ଐତିହାସିକ ପାରଳା ରାଜପ୍ରାଦର ମରାମତି ଓ ରକ୍ଷଣା ବେକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଉତ୍କଳ ହିତୈଷିଣୀ ସମାଜର ଅନୁରୋଧ

170

ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ସହରରେ ଅବସ୍ଥିତ ଐତିହାସିକ ରାଜପ୍ରାସାଦଟି ବର୍ତ୍ତମାନ ଧ୍ଵଂସାଭିମୁଖୀ । ଏହାର ମଧ୍ୟ ସ୍ଥଳରେ ଥିବା ଆକର୍ଷଣୀୟ ଦରବାର ଗୃହର ଉପର ମହଲା ଛାତ ଭାଙ୍ଗି ଏକାଧିକ ସ୍ଥାନ ମେଲା ହୋଇଯିବାରୁ ବର୍ଷା ଜଳ ତଳମହଲା ଛାତରେ ଜମି ରହିବା ଦ୍ୱାରା ସଂପୂର୍ଣ୍ଣ ଦରବାର ଗୃହ ନଷ୍ଟ ହେବାକୁ ଯାଉଛି । ରାଣୀ ମହଲା ଭୁଶୁଡି ଭୁଶୁଡି ଯାଉଛି । ରକ୍ଷଣା ବେକ୍ଷଣ ଅଭାବରୁ ରାଜପ୍ରାସାଦଟି ଅତିତରେ ଭୂମିସାତ୍ ହୋଇଯିବାର ସମସ୍ତ ସମ୍ଭାବନା ଦେଖାଦେଲାଣି । ଏହି ଗଜପତି ରାଜପ୍ରାସାଦ ଓଡିଶା ପ୍ରଦେଶ ଗଠନର କର୍ଣ୍ଣଧାର ଜାତିସ୍ୱର ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଅନ୍ତୁଡିଶାଳ, ନୂତନ ଓଡିଶା ଗଠନ, ପୂର୍ବ ଓଡିଆ ନେତୃମଣ୍ଡଳୀଙ୍କ ମନ୍ତ୍ରଣା କକ୍ଷ, ଯେଉଁ ଠାରେ ସ୍ୱତନ୍ତ୍ର ଓଡିଶା ଗଠନର ଅନେକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା ।

ଉକ୍ତ ରାଜପ୍ରାସାଦ ପ୍ରତି ଓଡିଆ ଜାତିର ପ୍ରବଳ ଭାବାବେଶ ଯୋଡିହୋଇ ରହିଅଛି । ସ୍ୱତ୍ୱାଧିକାର ସିନା ରାଜପରିବାରର ହେଲେ,ଓଡିଆ ଭାବନାରେ ତାହା ଏକ ଜାତୀୟ ସ୍ମାରକୀ, ବ୍ୟୟବହୁଳତା ଦୃଷ୍ଟେ ରାଜପରିବାର ପକ୍ଷେ ଉକ୍ତ ରାଜପ୍ରାସାଦର ଉପଯୁକ୍ତ ମରାମତି ସମ୍ଭବ ନହୋଇପାରେ ବୋଲି ଆମେ ଅନୁଭବ କରୁଅଛୁ ବୋଲି ଉତ୍କଳ ହିତୈଷିଣୀ ସମାଜର ସମ୍ପାଦକ ତଥା ଅବସର ପ୍ରାପ୍ତ ପ୍ରଶାସକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଏକ ଲିଖିତ ଅନୁରୋଧ ପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକଙ୍କୁ ପ୍ରେରଣ କରିଥିବାର ଜଣାପଡିଛି । ପ୍ରକାଶ ଥାଉକି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ମନ୍ତ୍ରୀ ଥିବା ବେଳେ ଗଜପତି ରାଜପ୍ରାସାଦର ଆଂଶିକ ହସ୍ତାନ୍ତର ସରକାରଙ୍କୁ କରିବାକୁ ପ୍ରସ୍ତାବ ଦେଇ ଏକ ହେରିଟେଜ୍ ସ୍ମରକୀ ସ୍ଥାପନ କରିବାକୁ ଉଦ୍ୟମ କରିଥିଲେ, ଯାହା ଏପର୍ଯ୍ୟନ୍ତ ଫଳପ୍ରଦ ହୋଇନାହିଁ । ସୁତରାଂ ଏହି ସୁବିଶାଳ ଓ ସୁଦୃଶ୍ୟ ରାଜପ୍ରାସାଦର ଆବଶ୍ୟକୀୟ ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀ ସହୃଦୟତାରେ ସହ ବିଚାର କରି ସହାୟତାର ହସ୍ତ ପ୍ରସାରଣ କରିବାକୁ ନିବେଦନ କରୁଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

Leave A Reply

Your email address will not be published.