ ଏବଂ ଅକ୍ସିଜେନ୍ ଉପକରଣ ଉପରୁ କଷ୍ଟମ୍ ଡ୍ୟୁଟି ହଟାଯିବାକୁ ନିଷ୍ପତ୍ତି ନିଆଯାଇଛି । ଏହା ସହିତ କୋଭିଡ୍ ଭ୍ୟାକ୍ସିନ୍ ଉପରୁ ମଧ୍ୟ କଷ୍ଟମ୍ ଡ୍ୟୁଟି ଛାଡ କରାଯାଇଛି । ଦେଶରେ କରୋନା ସଂକ୍ରମଣ ବ୍ୟାପକ ରୂପ ଧାରଣ କରିଛି । ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ୩ ଲକ୍ଷ ପାର କରୁଛି । ଏହାକୁ ଦୃଷ୍ଟିରେ ରଖି କଠୋର ହେଉଛନ୍ତି କେନ୍ଦ୍ର ସରକାର ଏବଂ ବିଭିନ୍ନ ରାଜ୍ୟ ସରକାର । ରାଜଧାନୀ ଦିଲ୍ଲୀ ସମେତ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଭଳି ରାଜ୍ୟରେ ଅକ୍ସିଜେନ୍ ଅଭାବରୁ ରୋଗୀଙ୍କ ମୃତ୍ୟୁ ଘଟିସାରିଲଣି । ଏହାକୁ ଦୃଷ୍ଟିରେ ରଖି କମ୍ ମୂଲ୍ୟାରେ ଭ୍ୟାକ୍ସିନ୍ ଏବଂ ଅକ୍ସିଜେନ୍ ଯୋଗାଇଦେବାକୁ ପ୍ରୟାସ ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର ।