ଏଣିକି ଚମକିବ ରାଜ୍ୟର ବସ୍ତି ଅଞ୍ଚଳ

165

-ବିଦ୍ୟୁତ ମରାମତି, ପାନୀୟଜଳ,ଶୌଚାଳୟ, କମ୍ୟୁନିଟି ସେଣ୍ଟରର ଉନ୍ନତିକରଣ ହେବ

ଭୁବନେଶ୍ୱର : ରାଜ୍ୟର ପୌର ସଂସ୍ଥାମାନଙ୍କ ପାଇଁ ଏକ ନୂଆ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ସରକାର । ସେମାନେ ବସ୍ତି ଉନ୍ନୟନ ପାଇଁ ଏଣିକି ବଜେଟର ୨୫ ପ୍ରତିଶତ ଖର୍ଚ୍ଚ କରିବା ପାଇଁ ବାଧ୍ୟ । ଭିତ୍ତିଭୂମି ବିକାଶ ଓ ଅନ୍ୟାନ୍ୟ ଉନ୍ନତିମୂଳକ କାର୍ଯ୍ୟ ପାଇଁ ଏହି ଅର୍ଥ ଖର୍ଚ୍ଚ କରାଯିବ । ନଗର ଉନ୍ନୟନ ବିଭାଗ ପକ୍ଷରୁ ମହାନଗର ନିଗମର କମିଶନର, ମ୍ୟୁନିସିପାଲିଟି କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ଏନଏସି ମାନଙ୍କ ପାଖକୁ ଏନେଇ ପତ୍ର ଲେଖାଯାଇଛି । ଗତ ବର୍ଷ ଅଗଷ୍ଟ ମାସରେ ଏହି ବଜେଟ ପରିବର୍ତ୍ତନ ସଂକ୍ରାନ୍ତରେ ସରକାର ଏକ ଅଧ୍ୟାଦେଶ ଆଣିଥିଲେ ଏବଂ ଅକ୍ଟୋବର ମାସରେ ଏହି ଅଧ୍ୟାଦେଶ ବିଲରେ ପରିଣତ ହୋଇ ବିଧାନସଭାର ସ୍ୱୀକୃତି ଲାଭ କରିଥିଲା ।

ପୌର ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମ ନାୟକ ରାଜ୍ୟର ସମସ୍ତ ୧୧୪ଟି ପୌର ସଂସ୍ଥାକୁ ପଠାଇଥିବା ଚିଠିରେ ଲେଖିଛନ୍ତି ଯେ ବାର୍ଷିକ ବଜେଟ ତିଆରି କରିବା ବେଳେ ପୌର ସଂସ୍ଥାମାନେ ତାଙ୍କ ବଜେଟର ୨୫ ପ୍ରତିଶତ ଅର୍ଥ ବସ୍ତି ଉନ୍ନୟନ ପାଇଁ ଅଲଗା ରଖିବେ । ତା ଛଡ଼ା ଏହି ବରାଦ ଅର୍ଥ ଯେପରି ପୂରା ଖର୍ଚ୍ଚ ହେବ ଓ ଏସଂକ୍ରାନ୍ତୀୟ ରିପୋର୍ଟ ଯେପରି ପ୍ରତି ତିନି ମାସରେ ଥରେ ଆସିବ ସେଥିପ୍ରତି ଦୃଷ୍ଟି ଦେବାକୁ ଏହି ଚିଠିରେ କୁହାଯାଇଛି । ଜଣେ ଅଧିକାରୀ କହିଛନ୍ତି ଯେ ବସ୍ତି ପାଇଁ ଯେଉଁ ଟଙ୍କା ଉଦ୍ଦିଷ୍ଟ ରହିବ ସେଥିରେ ବିଦ୍ୟୁତ ମରାମତି, ପାନୀୟଜଳ ଯୋଗାଣରେ ଉନ୍ନତି, ଶୌଚାଳୟ ଉନ୍ନତି, କମ୍ୟୁନିଟି ସେଣ୍ଟର ପ୍ରତିଷ୍ଠା ଆଦି ବିଷୟ ପ୍ରତି ଧ୍ୟାନ ଦିଆଯିବ ।

ଉଲ୍ଲେଖଯୋଗ୍ୟ ଗତବର୍ଷ ସେପ୍ଟେମ୍ବର ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତିନିବର୍ଷ ମଧ୍ୟରେ ନ୍ୟୁନତମ ଭିତ୍ତିଭୂମି ସହିତ ରାଜ୍ୟର ସମସ୍ତ ବସ୍ତିଗୁଡ଼ିକୁ ଆଦର୍ଶ କଲୋନୀରେ ରୂପାନ୍ତରିତ କରାଯିବ ବୋଲି ଘୋଷଣା କରିଥିଲେ । ନଗର ଉତ୍ତୟନ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ରାଜ୍ୟରେ ପ୍ରାୟ ୩ ହଜାର ବସ୍ତି ରହିଛି । ଏହି ବସ୍ତିରେ ପ୍ରାୟ ୩ ଲକ୍ଷ ୫୦ ହଜାର ପରିବାର ରହୁଛନ୍ତି ଓ ଜନସଂଖ୍ୟା ପ୍ରାୟ ୧୬ ଲକ୍ଷ । ରାଜନୈତିକ ମହଲରେ ହେଉଥିବା ଚର୍ଚ୍ଚା ଅନୁଯାୟୀ ସରକାରଙ୍କର ଏହା ଏକ ସୁଚିନ୍ତିତ ରଣନୀତି ।

Leave A Reply

Your email address will not be published.