ସାଲେପୁର:କିଶନନଗର ଥାନା ପ୍ରହରାଜପୁର ଗ୍ରାମର ଦୃଷ୍ଟି ହିନ ସଂଙ୍ଗୀତଜ୍ଞ ଅବଦୁଲ ସମଦ ନିଜାମି ଓରଫ୍ ଶ୍ୟାମ ଚାଚାଙ୍କର ପ୍ରଥମ ଗୀତ ରେକର୍ଡିଂଙ୍ଗ କଟକ ସ୍ଥିତ ପ୍ରତିଭା ଷ୍ଟୁଡିଓରେ ସମ୍ପନ୍ନ ହୋଇଛି । ବିଶିଷ୍ଟ ଓଲିଉଡ ନାୟିକା ବର୍ଷା ପ୍ରିୟଦର୍ଶିନୀ ଓ ତାଙ୍କ ସଙ୍ଗଠନର ତତ୍ତ୍ୱାବଧାନରେ ଏବଂ ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ପ୍ରମ୍ ଆନନ୍ଦଙ୍କ ଗୀତ ଓ ନିର୍ଦେଶନାରେ ପ୍ରଥମ ଗୀତର ରେକର୍ଡିଙ୍ଗ୍ ହୋଇଥିଲା। ବିଭିନ୍ନ ଗଣମାଧ୍ୟମ ସମେତ ଡୁମାଣୀ ଟିଭି ନିଉଜ୍ ଚ୍ୟାନେଲରେ ତାଙ୍କ ସମ୍ପର୍କରେ ଖବର ପ୍ରସାରଣ ପରେ ବର୍ଷା ପ୍ରିୟଦର୍ଶିନୀ ତାଙ୍କ ଘରେ ପହଞ୍ଚି ତାଙ୍କ ସଙ୍ଗୀତ ସାଧନାକୁ ଆଗକୁ ନେବା ପାଇଁ ସହଯୋଗର ହାତ ବଢ଼ାଇଥିଲେ ।
କିଶନଗର ଅଞ୍ଚଳର ଶିକ୍ଷାବିତ ପ୍ରଦୀପ୍ତ ଆଚାର୍ଯ୍ୟଙ୍କ ସହାୟତା ପାଇଁ ଶ୍ୟାମ ଚାଚା ସଙ୍ଗୀତ ଦୁନିଆରେ ପାଦ ରଖିଥିବା ପ୍ରକାଶ କରିଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ କେବଳ ସଙ୍ଗୀତକୁ ପାଥେୟ କରି ସେ ପରିବାର ପ୍ରତିପୋଷଣ କରି ଆସୁଥିଲେ । ମାତ୍ର କରୋନା ପ୍ରତିବନ୍ଧକ ପାଇଁ ଏକ ବର୍ଷ ହେବ ଘୋର ଦୁର୍ଦ୍ଦିନରେ ଦିନ କାଟୁଥିଲେ । ଗଣମାଧ୍ୟମରେ ତାଙ୍କ ସମ୍ପର୍କରେ ଖବର ପ୍ରସାରିତ ହେବା ପରେ ତାଙ୍କ ଦୁର୍ଦ୍ଦୀନ ଲୋକ ଲୋଚନକୁ ଆସିଥିଲା । ଏହି ସମୟରେ ବର୍ଷା ପ୍ରିୟଦର୍ଶିନୀଙ୍କ ସହାୟତା ତାଙ୍କ ପାଇଁ ଏକ ନୂତନ ରାହା ଦେଖାଇଲା ବୋଲି କୃତଜ୍ଞତା ପ୍ରକାଶ କରିଛନ୍ତି । ଗଣମାଧ୍ୟମକୁ ଧନ୍ୟବାଦ ଜଣାଇଛନ୍ତି।