ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ଚିଲିକା ତହସିଲ ଅଧିନସ୍ଥ ଚିଲିକା କୂଳ ହାଟବରଡି ପେଣ୍ଠ ଏରିଆରେ ଥିବା ୪୨ ଏକର ଜାଗାରୁ ବେଆଇନ ଚିଙ୍ଗୁଡ଼ି ଘେରୀ ଉଛେଦ କରିଛି ପ୍ରଶାସନ । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଖୋର୍ଦ୍ଧା ଉପଜିଲ୍ଲାପାଳ, ଚିଲିକା ତହସିଲଦାର, ଫିସରି ଡିପାର୍ଟମେଣ୍ଟ, CDA, ପୋଲିସ ପ୍ରଶାସନ ପକ୍ଷରୁ ମିଳିତ ଭାବେ ଚିଲିକା ମଧ୍ୟରୁ ଏହି ଘେରୀ ଉଛେଦ କରାଯାଇଛି ।
ମେ ୩୧ ତାରିଖ ସୁଦ୍ଧା ଖୋର୍ଦ୍ଧା ଜିଲ୍ଲାର ଚିଲିକା ହ୍ରଦ ବେଆଇନ ଘେରୀ ମୁକ୍ତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲାପାଳ ମାନ୍ୟବର ଅଦାଲତଙ୍କୁ ଜଣାଇଛନ୍ତି । ସାଟେଲାଇଟ୍ କ୍ୟାମେରା ଦ୍ୱାରା ବେଆଇନ ଚିଙ୍ଗୁଡ଼ି ଘେରୀ ଚିହ୍ନଟ କରାଯିବା ପରେ ଏହି ଘେରୀ ଉଛେଦ କରାଯାଇଛି ବୋଲି ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦେଇଛନ୍ତି । ଅନ୍ୟପଟରେ ଚିଲିକାକୁ ଘେରୀ ମୁକ୍ତ କରିବା ପାଇଁ ଚିଲିକା ମସ୍ଛଜୀବୀ ମହାସଂଘ ଦୀର୍ଘଦିନ ହେଲା ଦାବି କରି ଆସୁଥିଲା ।