ଭାରତରେ ପ୍ରବେଶ କରି ପାରିବେ ନାହିଁ ଚୀନ୍ ନାଗରିକ, ଏୟାର୍‌ଲାଇନ୍‌ମାନଙ୍କୁ କେନ୍ଦ୍ର ସରକାରଙ୍କ ଅନୌପଚାରିକ ନିର୍ଦେଶ

141

ନୂଆଦିଲ୍ଲୀ : କରୋନା ଭାଇରସ ନୂଆ ଷ୍ଟ୍ରେନକୁ ନେଇ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ଭାରତ ସତର୍କତା ଅବଲମ୍ବନ କରୁଛି । ସରକାର ଏୟାର ବବଲ୍ ନୀତି କ୍ରମରେ ସମସ୍ତ ଅନ୍ତର୍ଜାତୀୟ ଏୟାରଲାଇନ୍ସଙ୍କୁ ଚୀନ୍ ଯାତ୍ରୀଙ୍କୁ ନିଜ ବିମାନରେ ନଆଣିବାକୁ ଆଦେଶ ଦେଇଛନ୍ତି । ଭାରତରେ ଅଟକୁ ଥିବା କୌଣସି ବିମାନରେ ଚୀନ ଯାତ୍ରୀଙ୍କୁ ନଆଣିବାକୁ କୁହାଯାଇଛି । ବିମାନରେ ଚୀନ୍‌ ନାଗରିକମାନଙ୍କୁ ଭାରତକୁ ନ ଆଣିବା ପାଇଁ କେନ୍ଦ୍ର ସରକାର ଅନୌପଚାରିକ ଭାବେ ସମସ୍ତ ଏୟାର୍‌ଲାଇନ୍‌ଙ୍କୁ କହିଥିବା ଜଣାପଡ଼ିଛି। ଭାରତୀୟ ନାଗରିକମାନଙ୍କୁ ବିମାନରେ ଚୀନ୍‌ ନ ଆଣିବାକୁ ନଭେମ୍ବର ମାସରେ ଚୀନ୍‌ ପ୍ରତ୍ୟକ୍ଷଭାବେ ଘୋଷଣା କରିବା ପରେ ଭାରତ ଏ ଭଳି ପଦକ୍ଷେପ ଗ୍ରହଣ କରିଥିବା କୁହାଯାଉଛି।

ସମ୍ପ୍ରତି ଭାରତ ଓ ଚୀନ୍‌ ମଧ୍ୟରେ ବିମାନ ଚଳାଚଳ କରୁ ନ ଥିଲେ ବି ବିଦେଶୀ ନାଗରିକଙ୍କ ବିମାନ ଯାତ୍ରା ପାଇଁ କରାଯାଇଥିବା ‘ଟ୍ରାଭେଲ୍‌ ବବଲ୍‌’ ଜରିଆରେ ଚୀନ୍‌ ନାଗରିକମାନେ ଭାରତକୁ ଆସିବାରେ ସମର୍ଥ ହେଉଛନ୍ତି। ଅର୍ଥାତ୍‌ ସ୍ୱତନ୍ତ୍ର ଅର୍ନ୍ତରାଷ୍ଟ୍ରୀୟ ବିମାନ ଚଳାଚଳ ଲାଗି ଭାରତ ସହ ଯେଉଁ ଦେଶମାନେ ‘ଟ୍ରାଭେଲ୍‌ ବବଲ୍‌’ ରାଜିନାମା କରିଛନ୍ତି, ଚୀନ୍‌ ନାଗରିକମାନେ ସେ ସବୁ ଦେଶକୁ ଯାଇ ସେଠାରୁ ବିମାନ ଯୋଗେ କୌଣସି କାମ କିମ୍ବା ବ୍ୟବସାୟ ଲାଗି ଭାରତକୁ ଚାଲି ଆସୁଛନ୍ତି । ସୂଚନାଯୋଗ୍ୟ ଯେ, ଭାରତ କରୋନାର ପ୍ରଥମ ଫେଜରେ ଚୀନରୁ ଆସୁଥିବା ସମସ୍ତ ଫ୍ଲାଇଟ୍ ଉପରେ ପ୍ରତିବନ୍ଧକ ଲାଗୁ କରିଥିଲା । ତେବେ ଯେଉଁ ଦେଶ ସହ ଏୟାର ବବଲ କ୍ରମରେ ବିମାନ ସେବା ଜାରି ଥିଲା ସେଠାରୁ ଚୀନ୍ ଯାତ୍ରୀ ଭାରତ ଆସି ପାରୁଥିଲେ । କିନ୍ତୁ ନୂଆ ଅନୌପଚାରିକ ଆଦେଶ ଦ୍ୱାରା ଚୀନ୍ ଯାତ୍ରୀଙ୍କ ଭାରତ ପ୍ରବେଶ ଉପରେ ପ୍ରତିବନ୍ଧକ ଲାଗିଛି । ଚୀନ୍ ମଧ୍ୟ କରୋନା ସଂକଟକୁ ଦୃଷ୍ଟିରେ ରଖି ଭାରତୀୟ ନାଗରିକଙ୍କ ଚୀନ୍ ଯାତ୍ରା ଉପରେ ପ୍ରତିବନ୍ଧକ ଲାଗୁ କରିଥିଲା । ଭାରତର ଏହି ନିଷ୍ପତ୍ତି ସେହି ସମୟରେ ଆସିଛି ଯେତେବେଳେ ଚୀନ୍ ସହିତ ସୀମା ବିବାଦରେ କୌଣସି ସମାଧାନ ହୋଇ ପାରିନାହିଁ । ଦୁଇ ଦେଶଙ୍କ ମଧ୍ୟରେ ଲମ୍ବା ସମୟ ଧରି ଦ୍ୱିପାକ୍ଷିକ ସମ୍ବନ୍ଧ ଅସହଜ ରହିଛି ।

Leave A Reply

Your email address will not be published.