ନିମ୍ନ ମାନର ପୋଷାକ ଓ ଜୋତା ବଣ୍ଟନ, ଦୁଇ ବ୍ୟବସାୟୀ ଙ୍କ କବଜାରେ ଶିକ୍ଷା ବିଭାଗ

181

କୋକସରା: ଗତବର୍ଷ କରୋନା ମହାମାରୀ ଯୋଗୁଁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା । ଚଳିତ ବର୍ଷ ମଧ୍ୟ ବିଦ୍ୟାଳୟ ଖୋଲି ନାହିଁ । ହେଲେ ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ଦ୍ଵାରା ରାଜ୍ୟର ସମସ୍ତ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରୀଙ୍କୁ ଦୁଇ ହଳ ପୋଷାକ ଓ ଗୋଟିଏ ହଳ ଜୋତା ବାବଦରେ ୬୦୦ ଟଙ୍କା ଦେଉଥିବା ବେଳେ ଏହି ଅନୁଦାନ ରାଶି ରାଜ୍ୟର ବିଭିନ୍ନ ସ୍କୁଲର ପ୍ରଧାନ ଶିକ୍ଷକ ଓ ପରିଚାଳନା କମିଟି ଚେୟାରପରସନ୍ ଏକାଉଣ୍ଟରେ ଜମା କରାଯାଇ ପରବର୍ତ୍ତୀ ପର୍ଯ୍ୟାୟରେ ଯେଉଁ ଟ୍ରେଡ଼ର୍ସ ମାନେ କୋଟେସନ ଦେଇ ସ୍କୁଲ ପ୍ରଧାନ ଶିକ୍ଷକ ଓ କମିଟିର ଅନୁମୋଦନ କ୍ରମେ ପୋଷାକ ବଣ୍ଟନ କରିବା ପାଇଁ ଅନୁମତି ପାଆନ୍ତି ସେମାନେ ପୋଷାକ ବଣ୍ଟନ ପରେ ତାଙ୍କୁ ନିର୍ଦ୍ଧାରିତ ସ୍କୁଲ ଏକାଉଣ୍ଟରୁ ଚେକ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି ।

ଚଳିତ ବର୍ଷ କୋକସରା ବ୍ଲକ ଶିକ୍ଷା ବିଭାଗର ୧୧ ଗୋଟି କ୍ଲଷ୍ଟର ଟେମରା, କୋକସରା, ମୋଟେର, ଲଡୁଗାଁ, କାଉଡୋଳା, ଆମପାଣି, ଦର୍ଲିପଡା, ସାନ ପୋଡ଼ାଗୁଡା, ଡାଲଗୁମା, ଡହଗାଁ, କାଶିବାହାଲର ୧୫୬ ସ୍କୁଲରେ ମୋଟ ୧୩ ହଜାର ୮ ଶହ ୩ ଜଣ ଛାତ୍ର ଛାତ୍ରୀଙ୍କୁ ପୋଷାକ ଓ ଜୋତା ବଣ୍ଟନ କରାଯିବାକୁ ଥିବା ବେଳେ ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ତୋଫାନ ମାଝୀଙ୍କ ସୁଚନା ଅନୁସାରେ କେବଳ ୧୩ ହଜାର ଛାତ୍ର ଛାତ୍ରୀଙ୍କ ପୋଷାକ ବଣ୍ଟନ ବାବଦରେ ପ୍ରଥମ ପର୍ଯ୍ୟାୟରେ ୭୮ ଲକ୍ଷ ଟଙ୍କା ଆସିଛି ୮ ଶହ ୩ ଜଣ ଛାତ୍ର ଛାତ୍ରୀଙ୍କ ପୋଷାକ ବାବଦ ରେ ଟଙ୍କା ପଡ଼ିନାହିଁ ବୋଳି କହିଛନ୍ତି ।

