ଭୁବନେଶ୍ୱର: କେନ୍ଦ୍ର ସଂସ୍କୃତିମନ୍ତ୍ରୀଙ୍କୁ ଓଡ଼ିଶାର ସାଂସଦମାନେ ଭେଟିବା ପରେ ଶ୍ରୀମନ୍ଦିର ପାଇଁ ପ୍ରସ୍ତାବିତ ବାଇ-ଲ’ପ୍ରତ୍ୟାହାର ହୋଇଛି । ତେବେ ଏକାମ୍ର କ୍ଷେତ୍ରର ବିଭିନ୍ନ ମନ୍ଦିର ପାଇଁ ଏହି ନିୟମକୁ ପ୍ରତ୍ୟାହାର କରାଯାଇନାହିଁ । ଯାହାକୁ ନେଇ ଏବେ ବିବାଦ ତେଜିବାରେ ଲାଗିଛି । ଅନନ୍ତ ବାସୁଦେବ ଓ ବ୍ରହ୍ମେଶ୍ୱର ମନ୍ଦିର ପାଇଁ ଏହି ଡ୍ରାଫ୍ଟ ବାଇ-ଲ’ବଳବତ୍ତର ରହିବ ବୋଲି କେନ୍ଦ୍ର ସଂସ୍କୃତିମନ୍ତ୍ରୀ ପ୍ରହଲ୍ଲାଦ ପଟେଲ ଗତକାଲି କହିବା ପରେ ଏହାକୁ ନେଇ ସ୍ଥାନୀୟ ବାସିନ୍ଦା ଓ ଶ୍ରୀଲିଙ୍ଗରାଜ ମନ୍ଦିର ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ଆଗରେ ଆଜି ସେବାୟତମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ସେବାୟତମାନଙ୍କ କହିବା କଥା ହେଲା, ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପାଇଁ ବାରମାସରେ ତେର ଯାତ୍ରା ଖଞ୍ଜା ହୋଇଛି । ଏହିସବୁ ଯାତ୍ରାରେ ମହାପ୍ରଭୁ ଶ୍ରୀଲିଙ୍ଗରାଜ ନିକଟରେ ଥିବା ମନ୍ଦିରଗୁଡ଼ିକୁ ଯାତ୍ରା କରନ୍ତି ।
ଏଥିପାଇଁ ଅନନ୍ତ ବାସୁଦେବ ଓ ବ୍ରହ୍ମେଶ୍ୱର ମନ୍ଦିର ଭଳି ବହୁ ମନ୍ଦିରରେ ସେବାୟତମାନଙ୍କୁ ଥଇଥାନ କରାଯାଇଛି । ଏପରିକି ସେବାପୂଜା ସୁରୁଖୁରୁରେ କରିବା ପାଇଁ ସେବାୟତ ସାହିଗୁଡ଼ିକ ମନ୍ଦିର ଗଢ଼ିଉଠିଛି । ପ୍ରସ୍ତାବିତ ବାଇ-ଲ’ ଅନୁସାରେ ମନ୍ଦିରର ୩୦୦ ମିଟର ପରିଧି କଟକଣା ଅଞ୍ଚଳ ଭାବେ ଚିହ୍ନଟ ହେବ ଏବଂ ଏନ୍ଏମ୍ଏର ବିନା ଅନୁମତିରେ ଏଠାରେ ବିକାଶ କାମ ହୋଇପାରିବ ନାହିଁ । ଏଥିସହ ବାଇ-ଲ’ ବିଜ୍ଞପ୍ତିରେ ଯେଉଁ ମାନଚିତ୍ର ଦର୍ଶାଯାଇଛି ସେଥିରେ ଅନନ୍ତ ବାସୁଦେବ ମନ୍ଦିରର ୧୦୦ ମିଟର ପରିଧି ମଧ୍ୟରେ ବିନ୍ଦୁସାଗର, ମାର୍କଣ୍ଡେଶ୍ୱର ମନ୍ଦିର ଓ ସୁକଶାରୀ ମନ୍ଦିର ରହିଛି ।
୨୦୦ ମିଟର ପରିଧି ଭିତରେ ସହସ୍ର ଲିଙ୍ଗ କୁଣ୍ଡ ରହିଛି ଏବଂ ୩୦୦ ମିଟର ପରିଧିରେ ପାପନାଶିନୀ କୁଣ୍ଡ ଏବଂ ଶ୍ରୀଲିଙ୍ଗରାଜଙ୍କ କୁଣ୍ଡ ରହିଛି । ବାଇ-ଲ’ କଟକଣା ଲାଗୁ ହେଲେ ବ୍ରହ୍ମେଶ୍ୱର ମନ୍ଦିର ଓ ଅନନ୍ତ ବାସୁଦେବ ମନ୍ଦିରର ୧୦୦ ମିଟରରୁ ୩୦୦ ମିଟର ପରିଧି ଭିତରେ କୌଣସି ବିକାଶମୂଳକ କାମ ହୋଇପାରିବ ନାହିଁ । ରାଜ୍ୟ ସରକାରଙ୍କ ଏକାମ୍ର ଯୋଜନା ଅନେକ ବାଟ ଆଗେଇଗଲାଣି । କିନ୍ତୁ ଏବେ ଏହି ପ୍ରସ୍ତାବିତ ବାଇ-ଲ’ଏହି ଏକାମ୍ର ଯୋଜନାର ବାଟ ଓଗାଳିବାକୁ ଯାଉଛି ।
ଏପରିକି କେନ୍ଦ୍ର ନିଷ୍ପତ୍ତି ପ୍ରତ୍ୟାହାର ନକଲେ କେନ୍ଦ୍ରମବୀ ଓ ସାଂସଦମାନଙ୍କୁ ଏକାମ୍ର କ୍ଷେତ୍ରରେ ପୂରାଇ ଦିଆଯିବ ନାହିଁ ବୋଲି ସେବାୟତମାନେ ଚେତାବନୀ ଦେଇଛନ୍ତି । ଖାଲି ଏତିକିରେ ବିରୋଧାଭାସ ଶେଷ ହେଇନାହିଁ । ଏହି ବାଇ-ଲ’କୁ ନେଇ ଟ୍ୱିଟ୍ ଯୁଦ୍ଧ ମଧ୍ୟ ଆରମ୍ଭ ହୋଇଯାଇଛି । ଟ୍ୱିଟ୍ରେ ଟପ୍ଟେନ୍ ପାଲଟିଥିଲା ହାସ୍ଟ୍ୟାଗ୍ ଅପରାଜିତା ମିସିଂ, ଭୁବନେଶ୍ୱର ସାଂସଦ ଚୁପ୍ କାହିଁକି ? କେବେ ପାଟି ଫିଟାଇବେ ବୋଲି ପ୍ରଶ୍ନ ଉଠିଛି । ଏପରିକି ଅପରାଜିତା ଉଭାନ୍ ବୋଲି ମଧ୍ୟ ଟ୍ୱିଟ୍ କରାଯାଇଛି । ଏହା ପୂର୍ବରୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଟାର୍ଗେଟ କରିଥିଲେ ମବୀ ଅଶୋକ ପଣ୍ଡା ।
ସେ ଟ୍ୱିଟ୍ ଜରିଆରେ କହିଛନ୍ତି ଯେ, ଏକାମ୍ର କ୍ଷେତ୍ର ପ୍ରକଳ୍ପକୁ ବନ୍ଦ କରିବା ପାଇଁ କେନ୍ଦ୍ର ଷଡ଼ଯବ ରଚିଛି । ଆଉ ଭୁବନେଶ୍ୱର ସାଂସଦଙ୍କ ନିରବତା ତାଙ୍କ ମୁଖା ଖୋଲିଦେଇଛି । ଯେଉଁମାନେ ଏକାମ୍ର କ୍ଷେତ୍ର ପ୍ରକଳ୍ପରେ ବାଧା ଆଣିବା ପାଇଁ ଉଦ୍ୟମ କରୁଛନ୍ତି ସେମାନଙ୍କୁ ଭୁବନେଶ୍ୱରବାସୀ କେବେ କ୍ଷମା ଦେବେ ନାହିଁ ବୋଲି ଶ୍ରୀ ପଣ୍ଡା କହିଛନ୍ତି । ଅନ୍ୟପକ୍ଷରେ ୧୫ ତାରିଖରେ ଭୁବନେଶ୍ୱର ଆସି ଅନୁଧ୍ୟାନ କରିବା ପରେ ଯାହା କହିବେ ବୋଲି ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି । ଏବେ ସାଧାରଣରେ ପ୍ରଶ୍ନ ଉଠୁଛି ପୁରୀ ପାଇଁ ଗୋଟେ ନିୟମ ଥିବାବେଳେ ଏକାମ୍ର ପାଇଁ ଆଉ ଗୋଟେ କେମିତି ହେଲା ? ଗତକାଲି କେନ୍ଦ୍ର ସଂସ୍କୃତିମବୀ ପ୍ରହଲ୍ଲାଦ ପଟେଲ କହିଥିଲେ ଏନ୍ଏମ୍ଏ ଅଧ୍ୟକ୍ଷ ଏ ସମ୍ପର୍କରେ କିଛି ଜାଣିନାହାନ୍ତି । ତେବେ ଏକାମ୍ର କ୍ଷେତ୍ର ସମ୍ପର୍କରେ ଅଧ୍ୟକ୍ଷ କ’ଣ ଜାଣିଥିଲେ ? ଏକାମ୍ର କ୍ଷେତ୍ରର ବିକାଶକୁ ରୋକିବା ପାଇଁ ଏହା ଏକ ଷଡ଼ଯବ ବୋଲି ଏବେ ଚର୍ଚ୍ଚା ଜୋର ଧରିଛି ।