୧୬ ରାଜ୍ୟର ୭୦ ଜିଲ୍ଲାରେ ୧୫୦% ନୂତନ ସଂକ୍ରମଣ

202

-ପଞ୍ଜାବରେ ସ୍ଥିତି ଚିନ୍ତାଜନକ, ପଜିଟିଭ୍ ହାର ୬.୮ ପ୍ରତିଶତ
-ନୂଆ ମାମଲା ବୃଦ୍ଧି ପରେ ମଧ୍ୟ ମୃତ୍ୟୁ ହାର ୨ ପ୍ରତିଶତରୁ କମ୍
-ମୋଟ ସକ୍ରିୟ ସଂକ୍ରମଣର ୬୦ ପ୍ରତିଶତ ମହାରାଷ୍ଟ୍ରରେ

ନୂଆଦିଲ୍ଲୀ: ଦେଶରେ କରୋନା ଭୁତାଣୁ ସଂକ୍ରମଣ ବୃଦ୍ଧିକୁ ନେଇ ଉଦ୍ବେଗ ପ୍ରକାଶ ପାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ଦେଶରେ କରୋନା ସଂକ୍ରମଣର ସ୍ଥିତି ସମ୍ପର୍କରେ ସୂଚନା ଦିଆଯାଇଛି । ଦେଶର ମୋଟ ସକ୍ରିୟ ସଂକ୍ରମଣର ୬୦% ମହାରାଷ୍ଟ୍ରରେ ଥିବା କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି । ଶ୍ରୀ ଭୂଷଣ କହିଛନ୍ତି ଯେ ଗତ ୧୫ ଦିନ ମଧ୍ୟରେ ୧୬ଟି ରାଜ୍ୟର ୭୦ଟି ଜିଲ୍ଲାରେ କୋଭିଡ -୧୯ ସଂକ୍ରମଣ ମାମଲା ୧୫୦% ବୃଦ୍ଧି ପାଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୪୦୦ରୁ ଅଧିକ ନୂତନ କରୋନା ମାମଲା ରିପୋର୍ଟ ହୋଇଛି । ଏଠାରେ ପଜିଟିଭ୍ ହାର ଏକ ପ୍ରତିଶତରୁ କମ୍ । ତେବେ ଏହା ପୂର୍ବରୁ ୦.୪ ପ୍ରତିଶତରୁ ୦.୬ ପ୍ରତିଶତକୁ ଖସି ଆସିଛି । ସେ କହିଛନ୍ତି ଯେ ନୂତନ କୋଭିଡ -୧୯ ସଂକ୍ରମଣ ଫେବୃଆରୀ ୯ରେ ସର୍ବନିମ୍ନ ସ୍ତରରେ ଥିଲା । ଆଜି କୋଭିଡ-୧୯ର ନୂତନ ସଂକ୍ରମଣ ସପ୍ତାହକୁ ପ୍ରାୟ ୪୩ ପ୍ରତିଶତ ବୃଦ୍ଧି ପାଇଛି । କରୋନାଜନିତ ନୂତନ ମୃତ୍ୟୁସଂଖ୍ୟା ସପ୍ତାହରେ ପ୍ରାୟ ୩୭ ପ୍ରତିଶତ ବୃଦ୍ଧି ଘଟିଛି ।

ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୩.୫୧ କୋଟି ଡୋଜ ଟିକା ଦିଆଯାଇଛି । ଶ୍ରୀ ଭୂଷଣ କହିଛନ୍ତି ଯେ ମାର୍ଚ୍ଚ ୧୫ରେ ସାରା ବିଶ୍ୱରେ ୮୩.୪ ଲକ୍ଷ ଡୋଜ୍ କୋଭିଡ-୧୯ ଟିକା ଦିଆଯାଇଥିଲା । ଏଥିମଧ୍ୟରୁ ୩୬ ପ୍ରତିଶତ ଟିକାକରଣ କେବଳ ଭାରତରେ କରାଯାଇଥିଲା । ସେ କହିଛନ୍ତି ଯେ ଭାରତରେ ମୋଟ ଟିକା ମଧ୍ୟରୁ ୬.୫% ନଷ୍ଟ ହେଉଛି । ତେଲେଙ୍ଗାନାରେ ଟିକାକରଣର ଅପଚୟ ୧୭.୬ ଏବଂ ଆନ୍ଧ୍ରପ୍ରଦେଶରେ ଏହା ୧୧.୬ ପ୍ରତିଶତ ଅଟେ ।

ସ୍ୱାସ୍ଥ୍ୟ ସଚିବ କହିଛନ୍ତି ଯେ ଟିକା ଅପଚୟକୁ ହ୍ରାସ କରିବାର ଆବଶ୍ୟକତା ରହିଛି ବୋଲି ଆମେ ରାଜ୍ୟମାନଙ୍କୁ କହିଛୁ । ଏହା ସହିତ ସେ କହିଛନ୍ତି ଯେ ପରୀକ୍ଷା, ଟ୍ରାକିଂ ଏବଂ ଚିକିତ୍ସା ପ୍ରଭାବଶାଳୀ ହେବା ଆବଶ୍ୟକ । ପରିସ୍ଥିତିକୁ ନିୟନ୍ତ୍ରଣରେ ରଖାଯାଇପାରିବ ବୋଲି ସେ କହିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ କହିଛନ୍ତି ଯେ କର୍ଣ୍ଣାଟକରେ କରୋନା ଭୁତାଣୁ ପଜିଟିଭ ହାର ୧.୩ ପ୍ରତିଶତ ରହିଛି । ସେ କହିଛନ୍ତି ଯେ କର୍ଣ୍ଣାଟକ ସରକାରଙ୍କୁ ଆମର ପରାମର୍ଶ ହେଉଛି ଟ୍ରାକିଂକୁ ତ୍ୱରାନ୍ୱିତ କରିବା ।

ଏହାସହ ସେ କହିଛନ୍ତି ଯେ ମୃତ୍ୟୁହାର ଦୁଇ ପ୍ରତିଶତରୁ କମ୍ ଥିବାବେଳେ କେତେକ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ସଂକ୍ରମଣର ମାତ୍ରା ବୃଦ୍ଧି ପାଇଛି । ପଞ୍ଜାବର କରୋନା ସ୍ଥିତିକୁ ନେଇ ଶ୍ରୀ ଭୂଷଣ କହିଛନ୍ତି ଯେ ବର୍ତ୍ତମାନ ଏଠାରେ ପଜିଟିଭ ହାର ୬.୮ ପ୍ରତିଶତ ରହିଛି, ଯାହା ବେଶ ଚିନ୍ତାଜନକ । ସେ କହିଛନ୍ତି ଏହା ଦର୍ଶାଉଛି ଯେ କୋଭିଡ-୧୯ କଟକଣା ଏଠାରେ ପାଳନ କରାଯାଉ ନାହିଁ ଏବଂ କରୋନା ସଂକ୍ରମଣକୁ ରୋକିବା ପାଇଁ ପ୍ରସ୍ତୁତ ନିୟମକୁ ମଧ୍ୟ ଗୁରୁତ୍ୱ ଦିଆଯାଉନାହିଁ ।

Leave A Reply

Your email address will not be published.