ତେବେ କୋକସରା ବ୍ଲକରେ ଦୁଇଜଣ ବ୍ୟବସାୟୀ ଲଡୁଗାଁର ଶ୍ରୀରାମ ଟ୍ରେଡର୍ସ ଓ କୋକସରାର ବଜରଙ୍ଗବଳି ଡ୍ରେସେସ୍ ଚଳିତ ବର୍ଷ ପୋଷାକ ଓ ଜୋତା ବଣ୍ଟନ କରିଥିବା ଜଣାପଡ଼ିଛି । ଏହି ଦୁଇଜଣ ବ୍ୟବସାୟୀ ଶିକ୍ଷା ବିଭାଗର ଅନେକ ଦୁର୍ନୀତି ଗ୍ରସ୍ତ ଅଧିକାରୀ ଓ ପ୍ରଧାନ ଶିକ୍ଷକ ମାନଙ୍କ ପ୍ରୋତ୍ସାହନରେ ଆଜିକୁ ଅନେକ ବର୍ଷ ହେବ ପୋଷାକ ବଣ୍ଟନ କରି ଆସୁଛନ୍ତି । ବ୍ଳକ ଶିକ୍ଷା ବିଭାଗରେ କାର୍ଯ୍ୟରତ ଥିବା ବିଭାଗୀୟ ଅଧିକାରୀ, ସିଆରସିସି ସମେତ ସ୍କୁଲର ପ୍ରଧାନ ଶିକ୍ଷକଙ୍କ ସହ ଏହି ବ୍ୟବସାୟୀଙ୍କ ଭିତରି ବୁଝାମଣା ରହିଛି । ଅନ୍ୟ କେଉଁ ନୂଆ ବ୍ୟବସାୟୀ ପୋଷାକ ବଣ୍ଟନ ପାଇଁ କୋଟେସନ ପକାଇଲେ ମଧ୍ୟ ବିଭାଗୀୟ ଅଧିକାରୀ ଓ ସ୍କୁଲ ପ୍ରଧାନ ଶିକ୍ଷକ ଉପରେ ଚାପ ପକାଇ ଏହି ଦୁଇ ପୁରୁଣା ବ୍ୟବସାୟୀ ତାହାକୁ ପ୍ରତ୍ୟାହାର କରି ଆସୁଥିବା ନେଇ ଅଭିଯୋଗ ହେଉଛି ।

କୋକସରା ବ୍ଲକର କିଛି ଶିକ୍ଷକ ନିଜ ନାମ ଗୋପନ ରଖି କହିଛନ୍ତି ଯେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହିଁ ପୋଷାକ ଚୟନ କରୁଥିବା ବେଳେ ପରିଚାଳନା କମିଟି କେବଳ ନାମକୁ ମାତ୍ର ରହିଥିବା ସହ ଯେଉଁ ବ୍ୟବସାୟୀ ଅଧିକ କମିଶନ ଦିଅନ୍ତି ତାଙ୍କ ପୋଷାକ ପ୍ରଧାନ ଶିକ୍ଷକ ହିଁ ଚୟନ କରିଥାନ୍ତି ଓ ବ୍ୟାପକ ମାତ୍ରାରେ ଦୁର୍ନୀତିକୁ ପ୍ରୋତ୍ସାହନ ଦେଇଥାନ୍ତି । କୌଣସି ସହକାରୀ ଶିକ୍ଷକ କିମ୍ବା ପରିଚାଳନା କମିଟିର ସଦସ୍ୟଙ୍କୁ ଟଙ୍କା ଟିଏ ମଧ୍ୟ ନଦେଇ ନିଜେ ଚଳୁ କରିଥାନ୍ତି ବୋଲି କହିଛନ୍ତି । ପୋଷାକ ବଣ୍ଟନର ଏହି ଗୋରଖ ଧନ୍ଦାରେ ଉପରୁ ତଳ ପର୍ଯ୍ୟନ୍ତ ଶିକ୍ଷା ବିଭାଗର ଅନେକ କର୍ମଚାରୀଙ୍କ ହାତ ରହିଥିବା ନେଇ ବିଭିନ୍ନ ସମୟରେ ଚର୍ଚ୍ଚା ହୋଇ ଆସୁଥିଲେ ମଧ୍ୟ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀ ମାନେ ଚୁପ୍ ରହିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଚଳିତ ବର୍ଷ ମଧ୍ୟ କୋକସରା ବ୍ଳକରେ ପୋଷାକ ବଣ୍ଟନରେ ବ୍ୟାପକ ଅନିୟମିତତା ହେବା ସହ ନିମ୍ନମାନର ପୋଷାକ ବଣ୍ଟନ ହୋଇଥିବା ନେଇ ବିଭିନ୍ନ ସ୍ଥାନରେ ଚର୍ଚ୍ଚା ଜୋର ଧରିଛି । ଏଣୁ ଏହାର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରିବାକୁ ସଚେତନ ବୁଦ୍ଧିଜୀବୀ ଓ ଜନ ସାଧାରଣ ଦାବି କରିଛନ୍ତି । ଏ ଦୁର୍ନୀତି ସମ୍ପର୍କରେ କୋକସରା ଏବିଇଓ ତଥା ବି ଆର୍ ସି ସି ତୋଫାନ ମାଝୀଙ୍କୁ ପଚାରିବାରୁ ଗାଇଡଲାଇନ ଅନୁଯାୟୀ ସମସ୍ତ ସି ଆର୍ ସି ସି ମାନଙ୍କୁ ପୋଷାକ କିଣିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । କୌଣସି ବ୍ୟବସାୟୀଙ୍କ ଠାରୁ କିଣିବା ପାଇଁ କାହାକୁ କୁହାଯାଇନି କି ନିମ୍ନମାନର ପୋଷାକ ବଣ୍ଟନ କରାଯାଇଥିବା ଅଭିଯୋଗ ଆଜି ଯାଏ ହୋଇନଥିବା କହିଛନ୍ତି ।

Leave A Reply

Your email address will not be published.