ମହାମାରୀ ମହାଯୁଦ୍ଧକୁ ପୂରିଲା ବର୍ଷେ: ବିଶ୍ୱକୁ ବାଟ ଦେଖାଇଥିଲେ ନବୀନ

173

ଆଜିକୁ ଠିକ୍ ବର୍ଷ ତଳେ ରାଜ୍ୟରେ କରୋନା ମହାମାରୀ ବିରୋଧରେ ଆରମ୍ଭ ହୋଇଥିଲା ମହାଲଢ଼େଇ । ଆଉ ଏହି ମହାଲଢ଼େଇର ମଙ୍ଗ ଧରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲକ୍ଡାଉନ୍ ଓ ସଟ୍ଡାଉନ୍ଠାରୁ ଆରମ୍ଭ କରି ପ୍ରତି କ୍ଷେତ୍ରରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲାଭଳି ସେ ନିଷ୍ପତ୍ତି ନେଇଥିଲେ । ରାତାରାତି ଅସ୍ଥାୟୀ ମେଡିକାଲ ଛିଡ଼ା କରିବା ସହ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରିବା ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଥିଲା । କରୋନା ଭୂତାଣୁକୁ ନାଶ କରିବା ପାଇଁ ନବୀନ ଯେଉଁ ପଦକ୍ଷେପ ନେଇଥିଲେ ତାହା ପରବର୍ତ୍ତୀ ସମୟରେ ଦେଶ ତଥା ବିଦେଶରେ ମହାମାରୀ ମୁକାବିଲାରେ ଓଡ଼ିଶାକୁ ରୋଲ୍ ମଡେଲ୍ ଭାବେ ସାମ୍ନାକୁ ଆଣିଥିଲା । ନୂଆ ଭାଇରସ୍ ହୋଇଥିବାରୁ କେମିତି ଏହାର ମୁକାବିଲା କରାଯିବ ସେ ନେଇ ଅନ୍ୟ ରାଜ୍ୟଗୁଡ଼ିକ ଟେର ପାଉନଥିବା ବେଳେ ପୂରା ଦେଶକୁ କରୋନା ସହ ଲଢ଼େଇ କରିବାର ଫର୍ମୂଲା ବତାଇଥିଲେ ନବୀନ ।

ଭୁବନେଶ୍ୱର: ଆଜିର ଦିନ ୨୦୨୦ । ଠିକ୍ ବର୍ଷକ ତଳେ ଆଜିର ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନାକୁ ବିପର୍ଯ୍ୟୟ ବୋଲି ଘୋଷଣା କରିଥିଲେ । ଦେଶର କୌଣସି ରାଜ୍ୟ କରୋନାର ଭୟାବହତାକୁ ବୁଝିବା ପୂର୍ବରୁ ଆଗୁଆ ସତର୍କତା ମୁଳକ ପଦକ୍ଷେପ ଭାବେ ମୁଖ୍ୟମନ୍ତ୍ରୀ ଏହାକୁ ବିପର୍ଯ୍ୟୟ ଭାବେ ଘୋଷଣା କରିଥିଲେ । ୨୦୨୦ ମାର୍ଚ୍ଚ ୧୩ ତାରିଖରେ ରାଜ୍ୟର ସମସ୍ତ ସିନେମା ହଲ, ସୁଇମିଂ ପୁଲ୍ ଓ ଜିମ୍ ତଥା ସ୍କୁଲକୁ ବନ୍ଦ କରିବାକୁ ଆଦେଶ ଦେଇଥିଲେ ସରକାର । ଏହାପରେ ଆସିଥିଲା ଲକଡାଉନ୍ ।

ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ଲକଡାଉନ୍ ଘୋଷଣା ହୋଇଥିଲା । ଯାହାକୁ ପରେ କେନ୍ଦ୍ର ସରକାର ଅନୁସରଣ କରିଥିଲେ । ଦେଶବ୍ୟାପୀ ଲକ୍ଡାଉନ୍ ଘୋଷଣା ପୂର୍ବରୁ ଓଡ଼ିଶାର ୫ଟି ଜିଲ୍ଲାରେ ଲାଗୁ ହୋଇଥିଲା ଲକଡାଉନ୍ । ୫ ଜିଲ୍ଲା ସହିତ ରାଜ୍ୟର ୮ ବଡ ସହରରେ ମଧ୍ୟ ଲକଡାଉନ୍ ଲାଗୁ ହୋଇଥିଲା । ଏହି ଲକ୍ଡାଉନ୍ କାଳରେ ସାଧାରଣ ପରିବହନ ସେବା, ଦୋକାନବଜାର, ଅଫିସ,କାରଖାନା ବନ୍ଦ ରହିଥିଲା । ଦେଶବ୍ୟାପି ଲକ୍ଡାଉନ୍ କାଳରେ ଓଡ଼ିଶାରେ ଲକ୍ଡାଉନ୍କୁ ପୁଣିଥରେ ବଢା ଯାଇଥିଲା । ମାର୍ଚ୍ଚ ୨୪ ତାରିଖରେ ରାଜ୍ୟ ସରକାର ଲକ୍ଡାଉନ୍କୁ ୨୯ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ । ସେତେବେଳେ ଓଡ଼ିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଥିଲା ।

ମାର୍ଚ୍ଚ ୨୫ରୁ ଏପ୍ରିଲ ୧୪ ପର୍ଯ୍ୟନ୍ତ ପୂରା ଦେଶ ତାଲବନ୍ଦ ଥିଲା । କିନ୍ତୁ କରୋନା ବେକାବୁ ଥିଲା । ଯାହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ମଇ ୩ ପର୍ଯ୍ୟନ୍ତ ଲକ୍ଡାଉନ୍ ବଢାଇଥିଲେ । କିନ୍ତୁ ଏହାପୂର୍ବରୁ ହିଁ ରାଜ୍ୟ ସରକାର ଏପ୍ରିଲ ୧୪ରେ ଲକ୍ଡାଉନ୍ ଉଠିବ ନାହିଁ ବୋଲି ଘୋଷଣା କରିସାରିଥିଲେ । ରାଜ୍ୟ ସରକାର ଲକ୍ଡାଉନ୍ ଅବଧିକୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ବଢାଇ ଦେଇଥିଲେ । କରୋନା ବିରୋଧରେ ପ୍ରୋଆକ୍ଟିଭ ଥିଲେ ରାଜ୍ୟ ସରକାର । ମାର୍ଚ୍ଚ ଆରମ୍ଭରୁ ହିଁ ବିଭିନ୍ନ ପଦକ୍ଷେପ ନିଆଯାଇଥିଲା । ମାର୍ଚ୍ଚ ୧୮ତାରିଖରେ ସରକାର ଓଡ଼ିଶା କୋଭିଡ୍-୧୯ ନିୟାମକ ୨୦୨୦ ଜାରି କରିଥିଲେ । ଯାହାର ଅବଧି ଗୋଟିଏ ବର୍ଷ ଥିଲା ।

ସରକାରୀ ଓ ବେସରକାରୀ ହସ୍ପିଟାଲରେ କୋଭିଡ ସଂକ୍ରମିତଙ୍କ ଚିକିତ୍ସା ପାଇଁ ସ୍ୱ୍ୱତନ୍ତ୍ର ବ୍ୟବସ୍ଥା ପାଇଁ ରେଗୁଲେସନ୍ ରେ କୁହାଯାଇଥିଲା । ଏହି ସମୟରେ ବିଦେଶରୁ ଆସୁଥିବା ଲୋକ ରାଜ୍ୟ ସରକାରଙ୍କପାଇଁ ବଡ ଚିନ୍ତା ଥିଲେ । ବିଦେଶରୁ ଆସୁଥିବା ବ୍ୟକ୍ତି କୋଭିଡ୍ ପୋର୍ଟାଲରେ ୨୪ ଘଣ୍ଟାରେ ନିଜ ନାମ ପଞ୍ଜିକରଣ କରିବାକୁ କୁହାଯାଇଥିଲା । ସେମାନଙ୍କୁ ୧୪ ଦିନ ପର୍ଯ୍ୟନ୍ତ ହୋମ୍ କ୍ୱାରେଣ୍ଟାଇନ୍ରେ ରହିବାକୁ ମଧ୍ୟ କୁହାଯାଇଥିଲା । ନାମ ପଞ୍ଜିକରଣ ଓ ହୋମ୍ କ୍ୱାରେଣ୍ଟାଇନ୍ରେ ରହିବା ପାଇଁ ସରକାର ୧୫ ହଜାର ଟଙ୍କାର ଇନ୍ସେଣ୍ଟିଭ୍ ମଧ୍ୟ ଦେଇଥିଲେ । ଏହା ସହିତ ଜେଲ୍ରେ ଭିଡ କମାଇବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରିଥିଲେ । ଗଣମାଧ୍ୟମ ପାଇଁ ମଧ୍ୟ ଗାଇଡ୍ଲାଇନ୍ ଜାରି ହୋଇଥିଲା ।

