ଚିନ୍ତାବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ: ନଷ୍ଟ ହେଲାଣି ୪୯ଲକ୍ଷ କୋଭିଡ୍ ଟିକା

163

-ମୋଦୀଙ୍କ ୫ ମନ୍ତ୍ର
୧. ଟିକାକରଣ ଜାରି ରହିବା ସହ ଗାଇଡ୍ଲାଇନ୍ ମଧ୍ୟ ପାଳନ କରାଯିବ ।
୨. ଆରଟିପିସିଆର୍ ଟେଷ୍ଟିଂକୁ ବଢ଼ାଇବାକୁ ପଡ଼ିବ ।
୩. କ୍ଷୁଦ୍ର କଣ୍ଟେନମେଣ୍ଟ୍ ଜୋନ୍ ପ୍ରସ୍ତୁତ କରିବାକୁ ଧ୍ୟାନ ଦିଆଯିବ ।
୪. ଭ୍ୟାକ୍ସିନ୍ ଦିଆଯାଉଥିବା କେନ୍ଦ୍ର ସଂଖ୍ୟା ବଢ଼ାଇବାକୁ ହେବ ।
୫. ଭ୍ୟାକ୍ସିନ୍ର ଏକ୍ସପାଏରୀ ତାରିଖକୁ ମଧ୍ୟ ଧ୍ୟାନରେ ରଖିବାକୁ ହେବ ।

ନୂଆଦିଲ୍ଲୀ: ଦେଶରେ ପୁଣିଥରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ରାଜ୍ୟର ପ୍ରତିନିଧିମାନଙ୍କ ସହିତ ବୈଠକ କରିଛନ୍ତି । ଏହି ବୈଠକରେ ପ୍ରଧାନମନ୍ତ୍ରୀ ସମସ୍ତ ରାଜ୍ୟକୁ ୩ଟି ସୂତ୍ର ବିଷୟରେ କହିଛନ୍ତି । ପୂର୍ବପରି ଆଉଥରେ ଟେଷ୍ଟିଂ, ଟ୍ରାକିଂ ଏବଂ ଟ୍ରିଟ୍ମେଣ୍ଟକୁ ଅଧିକ ଧ୍ୟାନ ଦେବାକୁ ଏଥିରେ ସେ କହିଛନ୍ତି । ମହାରାଷ୍ଟ୍ର, ପଞ୍ଜାବ, କେରଳ ଭଳି ରାଜ୍ୟରେ ବଢ଼ୁଥିବା ମାମଲାକୁ ନେଇ ପ୍ରଧାନମନ୍ତ୍ରୀ ଚିନ୍ତା ବ୍ୟକ୍ତ କରିଛନ୍ତି ।

କରୋନାର ଏହି ଲହରକୁ ନେଇ ବୈଠକରେ ମୋଦୀ କହିଛନ୍ତି ଯେ, ବିଶ୍ୱରେ କରୋନାରେ ଏପରି ପ୍ରଭାବିତ ଦେଶ ଅଛନ୍ତି ଯେଉଁଠାରେ କି କୋଭିଡ୍ର ବିଭିନ୍ନ ପ୍ରକାର ଲହର ଆସିସାରିଲାଣି । ଆମ ଦେଶର କିଛି ରାଜ୍ୟରେ ଏହି ଲହର ଦେଖାଗଲାଣି । ମହାରାଷ୍ଟ୍ର,ମଧ୍ୟପ୍ରଦେଶ ଭଳି ରାଜ୍ୟରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହା ଲହରକୁ ଯଦି ଆଟକାଇ ନପାରିବା ତେବେ ସାରା ଦେଶରେ ଏହାର ପ୍ରଭାବ ଦେଖା ଦେଇପାରେ ।

ବୈଠକରେ ସମ୍ବୋଧନ କରି ସେ କହିଛନ୍ତି ଯେ, ଜନତାଙ୍କୁ ଭାୟଭୀତ କରିବା ଅନୁଚିତ । ଦେଶରେ ଭୟର ବାତାବରଣ ସୃଷ୍ଟି ନହେବା ଉଚିତ । ଲୋକଙ୍କୁ ଚିନ୍ତାରୁ ମୁକ୍ତି ଦେବା ପାଇଁ ପୂର୍ବ ଅନୁଭବକୁ ବିଚାର କରି ଆମକୁ ପଦକ୍ଷେପ ନେବାକୁ ପଡ଼ିବ ବୋଲି ସେ କହିଛନ୍ତି । ସଂକ୍ରମଣକୁ ରୋକିବା ପାଇଁ ଟେଷ୍ଟିଂ-ଟ୍ରାକିଂ ଏବଂ ଟ୍ରିଟ୍ମେଣ୍ଟ ପୁଣିଥରେ ଗମ୍ଭୀରତାର ସହିତ ନେବା ଦରକାର । ଟେଷ୍ଟିଂକୁ ବଢ଼ାଇବାକୁ ପଡ଼ିବ, ଆରଟି-ପିସିଆର୍ ଟେଷ୍ଟ ସଂଖ୍ୟା ୭୦ ପ୍ରତିଶତ ବଢ଼ାଇବାକୁ ପଡ଼ିବ । କେରଳ,ୟୁପି ଏବଂ ଛତିଶଗଡ଼ରେ ରାପିଡ୍ ଟେଷ୍ଟିଂ ଜାରି ରହିବା ଆବଶ୍ୟକ ।

ଭ୍ୟାକ୍ସିନେସନ୍ ବା ଟିକାକରଣକୁ ନେଇ ମୋଦୀ କହିଛନ୍ତି ଯେ, ଦେଶରେ ଟିକାକରଣକୁ ଆହୁରି ବଢ଼ାଇବାକୁ ପଡ଼ିବ । ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ୟୁପିରେ ଟିକାକରଣ ମାତ୍ର ୧୦ ପ୍ରତିଶତ ରହିଛି । ଏହାକୁ ବଢ଼ାଇବାକୁ ହେବ । ଏଥିସହିତ ପ୍ରଧାନମନ୍ତ୍ରୀ ଟିକା ଅପଚୟ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି । ସାରା ଦେଶରେ ୭କୋଟି ୫୪ଲକ୍ଷ କରୋନା ଭ୍ୟାକ୍ସିନ୍ ଡୋଜ୍ ଦିଆଯାଇଛି ।

ଯଦି ଏହାର ୬.୫ ପ୍ରତିଶତ ହିସାବ କରାଯାଏ ତେବେ ସମଗ୍ର ଦେଶରେ ଏପର୍ଯ୍ୟନ୍ତ ପ୍ରାୟ ୪୯ଲକ୍ଷ ଟିକା ଅପଚୟ ହୋଇଯାଇଛି । ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶରେ ସର୍ବାଧିକ ଟିକା ନଷ୍ଟ ହୋଇଥିବା ବେଳେ ତେଲେଙ୍ଗାନାରେ ୧୭.୬ ଓ ଆନ୍ଧ୍ରରେ ୧୧.୬ ପ୍ରତିଶତ ଟିକା ଅପଚୟ ହୋଇଛି । ତେବେ ଏଥିପ୍ରତି ସତର୍କ ରହିବା ପାଇଁ ମୋଦୀ ପରାମର୍ଶ ଦେବା ସହିତ ଲୋକଙ୍କୁ ଭୟଭୀତ ନକରି ସଚେତନ କରିବା ଜରୁରି ବୋଲି କହିଛନ୍ତି ।

Leave A Reply

Your email address will not be published.