କରୋନା ଲହର ନୁହେଁ ସୁନାମୀ : ଅକ୍ସିଜେନ୍ ଯୋଗାଣରେ ବାଧାଦେଲେ ଫାଶୀ
ନୂଆଦିଲ୍ଲୀ: ଗୋଟିଏ ପରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଉଦ୍ବେଗଜନକ ଭାବେ ବଢି ଚାଲିଥିବା ବେଳେ ଅନ୍ୟପଟେ ଅକ୍ସିଜେନ୍ ଅଭାବରେ ଦିଲ୍ଲୀ ହସ୍ପିଟାଲଗୁଡିକର ଅବସ୍ଥା ଶୋଚନୀୟ ହୋଇ ପଡିଛି । ଗୋଟିଏ ପରେ ଗୋଟିଏ ହସ୍ପିଟାଲ ଅକ୍ସିଜେନ୍ ଅଭାବ ନେଇ ଗୁହାରି କରୁଛନ୍ତି । ଏହା ମଧ୍ୟରେ ଅକ୍ସିଜେନ୍ ଅଭାବ ନେଇ ମହାରାଜ ଅଗ୍ରେସନ ହସ୍ପିଟାଲ ପକ୍ଷରୁ ହାଇକୋର୍ଟରେ ଆବେଦନ କରାଯାଇ ତୁରନ୍ତ ଏହା ଉପରେ ଶୁଣାଣି କରିବାକୁ ଅନୁରୋଧ କରାଯାଇଥିଲା ।
ଶନିବାର ଏହା ଉପରେ ଶୁଣାଣି ସମୟରେ ଦିଲ୍ଲୀ ହାଇକୋର୍ଟ କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି । ହାଇକୋର୍ଟ ଦିଲ୍ଲୀ ସରକାରଙ୍କୁ କିଏ ଅକ୍ସିଜେନ୍ ଯୋଗାଣରେ ବାଧା ସୃଷ୍ଟି କରୁଛି ଜଣାଇବାକୁ କହିଛନ୍ତି । ଯିଏ ବି ଏହି କାମ କରୁଛି ତାକୁ ଫାଶୀରେ ଝୁଲାଇ ଦିଆଯିବ ବୋଲି କୋର୍ଟ କଡା ଟିପ୍ପଣୀ କରିଛନ୍ତି । କୋର୍ଟ ଦିଲ୍ଲୀ ସରକାରଙ୍କୁ ଏମିତି ଲୋକଙ୍କ ବିରୋଧରେ ସ୍ଥାନୀୟ ପ୍ରଶାସନର ଅଧିକାରୀଙ୍କ ବିଷୟରେ କେନ୍ଦ୍ରକୁ ଜଣାଇବାକୁ କହିଛନ୍ତି ।
ଏହାଦ୍ୱାରା ଉକ୍ତ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ । ଶୁଣାଣି ସମୟରେ ଦିଲ୍ଲୀ ସରକାର ପକ୍ଷରୁ ଉପସ୍ଥିତ ବରିଷ୍ଠ ଓକିଲ ରାହୁଲ ମେହେରା ଉଚ୍ଚନ୍ୟାୟାଳୟରେ କହିଛନ୍ତି ଯେ, ସ୍ଥିତି ଯାହା ଉପୁଜିଛି, ତାର ନିୟନ୍ତ୍ରଣ ପାଇଁ ପ୍ରୟାସ ଜାରି ରହିଛି । ତୁରନ୍ତ ଅକ୍ସିଜେନ୍ ଯୋଗାଣ ଜରୁରି । ଏହି ସମୟରେ ଅଦାଲତ ଦିଲ୍ଲୀ ସରକାରଙ୍କୁ ଅକ୍ସିଜେନ୍ ପ୍ଲାଣ୍ଟ ସ୍ଥାପନ କରିବାକୁ କହିଛନ୍ତି । ଓକିଲ ରାହୁଲ ମେହେରା ଦିଲ୍ଲୀ ହାଇକୋର୍ଟକୁ କହିଛନ୍ତି ଯେ, ଦିଲ୍ଲୀରେ ଶୀଘ୍ର ୪୮୦ ମେଟ୍ରିକ୍ ଟନ୍ ଅକ୍ସିଜେନ୍ ଆବଣ୍ଟନ କରାଯିବ । ଯଦି ବ୍ୟବସ୍ଥାକୁ ସଠିକ୍ କ୍ରମରେ ରଖାନଯାଏ, ତେବେ ସଂପୂର୍ଣ୍ଣ ବ୍ୟବସ୍ଥା ଧ୍ୱସ୍ତ ହୋଇଯିବ । ଯଦି ଆମକୁ ୪୮୦ ମେଟ୍ରିକ୍ ଟନ୍ ଅକ୍ସିଜେନ୍ ଠିକ୍ ସମୟରେ ନ ମିଳେ ତେବେ ୨୪ ଘଣ୍ଟାରେ ପୂରା ପ୍ରକ୍ରିୟା ଠପ୍ ହୋଇଯିବ ।