ଏହି ଗାଇଡ୍ଲାଇନ୍ ଅନୁସାରେ କରୋନା ସଂକ୍ରମିତ, ସେମାନଙ୍କ ପରିବାରବର୍ଗ କିମ୍ବା ସେମାନଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କ ସାକ୍ଷାତକାର ନନେବାକୁ ଏଥିରେ କୁହାଯାଇଥିଲା । କରୋନା ବାବଦରେ ସାଧାରଣ ଲୋକଙ୍କୁ ସୂଚିତ ଓ ସଚେତନ କରିବା ପାଇଁ ଦୈନିକ ବୁଲେଟିନ୍ ମଧ୍ୟ ଜାରି ହୋଇଥିଲା । ବର୍ଷକ ପରେ କରୋନାର ପ୍ରକୋପ କିଛିଦିନ ପାଇଁ କମିଥିଲା । କିନ୍ତୁ ଏବେ ଏହା ଦେଶରେ ପୁଣିଥରେ କମ୍ବ୍ୟାକ୍ କରୁଥିବା ଭଳି ଲାଗୁଛି । ମହାରାଷ୍ଟ୍ର ଭଳି ରାଜ୍ୟର କିଛି ସହରରେ ମାର୍ଚ୍ଚ ମାସରେ ପୁଣିଥରେ ଲକ୍ଡାଉନ୍ ଲାଗୁ ହୋଇଛି ।

ଏମିତିରେ କରୋନା ଚାଲିଗଲା ବୋଲି ଭାବିବା ମାରାତ୍ମକ ଭୁଲ ହେବ । ବର୍ଷକ ପରେ ମଧ୍ୟ କରୋନାର ଆତଙ୍କ ସେମିତି ରହିଛି । ଆତଙ୍କ ଓ ବିପଦ ମଧ୍ୟରେ ରହିଛି ସତର୍କତାର ପତଳା ଗାର । ତେବେ ସତର୍କ ରୁହନ୍ତୁ ଓ ସୁରକ୍ଷିତ ରୁହନ୍ତୁ । କରୋନା କାୟା ମେଲାଇବା ପୂର୍ବରୁ କିଭଳି ଏହାକୁ ରୋକାଯାଇପାରିବ ସେଥିନେଇ ସାରା ଦେଶ ଶଙ୍କାରେ ପଡ଼ିଥିବା ବେଳେ ଏଭଳି କଠିନ ପରିସ୍ଥିତିରେ ନବୀନ ନେଇଥିଲେ ସାହସିକ ନିଷ୍ପତ୍ତି । ୧୩ ମାର୍ଚ୍ଚରେ କରୋନାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିବା ସହିତ ଶିକ୍ଷାନୁଷ୍ଠାନ, ସିନେମାହଲ ଓ ସ୍ୱିମିଂପୁଲ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ । ଏଥିସହିତ ଲୋକଙ୍କୁ ସଚେତନ କରିବା ପାଇଁ ଟିକିନିଖି ତଥ୍ୟ ଦେବାକୁ ସୁବ୍ରତ ବାଗ୍ଚୀଙ୍କୁ ଏହି ଲଢ଼େଇରେ ସାରଥୀ ଭାବେ ବାଛିଥିଲେ ।

Leave A Reply

Your email address will not be published.