ମାହାଙ୍ଗା : ରାଜ୍ୟ ବାହାରେ ଚାକିରୀ କରୁଥିଲେ ବି ଜନ୍ମମାଟିର ଆକର୍ଷଣ ଯୋଗୁଁ ଅନେକ ଯୁବକ ଗାଁକୁ ଫେରିଆସି ସାମାଜିକ କାର୍ଯ୍ୟରେ ନିଜକୁ ଯୋଡିବା ଦେଖିବାକୁ ମିଳେ । ସେମିତି ଜଣେ ଯୁବ ଇଞ୍ଜିନିଅର ହୃଷିକେଶ କୁଅଁର । କଟକ ଜିଲ୍ଲା ମାହାଙ୍ଗା ଥାନା ଜଳସରପୁର ପଞ୍ଚାୟତ ମଲ୍ଲିପୁରା ଭଳି ଏକ ନିପଟ ମଫସଲ ଗାଁ’ରେ ତା’ଙ୍କ ପୈତୃକ ଘର । ସବୁବେଳେ ଗାଁର ସରଳ ତରଳ ଶାନ୍ତ ଓ କମନୀୟ ଶୋଭାରାଜି ତାଙ୍କୁ ଆନମନା କରାଏ । ରଜ ହେଉ କି’ ଦୋଳ, ଚଇତି ପୁନେଇଁ ହେଉ ଅଥବା ଜାଗର ଯାତ, ସବୁବେଳେ ଗାଁ’ର ସାଧାରଣ ମଣିଷମାନଙ୍କୁ ନେଇ ଭାଇଚାରା ଓ ସଦଭାବନା ବାଣ୍ଟିବାକୁ ଭଲପାଆନ୍ତି ହୃଷିକେଶ । ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ଦୁର୍ବିପାକ ସମୟରେ ସହଯୋଗର ହାତ ବଢ଼େଇ ନିଆରା ପରିଚୟ ସୃଷ୍ଟି କରିପାରିଥିବା ଏହି ଯୁବ ଇଞ୍ଜିନିଅର ଆଜି ମନ୍ତ୍ରୀ ପ୍ରତାପ ଜେନାଙ୍କୁ ନିଜ ଗାଁକୁ ଆମନ୍ତ୍ରଣ କରିଥିଲେ ।ଗାଁର ଶୈବପୀଠ, ରାସ୍ତା ଘାଟ, ପୋଖରୀ ପୁନରୁଦ୍ଧାର ଏବଂ ଯୁବକ ମାନଙ୍କ ଭିତରେ ସେବା ଭାବନା ସୃଷ୍ଟି କରିବାକୁ ସେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ମନ୍ତ୍ରୀଙ୍କୁ ଏହି ପଲ୍ଲୀ ଗାଁର ସାଧାରଣ ଜନତା ବିପୁଳ ସ୍ୱାଗତ କରିବାକୁ ଭୁଲି ନଥିଲେ । ବ୍ଲକ ଚେୟାରମ୍ୟାନ ଶରତ ନାୟକ, ପୂର୍ବତନ ଚେୟାରମ୍ୟାନ ରାଜ କିଶୋର ଜେନା, ଜିଲ୍ଲା ପରିଷଦ ସଭ୍ୟ ହୃଷିକେଶ ସ୍ୱାଇଁ, ସାମ୍ବାଦିକ ଅଖିଳେଶ ମହାନ୍ତି, ବିଜେଡି ବ୍ଲକ ମିଡ଼ିଆ ସଂଯୋଜକ କିଶୋର ରାଉତ, ସରପଞ୍ଚ ବିଜୟ ରାଉତ ପ୍ରମୁଖ ଏହି ଗାଁରେ ପହଂଚି ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ଉପରେ ଆଲୋଚନା କରିଥିଲେ । ନିଜ ଗାଁ’ ପ୍ରତି ଏହି ଯୁବ ଇଞ୍ଜିନିଅରଙ୍କ ଭଲପାଇବା ଓ ସମସ୍ତଙ୍କୁ ନେଇ ଆଗକୁ ବଢିବାର ପ୍ରୟାସ ଯୋଗୁଁ ମନ୍ତ୍ରୀ ଶ୍ରୀ ଜେନା ତାଙ୍କୁ ପ୍ରଶଂସା କରିବାକୁ ଭୁଲି ନଥିଲେ ।
Sign in
Sign in
Recover your password.
A password will be e-mailed to you.