କୋଟପାଡ଼ : ବିଭିନ୍ନ ସରକାରୀ ଯୋଜନାରେ ଆବଶ୍ୟକତା ପଡୁଛି ଆଧାର କାର୍ଡର।ବିଦ୍ୟାଳୟରେ ନାମ ଲେଖା ହେଉ କିମ୍ବା ସରକାରୀ ରାସନ ସାମଗ୍ରୀ ପାଇବାକୁ ହେଉ କି ଅବା ଜନନୀ ପଞ୍ଜୀକରଣ ହେଉ କି ଅବା କୋରନା ଟୀକାକରଣ । ସବୁଥିରେ ଆବଶ୍ୟକ ହେଉଛି ଆଧାର କାର୍ଡ ନମ୍ବର । ସେଥିପାଇଁ ତ ଆଧାର କେନ୍ଦ୍ର ମାନଙ୍କରେ ଲମ୍ବା ଧାଡି । ହେଲେ କୋଟପାଡ଼ ବ୍ଲକ କାର୍ଯ୍ୟାଳୟ ମଧ୍ୟରେ ଥିବା ଆଧାର କେନ୍ଦ୍ରରେ ବ୍ୟାପକ ଅନିୟମିତତା ଦେଖିବାକୁ ମିଳୁଛି । ଅଧିକାଂଶ ସମୟରେ କେନ୍ଦ୍ରଟି ବନ୍ଦ ଥିବା ଦେଖିବାକୁ ମିଳୁଛି । ପଚାରିଲେ ଜବାବ ମିଳୁଛି ଲେପଟପ ଖରାପ ହେଇଛି ।
କୋଟପାଡ଼ ବ୍ଲକର ଅଧିକାଂଶ ଅଞ୍ଚଳର ଛାତ୍ରଛାତ୍ରୀ ସେମାନଙ୍କ ନାମଲେଖା ତଥା ଅନ୍ୟାନ୍ୟ ଅନୁସାଙ୍ଗିକ କାର୍ଯ୍ୟ ପାଇଁ ଆଧାର କେନ୍ଦ୍ରକୁ ବାରମ୍ବାର ଆସି ଫେରୁଥିବାବେଳେ ଦୂରଦୂରାନ୍ତରୁ ବହୁ ଗ୍ରାମବାସୀ ଆଧାର କାର୍ଡ ପାଇଁ ଆସି କେନ୍ଦ୍ର ବନ୍ଦ ଥିବା ଦେଖି ନିରାଶ ହୋଇ ଫେରୁଥିବାର ଦେଖାଦେଇଛି । ଏ ସମ୍ପର୍କରେ କୋଟପାଡ଼ ବିଡ଼ିଓଙ୍କୁ ଅବଗତ କରାଯିବା ପରେ କୋଟପାଡ଼ ବିଡ଼ିଓ ଏବଂ ଏବିଡ଼ିଓ ଆଧାର କେନ୍ଦ୍ରମାନଙ୍କର ଜିଲ୍ଲା ସଂଯୋଜକଙ୍କ ସହ ଯୋଗାଯୋଗ କରିଥିଲେ । ଆସନ୍ତା ସେପ୍ଟେମ୍ବର ୧ ତାରିଖ ସୁଦ୍ଧା ଆଧାର କେନ୍ଦ୍ର ନିୟମିତ ଭାବେ କାର୍ଯ୍ୟ କରିବ ବୋଲି କୋଟପାଡ଼ ବିଡ଼ିଓ ପ୍ରତିଶୃତି ଦେଇଛନ୍ତି । ତେବେ ଦେଖିବାକୁ ବାକି ରହିଲା ଆଗାମୀ ଦିନରେ ଏହି ଆଧାର କେନ୍ଦ୍ର କିଭଳି ଭାବେ କାର୍ଯ୍ୟକ୍ଷମ ହେଉଛି ।