ମନ୍ଦିର ପ୍ରବେଶ ପୂର୍ବରୁ ଥର୍ମାଲ ସ୍କ୍ରିନିଂ
ଦିବ୍ୟାଙ୍ଗ-ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା
ସୁରକ୍ଷା ଦାୟିତ୍ୱରେ ୨୫ ପ୍ଲାଟୁନ୍ ପୋଲିସ ଫୋର୍ସ
ପୁରୀ: ଆସନ୍ତା କାଲିଠାରୁ ଭକ୍ତ ବିନା କୋଭିଡ଼୍ ରିପୋର୍ଟରେ ନିର୍ବିଘ୍ନରେ ଶ୍ରୀମନ୍ଦିରକୁ ଯାଇ ଶ୍ରୀଜୀଉଙ୍କ ଦର୍ଶନ କରିପାରିପାରିବେ । ଏଥି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଜିଲ୍ଲାପାଳ ସମର୍ଥ ବର୍ମା ବର୍ମା ଭକ୍ତଙ୍କ ଦର୍ଶନ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ଜିଲ୍ଲାପାଳଙ୍କ ସମତେ କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ କୁମାର ସିଂହ, ପୁରୀ ଏସ୍ପି ଡଃ. କନୱର ବିଶାଲ ସିଂହ ଏହାର ସମୀକ୍ଷା କରି କିଭଳି ଦର୍ଶନ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରାଯିବ ସେନେଇ ଆଲୋଚନା କରିଛନ୍ତି । ପୁରୀ ବାସିନ୍ଦାଙ୍କ ପାଇଁ ସକାଳ ୬ଟାରୁ ୭ଟା ପର୍ଯ୍ୟନ୍ତ ସ୍ୱତନ୍ତ୍ର ଧାଡ଼ି ବ୍ୟବସ୍ଥା କରାଯାଇଛି ।
ସକାଳ ୭ଟା ପରେ ସାଧାରଣ ଭକ୍ତମାନେ ମନ୍ଦିରକୁ ଯାଇ ଶ୍ରୀଜୀଉମାନଙ୍କ ଦର୍ଶନ କରିପାରିବେ । ଏଥିଲାଗି ସେବାୟତଙ୍କ ସହ ପ୍ରଶାସନ ପକ୍ଷରୁ ଆଲୋଚନା ହୋଇଛି । ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଭକ୍ତଙ୍କ ପାଇଁ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି । ଥର୍ମାଲ୍ ସ୍କ୍ରିନିଂ ଓ ସାନିଟାଇଜ୍ ହେବା ପରେ ସିଂହଦ୍ୱାର ଦେଇ ମନ୍ଦିର ପ୍ରବେଶ କରିବେ ଶ୍ରଦ୍ଧାଳୁ । କୋଭିଡ଼୍ର କୌଣସି ଲକ୍ଷଣ ପରିଲକ୍ଷିତ ହେଉଥିଲେ କିମ୍ବା ସ୍କ୍ରିନିଂରୁ ଯଦି ଜଣାପଡେ ତେବେ ତାଙ୍କୁ ମନ୍ଦିର ଭିତରକୁ ଛଡାଯିବ ନାହିଁ । ସେହିପରି ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକ ମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ସେଥି ନିମନ୍ତେ ୨୫ ପୋଲିସ କର୍ମଚାରୀ ଦାୟିତ୍ୱରେ ରହିବେ ।
ଶ୍ରଦ୍ଧାଳୁଙ୍କ ଭିଡ଼ ଏଡାଇବା ଓ ଶୃଙ୍ଖଳିତ ଦର୍ଶନକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଏଥି ନିମନ୍ତେ ୨୪ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସୁରକ୍ଷା ଦାୟୀତ୍ୱରେ ୨୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ । ୨ ଜଣ ଅତିରିକ୍ତ ଏସପି, ୬ ଜଣ ଡିଏସ୍ପି ଓ ୧୨ଜଣ ଇନ୍ସପେକ୍ଟର, ୮୦ ଜଣ ଏସଆଇ, ଏଏସଆଇ ଏହାର ତଦାରଖ କରିବେ । ଭକ୍ତଙ୍କ ଗହଳି ଓ ଠେଲାପେଲା ରୋକିବାକୁ ସ୍ୱେଚ୍ଛାସେବୀମାନେ ନିୟୋଜିତ ରହିବେ । ପାନୀୟ ଜଳ ଯୋଗାଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ଉତର ଦ୍ୱାରରେ ଭକ୍ତଙ୍କ ବିଭିନ୍ନ ଅସୁବିଧା ସମ୍ପର୍କରେ ପୋଲିସ ଅଭିଯୋଗ ଶୁଣିବ ।
ଆଜି କେନ୍ଦ୍ରାଞ୍ଚଳ ଡିଆଇଜି, ଏସ୍ପି ଶ୍ରୀ ସିଂହ ମନ୍ଦିର ଚତୁପାଶ୍ୱର୍ର ସୁରକ୍ଷା ବ୍ୟବସ୍ଥା ଓ ଦର୍ଶନାର୍ଥୀଙ୍କ ପାଇଁ ହୋଇଥିବା ବ୍ୟାରିକେଡ୍ ବ୍ୟବସ୍ଥା ଓ ଉତ୍ତର ଦ୍ୱାରରେ କିପରି ଶୃଙ୍ଖଳିତ ଭାବେ ଶ୍ରଦ୍ଧାଳୁମାନେ ମନ୍ଦିରରୁ ପ୍ରସ୍ଥାନ କରିବେ ସେସବୁ ବୁଲି ଦେଖିଛନ୍ତି । ଜିଲ୍ଲାପାଳ, ଏସ୍ପିଙ୍କ ସମେତ ପୁରୀ ଏଏସ୍ପି, ଡିଆଇଜି ଏନେଇ ସମୀକ୍ଷା କରିବା ସହ କିଭଳି ଦର୍ଶନ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରାଯିବ ସେନେଇ ଆଲୋଚନା କରିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ, ପୂର୍ବରୁ ପ୍ରଶାସନ ପକ୍ଷରୁ ଦର୍ଶନ ପାଇଁ କୋଭିଡ଼୍ ନେଗେଟିଭ୍ ରିପୋର୍ଟକୁ ବାଧ୍ୟତାମୂଳକ କରାଯାଇଥିଲା । ଯାହାକୁ ନେଇ ଭକ୍ତଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖିବାକୁ ମିଳିଥିଲା ।