ଶ୍ରୀମନ୍ଦିରରେ ଏକାନ୍ତ ନୀତି ସମ୍ପନ୍ନ

151

ପୁରୀ: ଶ୍ରୀମନ୍ଦିରରେ ଗୁରୁବାର ମାଜଣା ଓ ଏକାନ୍ତ ନୀତି ଅନୁଷ୍ଠିତ ହୋଇଯାଇଛି । ପୌଷ ଶୁକ୍ଳ ଅଷ୍ଟମୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସକାଳଧୂପ ପରେ “ମାଜଣା” ଏବଂ ସନ୍ଧ୍ୟାଧୂପ ପରେ “ଏକାନ୍ତ” ନୀତି ପାଳିତ ହୋଇଅଛି । ଶ୍ରୀମନ୍ଦିରରେ ଦୈନଦିନ ନୀତି ବ୍ୟତୀତ ଅନ୍ୟାନ୍ୟ ନୀତି ପାଳିତ ହୁଏ, ସେଥି ମଧ୍ୟରୁ ଗୁରୁବାର ନୀତି ଅନ୍ୟତମ । ଏହି ନୀତି ଦୁଇଟି ପର୍ଯ୍ୟାୟରେ ପାଳିତ ହୋଇଥାଏ । ମାଜଣା ନୀତି ସକାଳଧୂପ ପରେ ଅନୁଷ୍ଠିତ ହେଉଥିବାବେଳେ, ଏକାନ୍ତ ନୀତି ସନ୍ଧ୍ୟା ଧୂପ ପରେ ଅନୁଷ୍ଠିତ ହୋଇଥାଏ । ଏହି ନୀତି ମାହାଜନ, ସୁଦୁସୁଆର, ପର୍ବଯାତ୍ରା ଯୋଗାଣିଆ, ଆସ୍ଥାନ ପ୍ରତିହାରୀ, ଚନ୍ଦନ ଘଟୁଆରୀ, ପୂଜାପଣ୍ଡା, ଭିତରଛୁ ମହାପାତ୍ର, ପାଳିଆ ପୁଷ୍ପାଳକ, ବିମାନବଡୁ, ଘଣ୍ଟୁଆ, ଖଟଶେଯ ମେକାପ ମାନେ ଉପସ୍ଥିତ ରହି ସମ୍ପନ୍ନ କରିଥାନ୍ତି ।

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦ୍ୱାର ଫିଟା ନୀତି ପ୍ରାତଃ ୫ଟା ୨୫ ମି. ରେ ସମ୍ପନ୍ନ ହୋଇ, ଭିତର ଶୋଧ ପ୍ରାତଃ ୫ଟା ୫୫ ମି. ଏବଂ ମଙ୍ଗଳ ଆଳତି ପ୍ରାତଃ ୬ଟା ସମୟରେ ଶେଷ ହେଇ ଏହାର ପରବର୍ତ୍ତି ଦୈନଦିନ ନୀତି ବଢି ସକାଳ ଧୂପ ପୂର୍ବାହ୍ନ ୧୦ଟା ୫୫ରେ ଶେଷ ହୋଇଥିଲା । ସକାଳ ଧୂପ ପ୍ରସାଦ ବାହାରି ପାଣି ପଡିବା ପରେ, ଠାକୁର, ଠାକୁରାଣୀଙ୍କ ମାଜଣା ପାଇଁ ପୂର୍ବରୁ ମାଜଣା ମଣ୍ଡପ ଧୁଆ ଯାଇ ପରିଷ୍କାର କରାଯାଇଥିଲା । ମଇଲମ ଶେଷ ହେବାପରେ, ପାଳିଆ ମାହାଜନ ମାନେ ରତ୍ନସିଂହାସନରୁ ମା’ଲଷ୍ମୀ, ମା’ ସରସ୍ଵତୀଙ୍କୁ ଏବଂ ଶ୍ରୀମଦନମୋହନଙ୍କୁ ଦଖିଣି ଘରୁ ୧୧ଟା ୧୫ ମିନିଟରେ ମାଜଣା ମଣ୍ଡପ ଠାରେ ବିଜେ କରାଇଥିଲେ । ସୁଦୁସୁଆର ପର୍ବଯାତ୍ରା ଯୋଗାଣିଆଙ୍କ ଠାରୁ ମାଜଣା ଜିନିଷ ନେଇ ପୂଜାଠା କଲାପରେ, ମହାଜନେ ଠାକୁର ଠାକୁରାଣୀଙ୍କୁ ମାଜଣା କରି ଖଟ ଉପରେ ବସାଇଥିଲେ ।

