ଝାରସୁଗୁଡ଼ା : ଝାରସୁଗୁଡ଼ା ସଦର ଥାନା ଅନ୍ତର୍ଗତ ଇବ୍ ନଦୀ କୂଳରୁ ଆଜି ଜଣେ ଯୁବକଙ୍କ ଗୁଳିବିଦ୍ଧ ମୃତଦେହ ଠାବ ହୋଇଛି । ଖବର ପାଇ ପୋଲିସ ଓ ସାଇଂଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଂଚି ଛାନଭିନ୍ ଆରମ୍ଭ କରିଛନ୍ତି । ମୃତକ ଜଣକ ବ୍ରଜରାଜନଗରର ପଙ୍କଜ କୁମାର ବୋଲି ସୂଚନା ମିଳିଛି ।
ଝାଡଖଣ୍ଡ ଅଂଚଳରୁ ଆସି ବ୍ରଜରାଜନଗରର କାଳୀନଗର ଠାରେ ଏକ ଭଡ଼ା ଘରେ ରହି ବ୍ୟବସାୟ କରୁଥିଲେ ପଙ୍କଜ କୁମାର । ବ୍ୟବସାୟିକ ଶତ୍ରୁତା କାରଣରୁ ତାଙ୍କୁ କେହି ଗୁଳି କରି ହତ୍ୟା କରିବା ପରେ ମୃତଦେହକୁ ଇବ୍ ନଦୀ ନିକଟରେ ଫିଙ୍ଗି ଦେଇଥିବା ଅନୁମାନ କରୁଛି ପୋଲିସ । ଘଟଣାସ୍ଥଳରେ ଏସପିଙ୍କ ସମେତ ଝାରସୁଗୁଡା ସଦର ଥାନା ପୋଲିସ ପହଞ୍ଚି ସାଇଣ୍ଟିଫିକ ଟିମ୍ ସହାୟତାରେ ତଦନ୍ତ କରିଛନ୍ତି । ମୃତକଙ୍କ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଛି । ଖୁବ୍ ଶୀଘ୍ର ଏହି ହତ୍ୟାକାଣ୍ଡର ପର୍ଦ୍ଦାଫାସ କରାଯିବ ବୋଲି ଏସପି ବିକାଶ ଚନ୍ଦ୍ର ଦାଶ ଘଟଣାସ୍ଥଳ ପରିଦର୍ଶନ ପରେ ସୂଚନା ଦେଇଛନ୍ତି ।