ଭାରତର ସକ୍ରିୟ କରୋନା ମାମଲା ୬୩ ଦିନ ପରେ ୧୧ ଲକ୍ଷରୁ କମ୍ ରହିଲା
ନୂଆଦିଲ୍ଲୀ : ୬୩ ଦିନ ପରେ ଭାରତର ସକ୍ରିୟ କରୋନା ମାମଲା ୧୧ ଲକ୍ଷରୁ କମ୍ ଅର୍ଥାତ ୧୦,୮୦,୬୯୦କୁ ହ୍ରାସ ପାଇଛି । ଗତ ୨୪ ଘଂଟା ମଧ୍ୟରେ ସକ୍ରିୟ ମାମଲା ୪୦,୯୮୧ ହ୍ରାସ ପାଇଛି । ଗତ ୨୪ ଘଂଟା ମଧ୍ୟରେ ଭାରତରେ ନୂଆ କରୋନା ମାମଲା ସଂଖ୍ୟା ୮୪,୩୩୨ ରହିଛି; ଯାହା ୭୦ ଦିନରେ ସର୍ବନିମ୍ନ । ବର୍ତ୍ତମାନ ସୁଦ୍ଧା ସାରା ଦେଶରେ ମୋଟ ୨,୭୯,୧୧,୩୮୪ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି ।
ଗତ ୨୪ ଘଂଟା ମଧ୍ୟରେ ୧,୨୧,୩୧୧ ଜଣ ରୋଗୀ ସୁସ୍ଥ ହୋଇଛନ୍ତି । କ୍ରମାଗତ ୩୦ ଦିନ ମଧ୍ୟରେ ଦୈନିକ ନୂତନ କରୋନା ସଂକ୍ରମିତଙ୍କ ସଂଖ୍ୟା ଠାରୁ ଦୈନିକ ସୁସ୍ଥ ରୋଗୀଙ୍କ ସଂଖ୍ୟା ଅଧିକ ହେବାରେ ଲାଗିଛି । ସୁସ୍ଥତା ହାର ୯୫.୦୭ ପ୍ରତିଶତକୁ ବୃଦ୍ଧି ପାଇଛି । ସାପ୍ତାହିକ ପଜିଟିଭିଟି ହାର ୫ ପ୍ରତିଶତରୁ ତଳକୁ ହ୍ରାସ ପାଇଛି, ବର୍ତ୍ତମାନ ଏହା ୪.୯୪ ପ୍ରତିଶତରେ ରହିଛି । ଦୈନିକ ପଜିଟିଭିଟି ହାର ୪.୩୯ ପ୍ରତିଶତ, ଯାହା କ୍ରମାଗତ ଭାବେ ୧୯ ଦିନ ମଧ୍ୟରେ ଏହା ୧୦ ପ୍ରତିଶତ ତଳେ ରହିଛି । ପରୀକ୍ଷଣ କ୍ଷମତା ବହୁ ପରିମାଣରେ ବୃଦ୍ଧି ପାଇଛି – ବର୍ତ୍ତମାନ ସୁଦ୍ଧା ସମୁଦାୟ ୩୭.୬୨ କୋଟି ପରୀକ୍ଷା କରାଯାଇଛି । ଦେଶବ୍ୟାପୀ ଚାଲିଥିବା ଟିକାକରଣ ଅଭିଯାନରେ ଏପର୍ଯ୍ୟନ୍ତ ମୋଟ ୨୪.୯୬ କୋଟି ଡୋଜ ଟିକା ଦିଆଯାଇଛି ।