୫ ହଜାର ଲାଂଚ ନେଇ ବନ୍ଧା ହେଲେ ଡାକ୍ତରଖାନା ମୁଖ୍ୟ

137
ରାଉରକେଲା: ଜଣେ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କର ଛୁଟୀ ବାବଦ ଅର୍ଥ କରାଇଦେବା ଲାଗି ସମ୍ପୃକ୍ତ କର୍ମୀଙ୍କ ଠାରୁ ୫ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଡାକ୍ତରଖାନା ମୁଖ୍ୟ ସୁନ୍ଦରଗଡ ଭିଜିଲାନ୍ସ ହାତରେ ଧରା ପଡିବା ସହ ଗିରଫ ହୋଇଥିବା ଭିଜିଲାନ୍ସ ସୂତ୍ରରୁ ଜଣାପଡିଛି ।
ଭିଜିଲାନ୍ସ ରାଉରକେଲା ଏସପିଙ୍କ ଅଫିସ ସୂତ୍ରରୁ ଜଣାପଡିଛି ଯେ, ହେମଗିରୀ ଡାକ୍ତରଖାନାର ମୁଖ୍ୟ ଶ୍ରଧାକର ଗରତିଆ ଆଜି ଦିନ ୧୧ଟା ବେଳେ ଜଣେ ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କର ୨୦୧୬ ମସିହାରୁ ରହିଥିବା ୨ଦିନର ଛୁଟୀ ସମୟର ବକେୟା ପାଉଣା କରାଇଦେବା ଲାଗି ଆଜି ନଗଦ ୫ ହଜାର ଟଙ୍କା ସମ୍ପୃକ୍ତ ମହିଳା କର୍ମଚାରୀଙ୍କ ଠାରୁ  ନେଉଥିବା ବେଳେ ସେଠାରେ ପୂର୍ବରୁ ଜଗିରହିଥିବା ଭିଜିଲାନ୍ସ ଟିମ୍ ହାତରେ ଡାକ୍ତର ବାବୁ ଧରା ପଡିଥିବା ଜଣାପଡିଛି । କଳ୍ପନା ପଟେଲ ଯିଏକି ପୂର୍ବରୁ ମଙ୍ଗସପୁର ଠାରେ ସ୍ୱାସ୍ଥ୍ୟ କର୍ମୀ ଭାବେ କାମ କରୁଥିଲେ ।
ବର୍ତମାନ ସେ ହେମଗିରୀ ଠାରେ କାମକରୁଛନ୍ତି । ତେବେ ମହିଳା ଜଣଙ୍କର ବକେୟା ଅର୍ଥ କରାଇଦେବା ଲାଗି ଡାକ୍ତର ବାବୁ ୫ ହଜାର ଲାଂଚ ଦାବି କରିଥିଲେ । ସେହି ଦାବି ଅନୁସାରେ ଲାଂଚ ଦିଆ ନିଆ ବେଳେ ଆଜି ସୁନ୍ଦରଗଡ ଭିଜିଲାନ୍ସ ର ଅଧିକାରୀ ସୁଧାଂଶୁ ସେଖର ପୁଜାରୀ, ଡିଏସପି ବିରେନ୍ଦ୍ର ନାୟକ, ପ୍ରଦୀପ୍ତ ଆଇନ୍ଦ, ଅଭୟ ପ୍ରଧାନ, ରିତାଞ୍ଜଳି ପ୍ରଧାନ, ଜେପି ପଟେଲ ପ୍ରମୁଖଙ୍କ ହାତରେ ଧରାପଡିଥିଲେ ।
ପରେ ଡାକ୍ତରଙ୍କ ହାତରୁ ରଙ୍ଗବୋଳା ଟଙ୍କା ଜବତ ହୋଇଥିବା ନେଇ ଭିଜିଲାନ୍ସ ସୂତ୍ରରୁ ଜଣାପଡିଛି । ତେବେ ସ୍ଥାନୀୟ ସରକାରୀ ବାସଭବନରୁ ନଗଦ ୨୯ ହଜାର ଟଙ୍କା ବାହାରିଥିବା ବେଳେ ଡାକ୍ତରଙ୍କ ସମ୍ବଲପୁର ବାସଭବନ ତଲାସି ଲାଗି ଏଠାରୁ ଏକ ଟିମ୍ ସମ୍ବଲପୁର ଗସ୍ତ କରିଛି । ଆଜି ତାଙ୍କୁ ସ୍ଥାନୀୟ ଭିଜିଲାନ୍ସ କୋର୍ଟରେ ହାଜର କରାଜିବ ବୋଲି ଭିଜିଲାନ୍ସ ସୂତ୍ରରୁ ପ୍ରକାଶ ।
Leave A Reply

Your email address will not be published.