-ମୃତ ଜ୍ୟୋତିପ୍ରକାଶଙ୍କ ପରିବାର ପାଇଁ ୪ ଲକ୍ଷ ଟଙ୍କାର ସହାୟତା ଘୋଷଣା
ଭୁବନେଶ୍ୱର :ରାଜଧାନୀ ଭୁବନେଶ୍ୱରରେ ପାଣି ସୁଅରେ ଭାସି ଯାଇଥିବା ଦଶମ ଶ୍ରେଣୀର ଛାତ୍ରଙ୍କର ମୃତଦେହ ସୋମବାର ସକାଳେ ମିଳିଛି । ସେ ଜ୍ୟୋତିପ୍ରକାଶ ବେହେରା ଓରଫ୍ ରାଜା ବୋଲି ତାଙ୍କର ପରିବାର ବର୍ଗ ଚିହ୍ନଟ କରିଥିବା ଜଣାଯାଇଛି ।
ଏଠାରେ ଉଲ୍ଲେଖ କରା ଯାଇ ପାରେ ଯେ ଶିରିପୁର ଶତାବ୍ଦୀ ନଗର ବ୍ୟାଙ୍କ କଲୋନିର ଓ ଦଶମ ଶ୍ରେଣୀର ଛାତ୍ର ଜ୍ୟୋତିପ୍ରକାଶ ଗତ କାଲି ମୁକୁଳା ଡ୍ରେନରେ ଭାସିଯାଇ ସେ ନିଖୋଜ ଥିଲେ । । ପ୍ରବଳ ବର୍ଷା ପରେ ଡ୍ରେନରେ ଚାଲିଥିବା ପାଣି ସୁଅରେ ପଡ଼ିଯିବାରୁ ଭାସି ଯାଇଥିଲେ ।
ଦୀର୍ଘ ସମୟର ଅପରେସନ ପରେ ପଂଚସଖା ନଗର ମୁଖ୍ୟ ଡ୍ରେନ୍ ନିକଟ ବୁଦା ଭିତରୁ ମୃତଦେହକୁ ଉଦ୍ଧାର କରାଯାଇଛି।
ଭୁବନେଶ୍ୱର ଶତାବ୍ଦୀନଗରରେ ପାଣି ସୁଅରେ ଭାସିଯାଇ ମୃତ୍ୟୁବରଣ କରିଥିବା ଛାତ୍ର ଜ୍ୟୋତିପ୍ରକାଶ ବେହେରାଙ୍କ ପରିବାର ପାଇଁ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରାଯାଇଛି । ରିଲିଫ୍ କୋଡ୍ ଅନୁସାରେ ଜ୍ୟୋତିପ୍ରକାଶଙ୍କ ପରିବାରବର୍ଗକୁ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଦିଆଯିବ ବୋଲି ସୂଚନା ଦେଇଛନ୍ତି ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ।