ଫାଣ୍ଡି ପରିସରରୁ କଙ୍କାଳ ମିଳିବା ଘଟଣା: ମହିଳା ଥାନା ଖୋଜିବ କଙ୍କାଳ କାହାର

162

ଭୁବନେଶ୍ୱର: ଯାଆଁଳା ଫାଣ୍ଡି ପରିସରରୁ ମିଳିଥିବା କଙ୍କାଳର କାହାଣୀକୁ ନେଇ ଯେତିକି ରହସ୍ୟ ରହିଛି,ତାଠୁ ଅଧିକ ପୋଲିସର ଖାମଖିଆଲି ମନୋଭାବକୁ ପ୍ରକାଶ କରୁଛି । କାରଣ ୬ ମାସ ପୂର୍ବରୁ ମୃତ୍ୟୁ ହୋଇଥିବା ଜଣେ ମହିଳାଙ୍କ ମୃତଦେହ କଙ୍କାଳ ରୁପରେ ସାମ୍ନାକୁ ଆସିବ ଏବଂ କଙ୍କାଳ ମିଳିବାର ପ୍ରାୟ ଗୋଟିଏ ମାସ ଯାଏଁ କୌଣସି ଖବର ସାମ୍ନାକୁ ନଆସିଥିବା ବେଳେ ଅଚାନକ୍ ଥାନା ଅଧିକାରୀ ନିଲମ୍ବିତ ହୋଇଯିବେ । ତେବେ ଏହାକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ୍ ।

ଗଞ୍ଜେଇ ଚାଲାଣ ମାମଲାରେ ପୋଲିସ୍ ଜବତ କରିଥିବା ଗାଡ଼ିର ମାଲିକ ବି ଚକମି ପଡ଼ିଥିଲେ, ଯେତେବେଳେ ଗାଡ଼ି ମୁକୁଳାଇବାକୁ ଆସି ନିଜ ଗାଡ଼ି ଭିତରୁ କଙ୍କାଳ ଦେଖିଲେ । ଗାଡ଼ି ମାଲିକଙ୍କ କହିବା କଥା ହେଲା,ଗାଡ଼ିରେ ଥିବା ମୃତ ଦେହରେ କେବଳ କଙ୍କାଳ ଥିଲା,ଆଉ ଗନ୍ଧ ବି ବାହାରୁଥିଲା । ଯେଉଁ ଗନ୍ଧ, ମାସ ମାସ ଧରି ଯାଆଁଳା ପୋଲିସର ନାକରେ ନପଡ଼ିବା ସନ୍ଦେହ ସୃଷ୍ଟି କରିଛି ।

ପ୍ରାୟ ଗୋଟିଏ ମାସ ହେଲା ମନ୍ଥର ଗତିରେ ଚାଲିଥିବା ତଦନ୍ତ ଏବେ ଖୀପ୍ର ହୋଇଛି । ମୃତ ମହିଳାଙ୍କ ପରିଚୟ ଖୋଜିବା ପାଇଁ କଙ୍କାଳକୁ ହାଇଦ୍ରାବାଦ ପଠାଯିବା ସହ ଏକ ସ୍କେଚ୍ ପ୍ରସ୍ତୁତ କରିବା ଉପରେ ଜୋର ଦେଇଛି କମିଶନରେଟ୍ ପୋଲିସ୍ ।

ସେହିପରି କେଉଁ ପରିସ୍ଥିତିରେ ମହିଳାଙ୍କ ମୃତ୍ୟୁ ହେଲା ? କେଉଁ ପରିସ୍ଥିତିରେ ମହିଳା କିମ୍ବା ମୃତଦେହ ଗାଡ଼ିକୁ ଆସିଲା ? ସେ ଦିଗରେ ତଦନ୍ତ ଆଗକୁ ବଢ଼ାଇବା ପାଇଁ ମାମଲାକୁ ମହିଳା ଥାନାକୁ ହସ୍ତାନ୍ତର କରାଯାଇଛି । ଉଠୁଥିବା ଏହି ସବୁ ପ୍ରଶ୍ନ ଭିତରେ ଆଶା କରିବା ଯେ, ମହିଳାଙ୍କ ପରିଚୟ ମିଳିବ ଏବଂ କେଉଁ ପରିସ୍ଥିତି ମହିଳାଙ୍କ ମୃତ୍ୟୁ ହେଲା,ତାହା ଉପରେ ପରଦା ଉଠାଇବାରେ ସମର୍ଥ ହେବ କମିଶନରେଟ୍ ପୋଲିସ୍ ।

Leave A Reply

Your email address will not be published.