-ଖୁବଶୀଘ୍ର ପୂରଣ ହେବ ୨ହଜାରରୁ ଅଧିକ ଡାକ୍ତର ପଦବୀ
-ବିଶ୍ୱସ୍ତରୀୟ ପ୍ରତିଷ୍ଠାନ ହେବ ଏସ୍ସିବି ମେଡିକାଲ
-୯ ମେଡିକାଲ କଲେଜ ଓ ୫ ନୂଆ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କାର୍ଯ୍ୟର ସମୀକ୍ଷା
ଭୁବନେଶ୍ୱର: ସ୍ୱାସ୍ଥ୍ୟସେବାକୁ ରାଜ୍ୟ ସରକାର ସର୍ବାଧିକ ପ୍ରାଥମିକତା ଦେଇଆସିଛନ୍ତି । ରାଜ୍ୟବାସୀଙ୍କୁ ଅତ୍ୟାଧୁନିକ ତଥା ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛନ୍ତି । କଟକ ଶ୍ରୀରାମଚନ୍ଦ୍ର ମେଡିକାଲ କଲେଜକୁ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଭାବରେ ଗଢିତୋଳିବା ପାଇଁ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ସେହିପରି ନୂଆକରି ରାଜ୍ୟ ସରକାର ଗଢିଥିବା ୯ଗୋଟି ମେଡିକାଲ କଲେଜଗୁଡିକର ଭିତ୍ତିଭୂମିର ବିକାଶ କାର୍ଯ୍ୟକ୍ରମ ସହ ୫ଗୋଟି ନୂଆ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତଥା ୬ଗୋଟି ମୁଖ୍ୟ ଚିକିତ୍ସାଳୟର ଉନ୍ନତିକରଣ କାର୍ଯ୍ୟ ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମୀକ୍ଷା କରିଛନ୍ତି ।
ଝାରସୁଗୁଡାଠାରେ କାର୍ଡିଆକ୍ କେୟାର ଡାକ୍ତରଖାନା, କଟକ ଶିଶୁଭବନରେ ପି.ଜି. ଛାତ୍ରଛାତ୍ରୀଙ୍କ ପାଇଁ ମଲଟି ୟୁଟିଲିଟି କମ୍ପେ୍ଲକ୍ସ, ଆ·ର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲର ଲିନାକ ବ୍ଲକ୍,କ୍ୟାପିଟାଲ ହସ୍ପିଟାଲର ବିକାଶ ତଥା ପିଜିଆଇ ଭାବରେ ଗଢିବା ଏବଂ ବରଗଡ କ୍ୟାନସର ହସ୍ପିଟାଲ ଆଦିର ନିର୍ମାଣ ସଂପର୍କରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା । ସ୍ୱାସ୍ଥ୍ୟସେବାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଏହିସବୁ ପ୍ରକଳ୍ପର କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ଶେଷ କରିବା ସହିତ ଏଥିରେ ସଂପୃକ୍ତ ବିଭିନ୍ନ ବିଭାଗ ସେମାନଙ୍କ ଦାୟିତ୍ୱକୁ ଉତ୍ତମ ସମନ୍ୱୟ ରକ୍ଷା କରି ନିର୍ବାହ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଅନ୍ୟାନ୍ୟ ବିଷୟମାନଙ୍କ ମଧ୍ୟରେ ନୂଆକରି ଖୋଲିବାକୁ ଥିବା ମେଡିକାଲ କଲେଜଗୁଡିକର ଅଧ୍ୟାପକ ପଦବୀ ତଥା ପେରିଫେରି ଡାକ୍ତରଖାନାର ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଆଦି ପଦବୀ ପୂରଣ ଏବଂ ଚିକିତ୍ସା ଉପକରଣ ସଂପର୍କରେ ବୈଠକରେ ଆଲୋଚନା ହୋଇଥିଲା । ଓପିଏସ୍ସି ପକ୍ଷରୁ ପ୍ରାୟ ୨୦୦୦ରୁ ଅଧିକ ଡାକ୍ତର, ଦନ୍ତ ଚିକିତ୍ସକ ପଦବୀ ପୂରଣ ପାଇଁ ବିଜ୍ଞାପନ ପ୍ରକାଶ ପାଇବ ବୋଲି ଜଣାଯାଇଛି ।
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅଧିକରୁ ଅଧିକ ସାଧାରଣ ଲୋକ ଯେପରି ସୁବିଧା ପାଇପାରିବେ ସେ ବିଷୟରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା । ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ପ୍ରଦୀପ ଜେନା, ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ. ମହାପାତ୍ର, ଅର୍ଥ ବିଭାଗର ପ୍ରମୁଖ ସଚିବ ଅଶୋକ ମୀନା ପ୍ରମୁଖ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି )ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଂଚାଳନା କରିଥିଲେ ଏବଂ ପୂର୍ତ୍ତ ସଚିବ କିଷନ କୁମାର ଭିତ୍ତିଭୂମି ବିକାଶ ସଂପର୍କରେ ଉପସ୍ଥାପନା ଦେଇଥିଲେ ।