ସମ୍ବଲପୁର : ଏସସିବି ମେଡ଼ିକାଲରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର୍ ହେବା ଓ ତେଲେଙ୍ଗାନାରୁ ପୋଲିସ ତାକୁ ଗିରଫ କରିବା ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ରଖି ସମ୍ବଲପୁର ଏସପି ବି. ଗଙ୍ଗାଧର କହିଛନ୍ତି ଯେ, କମିଶନରେଟ ପୋଲିସ ଘଟଣାର ତଦନ୍ତ କରୁଛି । ମାମଲା ତଦନ୍ତାଧିନ ରହିଥିବାରୁ ଏନେଇ କିଛି କହିବା ଠିକ୍ ହେବନି । ଆମେ ଏଥିରେ ସହଯୋଗ କରୁଛୁ, ଜଣାଥିବା ସମସ୍ତ ତଥ୍ୟ ଦେଇଛୁ । ଅନ୍ୟପକ୍ଷରେ ହାଇଦର ଫେରାର୍ ଘଟଣାରେ ନିଲମ୍ବିତ ୬ ଜଣ ପୋଲିସ କର୍ମଚାରୀ ଏବେ କଟକରେ ଅଛନ୍ତି । ସେମାନଙ୍କ ସମ୍ପୃକ୍ତି ରହିଛି କି ନାହିଁ ତାହାର ତଦନ୍ତ ମଧ୍ୟ ପୋଲିସ କରିବ ବୋଲି ସେ କହିଛନ୍ତି ।
ପ୍ରକାଶ ଥାଉ କି, କଟକ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସାଧିନ ଥିବା ହାଇଦର ଗତ ୧୦ ତାରିଖରେ ଅପରାହ୍ନରେ କୌଶଳ କ୍ରମେ ସେଠାରୁ ଫେରାର୍ ହୋଇଯାଇଥିଲା । କମିଶନରେଟ ପୋଲିସର ସ୍ୱତନ୍ତ୍ର ଟିମ୍ ତେଲେଙ୍ଗାନା ପୋଲିସର ସହାୟତାରେ ଗତ ୧୫ ତାରିଖରେ ତେଲେଙ୍ଗାନାର ସଙ୍ଗାରେଡ୍ଡି ଜିଲ୍ଲାରୁ ଗ୍ୟାଙ୍ଗଷ୍ଟର ହାଇଦରକୁ ଗିରଫ କରିବାରେ ସଫଳ ହୋଇଥିଲା । ୧୨୦ ଘଂଟାର ଅପରେସନ ପରେ ପୋଲିସ ତାକୁ ଗିରଫ କରିବାରେ ସଫଳ ହୋଇଥିଲା । ପରେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ତାକୁ ଚୌଦ୍ୱାର ଜେଲ୍ ର ଆଇସୋଲେସନ ୱାର୍ଡ଼ରେ ରଖାଯାଇଛି । ତାର ରିମାଣ୍ଡକୁ ସ୍ଥଗିତ ରଖାଯାଇଛି ।