ଏହାପରେ ପାଳିଆ ପୂଜାପଣ୍ଡା ସାମନ୍ତେ ପୂଜାରେ ବସିଥିଲେ । ପୂଜା ବଢ଼ିଲାପରେ କର୍ପୁର ଆଳତି ସହ ଅରୁଆ ଚାଉଳ ଓ ଅକ୍ଷତ ଦ୍ୱାରା ବନ୍ଦାପନା କରିଥିଲେ । ମଧ୍ୟାହ୍ନ ଧୂପ ଛେକ ଅପରାହ୍ନ ୧ଟା ୨୫ ରେ ଆସିଲାପରେ ମହାଜନେ ଦୁଇ ଠାକୁରାଣୀଙ୍କୁ ରତ୍ନସିଂହାସନକୁ ଏବଂ ଶ୍ରୀମଦନମୋହନଙ୍କୁ ଦଖିଣି ଘରକୁ ୧ଟା ୪୦ରେ ବିଜେ କରାଇଥିଲେ ଏବଂ ପାଳିଆପୁଷ୍ପାଳକ ମାନେ ଠାକୁରାଣୀଙ୍କୁ ଶ୍ରୀଅଙ୍ଗ ଲାଗି କରାଇଥିଲେ । ଏହାପରେ ମଧ୍ୟାହ୍ନ ଧୂପ ଶେଷ ହେବା ପରେ ପରବର୍ତ୍ତୀ ନୀତିମାନ ଅନୁଷ୍ଠିତ ହୋଇ ସନ୍ଧ୍ୟା ଆଳତି ପୂର୍ବରୁ ବେଶ ସମୟରେ ଗୁରୁବାର ଏକାନ୍ତ ନୀତି ପାଇଁ ଦୁଇଟି ମାଳ ମହାପ୍ରଭୁଙ୍କ ବାଡ଼ରେ ଲାଗି ହୋଇଥଲା । ସନ୍ଧ୍ୟାଧୂପ ଶେଷହୋଇ ପ୍ରସାଦ ବାହାରି ପାଣି ପଡିଲା ପରେ ମାହାଜନ ସେବକ ମାନେ ଶ୍ରୀମଦନ ମୋହନଙ୍କୁ ଦଖିଣି ଘରୁ ନେଇ ସିଂହାସନରେ ବିଜେ କରାଇବେ ।

ପୂଜାପଣ୍ଡା ସାମନ୍ତେ ଶ୍ରୀଜୀଉଙ୍କ ଠାରୁ ଆଜ୍ଞାମାଳ ଆଣି ତୁଳସୀ ମିଶା ମାଳକୁ ଶ୍ରୀମଦନମୋହଙ୍କୁ ଏବଂ ସାଧା ମାଳଟିକୁ ମା’ଲଷ୍ମୀ ସାନ୍ତାଣୀଙ୍କୁ ଲାଗି କଲାପରେ ଏକାନ୍ତ ନୀତି ପାଇଁ ଝୁଲଣ ମଣ୍ଡପ ଠାରେ ଥିବା ପାଲିଙ୍କିରେ ପଟୁଆର ସହ ବିଜେ ହୋଇଥିବେ, ବିଧି ମତେ ନିଶା ନୃସିଂହଙ୍କ ଠାରେ ଓଲାହି ମହାଜନେ ଠାକୁର, ଠାକୁରାଣୀଙ୍କୁ ସରସ୍ୱତୀ ମନ୍ଦିର ଭିତରେ ପଶି ଲଷ୍ମୀ ମନ୍ଦିର ଜଗମୋହନ ଠାରେ ଆଗରୁ ପ୍ରସ୍ତୁତ ହୋଇ ରହିଥିବା ପଲଙ୍କରେ ଠାକୁର, ଠାକୁରାଣୀଙ୍କୁ ବିଜେ କରାଇଲା ପରେ, ଭିତରଛୁ ପ୍ରସାଦଲାଗି କଲାପରେ, ପୂଜାପଣ୍ଡା ସାମନ୍ତେ ପୂଜାରେ ବସିବେ ।

ପୂଜା ଶେଷରେ ଭୋଗ, କର୍ପୁର ଓ ବଳିତା ଆଳତି ହୋଇ, ଅକ୍ଷତ ବନ୍ଦାପନା ପରେ ଠାକୁର, ଠାକୁରାଣୀ ପାଲିଙ୍କିରେ ବିଜେ ହୋଇ ଗାରଦ ଘର ପାର୍ଶ୍ୱ ସାତ ପାହାଚ ବାଟେ ଆସି ଜଗମୋହନରେ ଓଲାହି ସେଠାରୁ ମାହାଜନ ସେବକ ମାନେ ମା’ଲଷ୍ମୀ ଠାକୁରାଣୀଙ୍କୁ ସିଂହାସନକୁ ଏବଂ ଶ୍ରୀମଦନମୋହନ ଙ୍କୁ ଦଖିଣି ଘରକୁ ବିଜେ କରାଇବେ, ଏହାପରେ ମହାପ୍ରଭୁଙ୍କ ମଇଲମ, ଚନ୍ଦନଲାଗି,ବଡ଼ସିଂହାର ବେଶ, ବଡ଼ସିଂହାର ଭୋଗ ହୋଇ ଶ୍ରୀବିଗ୍ରହ ମାନଙ୍କ ଟୋପର ଲାଗି ପରେ ରାତ୍ର ପହୁଡ଼ ସମ୍ପନ୍ନ ହେବ l

Leave A Reply

Your email address will not be published.