ନିଖୋଜ ଦୁଇ ସ୍କୁଲ ଛାତ୍ର ଉଦ୍ଧାର

157

ପିପିଲି: ପିପିଲି ଥାନା ହାଟସାହି ପଂଚାୟତ ଅନ୍ତର୍ଗତ କମଳାସାଗର ପାଟଣା ଗ୍ରାମର ନିଖୋଜ ଥିବା ଦୁଇ ନାବାଳକ ସ୍କୁଲ ଛାତ୍ର ଆଜି ସକାଳେ ଉଦ୍ଧାର ହୋଇଛନ୍ତି । ନିଖୋଜ ହେବାର ତିନିଦିନ ପରେ ପୋଲିସ ଉଦ୍ଧାର କରି ଦୁଇ ନାବାଳକଙ୍କୁ ସେମାନଙ୍କ ପରିବାରକୁ ହସ୍ତାନ୍ତର କରିଥିବା ପିପିଲି ପୋଲିସ ଏସଡିପିଓ ଦେବଦତ ବରାଳ ସୂଚନା ଦେଇଛନ୍ତି । ପିଲାଙ୍କୁ ପାଇ ଦୁଇ ପରିବାର ଗଣମାଧ୍ୟମ ଓ ପୁଲିସକୁ କୃତଜ୍ଞତା ଜଣାଇଛନ୍ତି । ଭୁବନେଶ୍ୱର-ଖୋର୍ଦ୍ଧା ଜାତୀୟ ରାଜପଥର ଯାଆଁଳା ନିକଟ ଗୋହିରା ଛକରେ ଥିବା ଏକ ହୋଟେଲରୁ ଏମାନଙ୍କୁ ଉଦ୍ଧାର କରିଛି ପୋଲିସ । ଘରେ ଭଲ ଲାଗିଲାନି କାମଧନ୍ଦା କରି ପଇସା ରୋଜଗାର କରିବୁ ବୋଲି ଘରୁ ଚାଲିଯାଇଥିଲୁ ବୋଲି ଛାତ୍ରଦ୍ୱୟ ପୁଲିସକୁ କହିଛନ୍ତି । ଦୁଇ ନାବାଳକ ଗତ ୧୧ ତାରିଖରେ ଘରୁ ବାହାରିଯିବା ପରେ ଡେଲାଙ୍ଗ ଶ୍ରୀ ବିଶ୍ୱନାଥଙ୍କ ପାହାଡ଼ ତଳେ କିଛି ସମୟ ବୁଲାବୁଲି କରିଥିଲେ । ସେହିଦିନ ସଂଧ୍ୟାରେ କାମ ଖୋଜିବା ନାଁରେ ଉକ୍ତ ହୋଟେଲରେ ପହଂଚିଥିଲେ ଏବଂ ସେଠାରେ ମଧ୍ୟ ରାତିରେ ରହିଥିଲେ । ଠିକଣା ବୟସ ଜାଣିବା ପାଇଁ ହୋଟେଲ ମାଲିକ ଦୁଇ ଛାତ୍ରଙ୍କୁ ସେମାନଙ୍କର ଆଧାର କାର୍ଡ଼ ମାଗିଥିଲେ । ଛାତ୍ର ଦ୍ୱୟ ଆଧାର କାର୍ଡ଼ ଆଣିନଥିବା କହିଥିଲେ । ପରବର୍ତୀ ସମୟରେ ପିପିଲି ଅଂଚଳର ଦୁଇ ନାବାଳକ ନିଖୋଜ ହୋଇଥିବାର ଖବର ହୋଟେଲ ମାଲିକ ଗଣମାଧ୍ୟମରୁ ଜାଣି ସେମାନଙ୍କୁ ଖାଇବାକୁ ଦେଇ ଅଟକାଇ ରଖି ପରିବାର ଓ ଅନ୍ୟ କେତେକ ଲୋକଙ୍କୁ ଜଣାଇଥିଲେ । ପରେ ପରିବାର ଲୋକେ ଏ ସମ୍ପର୍କରେ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଏସଡିପିଓ ଦେବଦତ ବରାଳଙ୍କ ନିର୍ଦେଶକ୍ରମେ ଥାନା ଆଇଆଇସି ଗୌରାଙ୍ଗ ଚରଣ ପୃଷ୍ଟି, ଏସଆଇ ସନ୍ଦୀପ ଦାସଙ୍କୁ ନେଇ ଏକ ଟିମ ଆଜି ସକାଳେ ଜାଁଆଳା ଗୋହିରା ଛକସ୍ଥିତ ଉକ୍ତ ହୋଟେଲରେ ପହଂଚି ଦୁଇ ନାବାଳକଙ୍କୁ ଉଦ୍ଧାର କରିଥିଲେ । ସୂଚନା ଯୋଗ୍ୟ,ପିପିଲିଥାନା ଅଂଚଳର ହାଟସାହି ପଂଚାୟତ କମଳାସାଗର ପାଟଣା ଗ୍ରାମରୁ ଦୁଇ ନାବାଳକ ସ୍କୁଲ ଛାତ୍ର ନିଖୋଜ ହୋଇଥିବା ନେଇ ପୋଲିସରେ ଅଭିଯୋଗ ହୋଇଥିଲା । ପୋଲିସ ଏକ ମାମଲା ରୁଜୁ କରିଥିଲା । ଏହି ଦୁଇ ନାବାଳକ ନିକଟବର୍ତୀ ଖଣ୍ଡିମଙ୍ଗଳପୁର ହାଇସ୍କୁଲର ଜଣେ ନବମ ଓ ଅନ୍ୟ ଜଣେ ଦଶମ ଶ୍ରେଣୀ ଛାତ୍ର ଅଟନ୍ତି ।

Leave A Reply

Your email address will not be published.