ଦୁଇଜଣ ବାଇକ ଚୋର ଗିରଫ,୯ ଗୋଟି ବାଇକ ଜବତ
ନୂଆପଡା: ଦୀର୍ଘ ଦୁଇ ମାସ ହେବ ନୂଆପଡା ଥାନା, ଜୋଂକ ଥାନା ଓ ବେଲଟୁକୁରି ଥାନା ଅଞ୍ଚଳରେ ବାଇକ ଚୋରି ଘଟଣା ବୃଦ୍ଧି ପାଇବାକୁ ଲାଗିଥିଲା । ଯାହାକୁ ନେଇ ନୂଆପଡା ଥାନାରେ ଦୁଇ ମାସ ମଧ୍ୟରେ ୫ ଗୋଟି ମାମଲା ଓ ଜୋଂକ ଥାନାରେ ୪ ଗୋଟି ମାମଲା ରୁଜୁ ହେବାପରେ ଆକ୍ସନ ମୋଡ଼କୁ ଆସିଥିଲା ନୂଆପଡା ପୋଲିସ । ଏ ନେଇ ନୂଆପଡା ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନଙ୍କ ନିର୍ଦେଶ କ୍ରମେ ଦୁଇଟି ସ୍ୱତନ୍ତ୍ର ଦଳ ଗଠନ କରାଯାଇଥିଲା । ଯାହାର ନେତୃତ୍ୱ ନେଇଥିଲେ ଆଇଆଇସି ନୂଆପଡା ସଂଯୁକ୍ତା ବାରଲା ଓ ଆଇଆଇସି ଜୋଂକ ଥାନା ଅନିରୁଦ୍ଧ ମୁଦୁଲି । ଏହି ଦୁଇଟି ସ୍ୱତନ୍ତ୍ର ଦଳ ବିଭିନ୍ନ ଜାଗାରେ ଚଢ଼ାଉ କରି ଦୁଇ ଜଣଙ୍କୁ ଗିରଫ କରିବା ସହ ଦୁଇଟି ବାଇକ ଜବତ କରଥିଲେ । ଗିରଫ ଦୁଇଜଣଙ୍କ ମଧ୍ୟରୁ ଜଣେ ହେଲେ ବେଲଟୁକୁରି ଥାନା ଅନ୍ତର୍ଗତ ପିଣ୍ଟୁ ରାଉତ(୧୯) ଓ ବେଲଟୁକୁରି ଥାନା ଭାନପୁର ଗ୍ରାମର ପ୍ରଦିପ ପୂଝରୀ(୨୩)| ଦୁଇ ଜଣଙ୍କୁ ଜେରା କରିବା ପରେ ଅନ୍ୟ ୭ ଗୋଟି ବାଇକ ପୋଲିସ ଜବତ କରିଥିଲା । ଏ ନେଇ ଆଜି ନୂଆପଡା ଥାନା ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସମସ୍ତ ସୂଚନା ପ୍ରଦାନ କରିଛନ୍ତି ନୂଆପଡା ଡ଼ିଏସପି ପ୍ରଶାନ୍ତ ପଟ୍ଟନାୟକ ।