ବିଦେଶରେ ଓଡିଆ ଶ୍ରମିକଙ୍କୁ ନିର୍ଯାତନା
ଖୋର୍ଦ୍ଧା : ପୁଣି ବିଦେଶରେ ଜଣେ ଓଡ଼ିଆ ଶ୍ରମିକ ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ ହୋଇଛି । ଶ୍ରମିକଙ୍କୁ କମ୍ପାନୀ ଗୋତି ଶ୍ରମିକ ଭାବେ ଖଟାଇ ମାସ ମାସ ଧରି ଦରମା ଦେଉନଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ମସ୍କଟର ଓମାନ ସହରରୁ ଏଭଳି ଅଭିଯୋଗ ଆସିଛି । ଅଭିଯୋଗ ମୁତାବକ, ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଆୟତପୁର ଗ୍ରାମର ପ୍ରଫୁଲ୍ଲ ବେହେରା ଓ ପଞ୍ଚେଇ ବେହେରାଙ୍କ ବଡ ପୁଅ ଚନ୍ଦନ ବେହେରା (୨୬) ଜଣେ ଏଜେଣ୍ଟଙ୍କ ମାଧ୍ୟମରେ ଚାରି ବର୍ଷ ପୂର୍ବେ ମସ୍କଟର ଓମାନ ସହରରେ ଥିବା ‘ଡ଼ଲଫିନ ଟ୍ରେଡିଙ୍ଗ ଆଣ୍ଡ ଇନଭେଷ୍ଟମେଣ୍ଟ ‘ ନାମକ ଏକ ଘରୋଇ କମ୍ପାନୀରେ ହେଲ୍ପର ଭାବେ କାମ କରିବାକୁ ଯାଇଥିଲେ । ତେବେ ଦୀର୍ଘ ଦଶ ମାସ ହେବ ଉକ୍ତ କମ୍ପାନୀ ଚନ୍ଦନଙ୍କୁ ପାରିଶ୍ରମିକ ଦେଉନାହିଁ ଏବଂ ଖାଇବାକୁ ଖାଦ୍ୟ ମଧ୍ୟ ଠିକରେ ଦେଉନଥିବାର ଚନ୍ଦନଙ୍କ ମାତା ପଞ୍ଚେଇ ଅଭିଯୋଗ କରିଛନ୍ତି । ଏପରିକି ଉକ୍ତ କମ୍ପାନୀ ତାଙ୍କୁ ନାନାଦି ପ୍ରକାର ନିର୍ଯ୍ୟାତନା ଦେଇଥିବାର ଅଭିଯୋଗ କରିଛନ୍ତି ପଞ୍ଚେଇ । ଏହି ପରିପ୍ରେକ୍ଷୀରେ ସେ ନିକଟରେ ବାଲୁଗାଁ ସହକାରୀ ଶ୍ରମ ଅଧିକାରୀଙ୍କୁ ଭେଟି ଏକ ଲିଖିତ ଅଭିଯୋଗ ଦେବା ସହ ଯଥାଶୀଘ୍ର ତାଙ୍କ ପୁତ୍ର ଚନ୍ଦନଙ୍କୁ ସ୍ବଦେଶ ଫେରାଇ ଆଣିବାର ବ୍ୟବସ୍ଥା କରିବା ପାଇଁ ନିବେଦନ କରିଛନ୍ତି ।
ଅନୁରୂପ ଭାବେ ଏ ନେଇ ବାଲୁଗାଁ ସହକାରୀ ଶ୍ରମ ଅଧିକାରୀ ଚନ୍ଦନ ମାଝୀଙ୍କୁ ଯୋଗାଯୋଗ କରିବାରୁ ସେ ଉକ୍ତ ଅଭିଯୋଗ ପାଇଥିବାର ସ୍ୱୀକାର କରିଛନ୍ତି । ଚନ୍ଦନଙ୍କ ସହିତ ବାଣପୁର ବ୍ଲକ, ଚିଲିକା ବ୍ଲକ ଏବଂ ଗଞ୍ଜାମ ଜିଲ୍ଲାର ଆଉ ୭ ଜଣ ଶ୍ରମିକ ମଧ୍ୟ ଉକ୍ତ କମ୍ପାନୀରେ କାର୍ଯ୍ୟ କରୁଥିବାର ପ୍ରକାଶ କରିଛନ୍ତି ସହକାରୀ ଶ୍ରମ ଅଧିକାରୀ । ତେବେ ତଦନ୍ତରୁ ଜଣାପଡିଛି ଯେ, ସମସ୍ତ ୮ ଜଣ ଶ୍ରମିକମାନଙ୍କ ରେସିଡେନ୍ସ ଭିସାର ଅବଧି ଗତବର୍ଷରୁ ସମାପ୍ତ ହୋଇଯାଇଛି ଏବଂ ପୁନଃ କାର୍ଯ୍ୟକ୍ଷମ ହୋଇନାହିଁ । ଏବଂ ସେଥିନିମନ୍ତେ ସେମାନଙ୍କୁ ଉକ୍ତ କମ୍ପାନୀ ଗତବର୍ଷରୁ କାମ ଦେଉନାହିଁ କି ପାରିଶ୍ରମିକ ଦେଉନାହିଁ । ତଥାପି ପଞ୍ଚେଇ ଦେଇଥିବା ଅଭିଯୋଗ ଆଧାରରେ ଶ୍ରମ ଅଧିକାରୀ ଏ ନେଇ ଶ୍ରମ କମିଶନର ଏବଂ ରାଜ୍ୟ ସରକାରଙ୍କୁ ଅବଗତ କରାଇସାରିଛନ୍ତି ଏବଂ ଯଥାଶୀଘ୍ର ସମସ୍ତ ୮ ଜଣ ଶ୍ରମିକଙ୍କୁ ସ୍ବଦେଶ ଫେରାଇ ଆଣିବା ପାଇଁ ପ୍ରଚେଷ୍ଟା ଜାରି ରହିଥିବାର ସୂଚନା ଦେଇଛନ୍ତି ଶ୍ରୀ ମାଝୀ ।