ଡିଷ୍ଟ୍ରିବୁକ୍ସନ ବକ୍ସ ପୋଡି ଯିବାର ୫ ବର୍ଷ ହେଲା ଅନ୍ଧାରରେ ଗ୍ରାମବାସୀ

150

ଅମ୍ବାଦଳା / ରାୟଗଡା ବିଦ୍ୟୁତ ବିଭାଗର ଖାମଖିଆଲ ନୀତି ଯୋଗୁଁ ୫ ବର୍ଷ ଧରି ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ସରଧାପୁର ପଞ୍ଚାୟତର ଆଡାଗେଞ୍ଜୁ ଗ୍ରାମବାସୀ ଅନ୍ଧାରରେ ରହି ଆସୁଛନ୍ତି । ବିଦ୍ୟୁତ ସଂଯୋଗର ମାସେ ନ ପୁରୁଣୁ କାଳ ବୈଶାଖୀର ପବନ ମାଡ଼ରେ ବିଦ୍ୟୁତ ଖମ୍ବ ସହ ଡିଷ୍ଟ୍ରିବୁକ୍ସନ ବକ୍ସ ପୋଡି ଯିବାରୁ ଉକ୍ତ ଗ୍ରାମକୁ ୫ ବର୍ଷ ଧରି ବିଦ୍ୟୁତ ସଂଯୋଗ ବିଛିନ୍ନ ହୋଇ ରହିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଆଡାଗେଞ୍ଜୁ ଗ୍ରାମରେ ୧୮ ପରିବାରରେ ପ୍ରାୟ ୧୧୦ ଜଣ ବସବାସ କରୁଥିବା ବେଳେ ସମସ୍ତେ ଅନୁସୂଚିତ ଜନଜାତିର ଅଟନ୍ତି । ଗ୍ରାମବାସୀମାନେ ଉଚ୍ଚ ଶିକ୍ଷିତ ନ ହୋଇଥିବାରୁ ଏ ବିଷୟରେ ଅଭିଯୋଗ କରିପାରିନାହାନ୍ତି । ଏନେଇ ପଞ୍ଚାୟତର ପୁର୍ବତନ ସରପଞ୍ଚ ବିଦ୍ୟୁତ ବିଭାଗକୁ ଅବଗତ କରାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁ ନଥିବା ଗ୍ରାମର ଚେଚେ ସିଡ଼ିଆ, କେଂଜା ସିଡ଼ିଆ, ପେଟା ସିଡ଼ିଆ,ଗାରୀ ସିଡ଼ିଆ, ଲକ୍ଷ୍ମୀ ସିଡ଼ିଆ, ସାବୀ ଉର୍ଲୁକିଆ, ବବି ସିଡ଼ିଆ ପ୍ରମୁଖ ଅଭିଯୋଗ କରିଛନ୍ତି ।

ସରକାର ପ୍ରତି ଗ୍ରାମକୁ ବିଦ୍ୟୁତ ସଂଯୋଗ କରିବାକୁ ନେଇ ଯୋଜନା ଉପରେ ଯୋଜନା କରୁଥିବା ବେଳେ ଉପାନ୍ତ ଅଞ୍ଚଳରେ ଏହା ଫେଲ ମାରୁଥିବା ଦେଖିବାକୁ ମିଳିଛି । ପ୍ରଶାସନ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେଇ ଗ୍ରାମରେ ନୂତନ ଡିଷ୍ଟ୍ରିବୁକ୍ସନ ସ୍ଥାପନ କରି ଗ୍ରାମବାସୀଙ୍କୁ ବିଦ୍ୟୁତ ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି । ତେବେ ସାଧାରଣରେ କଥା ଉଠୁଛି ଯଦି ସହର ମଧ୍ୟରେ ୫ ମିନିଟ ଲାଇନ କଟୁଛି ବିଭାଗୀୟ ଅଧିକାରୀଙ୍କ ପାଖକୁ ଘନ ଘନ ତାଗିଦ ହେଉଛି । କିନୁ ଏହି ଉପାନ୍ତ ପାଲି ଗାଁଟିରେ ବିଦ୍ୟୁତ ସରବରାହ ବିଛିନ୍ନ ହେବା ଏବଂ ଏହା ସବୁ ଜାଣି ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀ ଚୁପ ପଡି ବସିବା କେତେ ଦୂର ନ୍ୟାୟ ସଂଗତ ? ସଭ୍ୟ ଜଗତ ବୋଲାଉଥିବା ସହରି ମଣିଷଙ୍କ ଭଳି ଏମାନଙ୍କ ପ୍ରତିବାଦର ସ୍ୱର ଶାଣିତ ନଥିବାରୁ ବୋଧ ହୁଏ ଏମାନେ ଅନ୍ଧକାରରେ ଜୀବନ ବିତାଉଛନ୍ତି । ଏତେ ଦିନ ପରେ ବି ଏମାନଙ୍କ ପାଇଁ ବିଚାର କରିବାର ସମୟ ଆସି ନାହିଁ କି ?

Leave A Reply

Your email address will not be published.