ଆଜି ସମ୍ବଲପୁର ଆରଡିସି ଅଫିସ ଘେରିବ ବିଜେପି

179

-ସାମିଲ ହେବେ ୪୦ ହଜାରରୁ ଉର୍ଦ୍ଧ୍ୱ ଚାଷୀ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଚାଷୀ ବିରୋଧୀ ନୀତି ବିରୁଦ୍ଧରେ ଗୁରୁବାର ସମ୍ବଲପୁର ଆରଡିସି ଅଫିସ ଘେରାଓ କରାଯିବ ବୋଲି ରାଜ୍ୟ ସାଧାରଣ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ସୂଚନା ଦେଇଛନ୍ତି ।
ସମ୍ବଲପୁର ଆରଡିସି ଅଫିସ ଠାରେ ପଶ୍ଚିମ ଓଡିଶାର ୫ଟି ସଂସଦୀୟ କ୍ଷେତ୍ର ଯଥା ବଲାଙ୍ଗୀର, ବରଗଡ, କଳାହାଣ୍ଡି, ସୁନ୍ଦରଗଡ, ସମ୍ବଲପୁର ଏବଂ ଏହି ସଂସଦୀୟ କ୍ଷେତ୍ର ଅଧୀନରେ ଥିବା ୩୫ଟି ନିର୍ବାଚନ ମଣ୍ଡଳୀ ଓ ବୌଦ୍ଧ ଜିଲ୍ଲାର ୨ଟି ନିର୍ବାଚନ ମଣ୍ଡଳୀର ୪୦ ହଜାରରୁ ଉର୍ଦ୍ଧ୍ୱ ଚାଷୀ ଓ ବିଜେପି କାର୍ଯ୍ୟକର୍ତା ସାମିଲ ହୋଇ ବିକ୍ଷୋଭ ପ୍ରଦର୍ଶନ କରିବେ । ଏହି ବିକ୍ଷୋଭରେ ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ସହ ପ୍ରଭାରୀ ତଥା ସାଂସଦ ତଥା ବିଜୟ ପାଲ ସିଂ ତୋମର, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତଙ୍କ ସମେତ ପଷ୍ଟିମ ଓଡିଶାର ସମସ୍ତ ବିଜେପି ସାଂସଦ ଓ ବିଧାୟକ, ରାଜ୍ୟ ଓ ଜିଲ୍ଲା ପଦାଧିକାରୀ ପ୍ରମୁଖ ଯୋଗଦେବେ ବୋଲି ଡ. ସାମନ୍ତସିଂହାର ସୂଚନା ଦେଇଛନ୍ତି ।

ଧାନମଣ୍ଡିରେ ଭିତିଭୂମିର ବ୍ୟବସ୍ଥା କରିବା, ମଣ୍ଡି ଗୁଡିକରେ ଚଟାଣ, ପାନୀୟ ଜଳ, ପାଲ, ମାପ ଓଜନ ବିଜୁଳି ଆଦି ସୁବିଧା ପହଂଚାଇବା, କେନ୍ଦ୍ର ସରକାର ଦେଉଥିବା ଧାନ ଅଖା, ସୁତୁଲି, ଶ୍ରମିକ ଖର୍ଚ୍ଚ, ଯାତାୟତ ଖର୍ଚ୍ଚକୁ ଚାଷୀଙ୍କ ପାଖରେ ପହଂଚାଇବା, ଟୋକନ ବ୍ୟବସ୍ଥାକୁ ଉଚ୍ଛେଦ କରି କେଉଁ ଜିଲ୍ଲାରୁ କେତେ ଧାନ କିଣାଯାଉଛି ତାହା ଜିଲ୍ଲା ଡିଏଲପିସି ମାଧ୍ୟମରେ ଲକ୍ଷ୍ୟ ଧାର୍ଯ୍ୟ କରିବା, ଚାଷୀର ସମସ୍ତ ଉତ୍ପାଦିତ ଧାନକୁ କିଣିବା, ଚଳିତ ଖରିଫ ଋତୁରେ ନିରସ୍ତ ହୋଇଯାଇଥିବା ସମସ୍ତ ଟୋକନକୁ ପୁନଃ କାର୍ଯ୍ୟକ୍ଷମ କରିବା, ମଣ୍ଡିରେ ପଡିଥିବା ଧାନକୁ ଉଠାଇବା, କଟନୀ ଛଟନୀ ବନ୍ଦ କରିବା, କୃଷକ ସମ୍ମାନ ନିଧି ସହାୟତା ପାଇବା ପାଇଁ କେନ୍ଦ୍ରକୁ ସମସ୍ତ ଚାଷୀଙ୍କ ତାଲିକା ପଠାଇବା ଆଦି ଦାବି ନେଇ ବିଜେପି ଆରଡିସି ଅଫିସ୍ ଘେରାଉ କରିବ ।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡ. ସାମନ୍ତସିଂହାର କହିଛନ୍ତି ଯେ, ଓଡିଶାର ଲକ୍ଷ ଲକ୍ଷ ଚାଷୀ ଧାନ ଧରି ରାଜରାସ୍ତାରେ ବସିଛନ୍ତି । ଏହା ସତ୍ୱେ ରାଜ୍ୟ ସରକାର ସେମାନଙ୍କ ଧାନକୁ କିଣୁ ନାହାଁନ୍ତି । ବିଗତ ଦିନରେ ୪୮ ଘଂଟା ଧରି ପଶ୍ଚିମ ଓଡିଶାରେ ରାଜପଥ ଅବରୋଧ କରାଯାଇଥିଲା ଏବଂ ଏବେ ବି ୮ ଦିନ ଧରି କୁଚିଣ୍ଡା ଠାରେ ଚାଷୀ ମାନେ ବିକ୍ଷୋଭ ପ୍ରଦର୍ଶନ କରୁଥିବାବେଳେ ରାଜ୍ୟ ସରକାର ଚାଷୀଙ୍କ ପାଇଁ ଟିକିଏ ବି ଚିନ୍ତିତ ନୁହଁନ୍ତି । ଅନ୍ୟପଟେ ରାଜ୍ୟ ସରକାର ମିଲରମାନଙ୍କ ସ୍ୱାର୍ଥରେ କାମ କରୁଛନ୍ତି ।

Leave A Reply

Your email address will not be published.