ଏହା ଲୋକତନ୍ତ୍ରର ବିଜୟ : ଆମେରିକାରେ ବାଇଡେନ୍ ଯୁଗ ଆରମ୍ଭ
ୱାଶିଂଟନ୍: ଆମେରିକା ଇତିହାସରେ ଯୋଡି ହୋଇଛି ଆଉ ଏକ ନୂଆ ଫର୍ଦ୍ଦ । ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ଜୋ ବାଇଡେନ । ଆମେରିକା ଇତିହାସରେ ସବୁଠାରୁ ବୟସ୍କ ରାଷ୍ଟ୍ରପତି ଭାବରେ ବାଇଡେନ୍ ଶପଥ ନେଇଛନ୍ତି । ଭାରତୀୟ ବଂଶୋଦ୍ଭବ କମଲା ହ୍ୟାରିସ୍ ଆମେରିକାର ପ୍ରଥମ କୃଷ୍ଣକାୟ ଓ ମହିଳା ଉପରାଷ୍ଟ୍ରପତି ଭାବେ ମଧ୍ୟ ଶପଥ ନେଇଛନ୍ତି । ସେ ହେଉଛନ୍ତି ଆମେରିକାର ୪୯ତମ ଉପରାଷ୍ଟ୍ରପତି । ଶପଥ ଗ୍ରହଣ ଅବସରରେ ବାଇଡେନ୍ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ବାଇଡୋନ୍ କହିଛନ୍ତି ଯେ, ଏହା ଗଣତନ୍ତ୍ରର ବିଜୟ, ଆମେରିକା ଏହାର ପରୀକ୍ଷାରେ ବିଜୟ ହୋଇଛି । ଏହା ଉତ୍ସବର ସମୟ । ବିଶ୍ୱର ବଡ ଦେଶ ଆମେରିକା ଆଜି ଏକ ନୂଆ ଇତିହାସ ସୃଷ୍ଟି କରିଛି । ଆମ ସମ୍ବିଧାନର ଓ ଦେଶର ରକ୍ଷା ହୋଇଛି । ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି ।
ବାଇଡେନ୍ କହିଛନ୍ତି ଯେ, ଏହା ଲୋକଙ୍କ ଦ୍ୱାରା ଗଠନ ହୋଇଥିବା ସରକାର ଓ ଲୋକଙ୍କ ପାଇଁ ସରକାର । ଦେଶ ସମ୍ମୁଖରେ କରୋନା ଏକ ବଡ ସଂକଟ । ଆମେ ସବୁ ପରିସ୍ଥିତିକୁ ସାମ୍ନା କରିବାକୁ ପ୍ରସ୍ତୁତ । ଯୁଦ୍ଧ ଏବଂ ଶାନ୍ତିରେ ଆମେରିକା ଆଗରେ । ହିଂସା ରାଜନୀତି ବିରୁଦ୍ଧରେ ଆମେ ଲଢ଼ିଛୁ ବୋଲି ସେ ତାଙ୍କ ସମ୍ବୋଧନରେ କହିଛନ୍ତି । ଭାରତୀୟ ସମୟ ୧୦ଟା ୧୧ରେ କ୍ୟାପିଟାଲ୍ ହିଲ୍ସରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆମେରିକାର ୪୯ତମ ଉପରାଷ୍ଟ୍ରପତି ଭାବେ ପ୍ରଥମେ କମଲା ହ୍ୟାରିସ୍ ଶପଥ ନେଇଥିଲେ । ହାରିସଙ୍କ ପରେ ୪୬ତମ ରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ ଜୋ ବାଇଡେନ୍ । ଭାରତୀୟ ସମୟ ୧୦.୧୮ରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା । ତାଙ୍କୁ ଆମେରିକା ସୁପ୍ରିମ୍କୋର୍ଟଙ୍କ ପ୍ରଧାନ ବିଚାରପତି ଜଷ୍ଟିସ୍ ଜନ୍ ରୋବର୍ଟସ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ।
ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଅତିଥି ଭାବେ ପୂର୍ବତନ ରାଷ୍ଟ୍ରପତି ଜର୍ଜ ବୁଶ, ବାରାକ ଓବାମା, ବିଲ କ୍ଲିଣ୍ଟନ, ହିଲାରୀ କ୍ଲିଣ୍ଟନ,ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ପତ୍ନୀ ମିଶେଲ ଓବାମା ଓ ଲରା ବୁଶ ପ୍ରମୁଖ ଉପସ୍ଥିତ ଥିଲେ । ତେବେ ଆଜିର ଶପଥ ଗ୍ରହଣ ସମାରୋହରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ ସାମିଲ ହୋଇନଥିଲେ । ଆମେରିକାର ୧୫୦ବର୍ଷ ଇତିହାସରେ ପ୍ରଥମଥର ପାଇଁ ଜଣେ ପୂର୍ବତନ ରାଷ୍ଟ୍ରପତି ସାମିଲ ହୋଇନଥିଲେ । ଆମେରିକାର ରାଷ୍ଟ୍ରପତି ଭାବେ ଜୋ ବାଇଡେନ୍ ଶପଥ ନେବା କ୍ଷଣି ତାଙ୍କୁ ଟ୍ୱିଟ କରି ଶୁଭେଚ୍ଛା ଜଣାଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବାଇଡେନ୍ଙ୍କ ସହ ମିଶି ଭାରତ କାମ କରିବ ବୋଲି ମୋଦୀ ଟ୍ୱିଟ୍ କରିଛନ୍ତି । ସେ କହିଛନ୍ତି ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ନେଇଥିବା ଜୋ ବାଇଡେନ୍ଙ୍କୁ ମୋର ଶୁଭେଚ୍ଛା । ଭାରତ ଏବେ ତାଙ୍କ ସହ ମିଶି ଆଗକୁ କାମ କରିବ ।