କରୋନା ସର୍ଭେ ନାମରେ ଘରେ ପଶି ଲୁଟ୍

199

ପଟ୍ଟାମୁଣ୍ଡାଇ : କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ନସିପୁର ଗାଁର କୁଳମଣି ରାଉତ ଓ ତାଙ୍କ ପୁଅ ଘରେ ନ ଥିବା ସମୟରେ ଦିନ ୧୧ ଟା ବେଳେ ୩ ରୁ ୫ ଜଣ ବ୍ୟକ୍ତି ଘରକୁ ଆସି କରୋନା ସର୍ଭେ କରିବା ବାହାନାରେ ଘରକୁ ପଶିଥିଲେ । କୁଳମଣିଙ୍କ ପତ୍ନୀ ରଙ୍ଗଲତା ଓ ୩ ବର୍ଷର ନାତୁଣୀ ଘରେ ଏକାକୀ ଥିବା ଜାଣି କରୋନା ସର୍ଭେ କରିବାର ବାହାନାରେ କବାଟ ଖୋଲିବା ପାଇଁ କହିଥିଲେ । ରଙ୍ଗଲତା ଘର କବାଟ ଖୋଲିବା ମାତ୍ରେ ଲୁଟେରାମାନେ ଘର ଭିତରକୁ ପଶି ଆସିଥିଲେ । ଆଉ ଜଣେ ଲୁଟେରା ପଛ ପଟୁ ଆସି ତାଙ୍କୁ ଜୋରରେ ଧରିବା ସହ ମାରଣାସ୍ତ୍ର ଦେଖାଇ ଜୀବନରେ ମାରି ଦେବାର ଧମକ ଦେବା ସହ ଘରର ଗୋଟିଏ କଣରେ ବସାଇ ରଖିଥିଲେ । ଏହା ପରେ ଘରୁ ଡକାୟତ ମାନେ ଖୋଜାଖୋଜି କରି ଆନୁମାନିକ ଲକ୍ଷାଧିକ ଟଙ୍କାର ସୁନା ଗହଣା, ନଗଦ ଟଙ୍କା ଆଦି ମାରଣାସ୍ତ୍ର ଦେଖାଇ ଲୁଟି ନେଇଥିବାର କୁଳମଣି ପ୍ରକାଶ କରିଛନ୍ତି ।

ଖବର ପାଇ ପଟ୍ଟାମୁଣ୍ଡାଇ ଆଇଆଇସି ରାକେଶ କୁମାର ତ୍ରିପାଠୀ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଚଳାଇଛନ୍ତି । ଗୋଟିଏ ପଟେ କରୋନା ସଂକ୍ରମଣ ଲାଗି ସରକାର ଓ ପ୍ରଶାସନ ବ୍ୟସ୍ତ ଥିବା ବେଳେ ଦୁର୍ବୁତ୍ତଙ୍କ ଏହି ହାଇଟେକ୍ ଅନ୍ଦାଜରେ ଚୋରି ପୋଲିସ ଲାଗି ଏକ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଏବେ ଦେଖିବାକୁ ବାକି ରହିଲା କେନ୍ଦ୍ରାପଡ଼ା ପୋଲିସ କେତେ ତତ୍ପରତା ସହ ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରୁଛି ।

Leave A Reply

Your email address will not be published.